ମେଣ୍ଢାଶାଳ: ପଥରରେ ଛେଚି ସରକାରୀ ସ୍କୁଲ ପିଅନଙ୍କୁ ବୀଭତ୍ସ ହତ୍ୟା। ପାଇକରାପୁର ଗ୍ରାମ ପାଖ ଏକ ମୁଣ୍ଡିଆ ନିକଟରେ ଗତ ରାତିରେ ଏହି ଆପରାଧିକ ଘଟଣା ଘଟିଛି। ମୃତକ ହେଲେ, ପାଇକରାପୁର ନୋଡାଲ ସ୍କୁଲର ପିଅନ ବଂଶୀଧର ଜେନା (୫୩)। ତାଙ୍କ ଘର ବ୍ରହ୍ମକୁଣ୍ଡଳ ଅଞ୍ଚଳରେ। ଆଜି ସକାଳେ କିଛି ଲୋକ ମୁଣ୍ଡିଆ ନିକଟକୁ ଯାଇଥିବା ବେଳେ ବଂଶୀଧରଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଦେଖି ଚନ୍ଦକା ଥାନାକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ କରିଥିଲା। ବଂଶୀଧରଙ୍କୁ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ହେବା ସହ ପୂରା ବିକୃତ ହୋଇଯାଇଛି। ସେହିପରି ଶବ ପାଖରୁ ସାଇଣ୍ଟିଫିକ୍ ଟିମ୍ ଗୋଟିଏ ଚପଲ, କଳାରଙ୍ଗର ମଫୁଲର୍, ମଦ ବୋତଲ, ସିଗାରେଟ୍, ଗୋଟିଏ ମୋବାଇଲ ଓ ରକ୍ତଲଗା ପଥର ଜବତ କରିଛି। ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ୪ସଂଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ମୃତ ବଂଶୀଧରଙ୍କ ସ୍ତ୍ରୀ କମଳା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେ ବଂଶୀଧରଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ଘରକୁ ଫେରିବାରେ ତାଙ୍କର ବିଳମ୍ବ ହେବ ବୋଲି କହିଥିଲେ। ଏହାର କିଛି ସମୟ ପରେ ଜ୍ବାଇଁ ପ୍ରସନ୍ନ ପ୍ରତିହାରୀଙ୍କୁ ଫୋନ୍ କରି ହଜାରେ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କ ନମ୍ବରରେ ଫୋନ୍-ପେ’ ସୁବିଧା ନଥିବାରୁ ସେ ଅନ୍ୟଜଣଙ୍କ ନମ୍ବର ଦେଇଥିଲେ। ଶ୍ବଶୁରଙ୍କ କହିବାନୁଯାୟୀ ପ୍ରସନ୍ନଜିତ୍ ଉକ୍ତ ନମ୍ବରରେ ହଜାରେ ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ଏହା ପରଠାରୁ ଆଉ ତାଙ୍କର ଫୋନ୍ ଲାଗି ନଥିଲା। ଆଜି ସକାଳେ ମୁଣ୍ଡିଆ ନିକଟରୁ ତାଙ୍କ ଶବ ଜବତ ହୋଇଥିଲା।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଂଶୀଧରଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ୍ ଅନୁମାନ କରୁଛି। ଆଜି ପୁଲିସ୍ କିଛି ସ୍ଥାନୀୟ ଲୋକଙ୍କୁ ବଂଶୀଧରଙ୍କ ସଂପର୍କରେ ପଚରାଉଚରା କରିଛି। କିଛି ଲୋକଙ୍କ କହିବା କଥା, ସେମାନେ ଗତରାତିରେ ବଂଶୀଧରଙ୍କୁ ସ୍କୁଲ ପରିସରରେ ଦେଖିଥିଲେ। କିନ୍ତୁ ତା’ ପରେ ସେ କୁଆଡ଼େ ଗଲେ, ସେମାନେ ଜାଣିନଥିବା କହିଛନ୍ତି।