ଭୁବନେଶ୍ବର: ଜଣେ ଯୁବତୀଙ୍କୁ ଛୁରି ଭୁସି ହତ୍ୟା କରିବା ମାମଲାରେ ଆଜି ଭୁବନେଶ୍ବରସ୍ଥ ଖୋର୍ଦ୍ଧା ଜିଲ୍ଲା ସେସନ୍ ଜଜ୍ ବିରଞ୍ଚି ନାରାୟଣ ମହାନ୍ତି ଆସାମୀ ରମେଶ ବାରିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆସାମୀ ରମେଶ ବାରିକର ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅରଗଳ ଗାଁରେ। ସୂଚନା ଅନୁସାରେ, ଆସାମୀ ରମେଶ ବାରିକ ପୂର୍ବରୁ ଜିଜିପି କଲୋନିସ୍ଥିତ ଏକ ଭଡ଼ାଘରେ ଚାଲିଥିବା ବାବା ନାଗାମଣି ଅଗ୍ନିଶମ ସୁରକ୍ଷା ସେବାରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ସଂସ୍ଥାର ତତ୍କାଳୀନ ରିସେପ୍ସନିଷ୍ଟ ସ୍ୱପ୍ନା ସାମଲଙ୍କ ସହିତ ତାଙ୍କର ଋଣ ଟଙ୍କା ପରିଶୋଧକୁ ନେଇ ବିବାଦ ରହିଥିଲା। ଅନୁଷ୍ଠାନ ପରିସରରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।
ଉଭୟେ ୨୦୨୩ ମେ ମାସରେ ଅନୁଷ୍ଠାନ ଛାଡ଼ିଥିଲେ। ପରେ ଜୁନ ୬ ତାରିଖରେ ମୀରା ଓରଫ ବୈଜୟନ୍ତୀ ସାହୁ ସଂସ୍ଥାରେ ନୂତନ ରିସେପ୍ସନିଷ୍ଟ ଭାବେ ଯୋଗ ଦେଇଥିଲେ। ୨୦୨୩ ମସିହା ଜୁନ୍ ୨୦ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ, ସ୍ୱପ୍ନା ସାମଲ ସେଠାରେ କାମକରୁଥିବା ଭାବି, ଆସାମୀ ରମେଶ ଏକ ବ୍ୟାଗ ଭିତରେ ଛୁରି ଧରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲା। ନୂତନ ରିସେପ୍ସନିଷ୍ଟ ବୈଜୟନ୍ତୀ ସାହୁ ତାଙ୍କୁ ଆସିବା କାରଣ ପଚାରିବାରୁ, ସେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ହଠାତ୍ ଛୁରି କାଢ଼ି ତାଙ୍କ ପେଟରେ ଭୁସି ଦେଇଥିଲେ। ପରେପରେ ରମେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମୀରାଙ୍କୁ ପ୍ରଥମେ ଭୁବନେଶ୍ୱରର ହାଇଟେକ୍ ହସ୍ପିଟାଲକୁ ପଠାଯାଇଥିଲା ଏବଂ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ୨୨ ତାରିଖରେ ମୃତ୍ୟୁ ଘଟିଥିଲା। ଏନେଇ ସଂସ୍ଥାର ମାଲିକ ଶିବପ୍ରସାଦ ସାହୁ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ତା’ ପୈତୃକ ଘର କେନ୍ଦ୍ରାପଡ଼ା ଆଳିରୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି, ଅଦାଲତ ୧୯ ଜଣଙ୍କ ସାକ୍ଷ୍ୟ, ୧୦ଟି ସାମଗ୍ରୀ ଯାଞ୍ଚ ଓ ୭୩ଟି ପ୍ରଯୁଜ୍ୟ ଦସ୍ତାବିଜ୍ ଆଧାରରେ ଆସାମୀ ରମେଶ ବାରିକକୁ ଭାରତୀୟ ଦଣ୍ଡବିଧି ଆଇନର ଧାରା-୩୦୨ ଅନୁଯାୟୀ ୧୦ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଆଦେଶରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ ପବ୍ଲିକ ପ୍ରୋସିକ୍ୟୁଟର ଏସ୍ ସ୍ବାଇଁ ପରିଚାଳନା କରିଥିଲେ।