ପୁରୁଣା ଭୁବନେଶ୍ୱର: ଦିନ କେଇଟା ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ଏବେ କାରିଗର ମୂର୍ତି ନିର୍ମାଣରେ ବ୍ୟସ୍ତ। ବିଭିନ୍ନ ଅସ୍ଥାୟୀ ତମ୍ବୁ ଓ ପୂଜା ମଣ୍ଡପରେ ମୂର୍ତି କାମ ଆରମ୍ଭ ହୋଇଗଲାଣି। ତେବେ ବାତ୍ୟା ପରେ କାରିଗରଙ୍କ ସମସ୍ୟ ବଢ଼ିଯାଇଛି। ମୂର୍ତି ପାଇଁ ଆବଶ୍ୟକ ବାଉଁଶ, କତା, ସୁତୁଲିର ଅଭାବ ପରିଲକ୍ଷିତ ହୋଇଛି। ପ୍ରତିବର୍ଷ ମାଟି ମିଳିବା ସମସ୍ୟାର ସମ୍ମୁଖୀନ ହେଉଥିବା କାରିଗର ଏବେ ଏହି ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାର୍ବଣର ପ୍ରଥମରେ ଆସୁଛନ୍ତି ଗଣପତି। ଏଥିପାଇଁ ଗଣେଶଙ୍କ ମୃଣ୍ମୟ ମୂର୍ତି ପ୍ରସ୍ତୁତି ଜୋର ସୋରରେ ଚାଲିଛି। ମୂର୍ତି ତିଆରି ପାଇଁ କାରିଗରମାନେ ମଧ୍ୟ ଖୁବ୍ ତତ୍ପର ହୋଇ ପଡ଼ିଛନ୍ତି। ତେବେ ରାଜଧାନୀରେ ୫୦ରୁ ଅଧିକ ସ୍ଥାନରେ ମୂର୍ତି ତିଆରି ଚାଲିଥିବା ବେଳେ ବିଭିନ୍ନ ସମାଗ୍ରୀର ଅଭାବ କାରିଗରଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ବାତ୍ୟା ପରେ ବିଭିନ୍ନ ବାଉଁଶ ଗଛ ନଷ୍ଟ ହୋଇଥିବା ବେଳେ ଅନ୍ୟ କାଠ ଯଥା ଚାକୁଣ୍ଡା ଓ ଆକାଶିଆ ଗଛ ମଧ୍ୟ କମ ପରିମାଣରେ ମିଳୁଛି। ଏହାଛଡ଼ା ମୂର୍ତି ପାଇଁ କତା ଦଉଡ଼ି ଓ ସୁତୁଲି ମଧ୍ୟ କମ ପରିମାଣରେ ମିଳୁଛି। ସେହିପରି ପ୍ରତିବର୍ଷ ପରି କାରିଗରଙ୍କୁ ମାଟି ମିଳିବା କଷ୍ଟ ହେଉଛି। କଂକ୍ରିଟ୍ ସହର ରାଜଧାନୀ ଭୁବନେଶ୍ୱରରେ ମୂର୍ତି ନିର୍ମାଣ ପାଇଁ ମାଟିର ଘୋର ଅଭାବ ରହିଛି। ଆଗରୁ ଅଳ୍ପ ଦରରେ ଅଧିକ ମାଟି ମିଳୁଥିବା ବେଳେ ପାର୍ବଣ ଋତୁ ଆସିଥିବାରୁ ମୂର୍ତି ପାଇଁ ଏବେ ଦର ଅଧିକ ରହିଛି। ପୂର୍ବରୁ ଗୋଟିଏ ଟ୍ରାକ୍ଟର ମାଟିର ଦାମ୍ ୧୨ ଶହ ଟଙ୍କା ଥିବାବେଳେ ଏବେ ୩ ହଜାରରୁ ୫ ହଜାର ଟଙ୍କା ପଡ଼ୁଛି। ମୂର୍ତି ପାଇଁ ଏବେ ମାଟି ଧଉଳି ନିକଟ ନଈ, ଗଙ୍ଗୁଆରୁ ଆସୁଛି। ତେବେ ଏଠାରେ ମାଟିର ଅଭାବ ଯୋଗୁଁ ବାହାର ଜିଲ୍ଲାରୁ ମଧ୍ୟ ଅଣା ଯାଉଛି। ବାତ୍ୟା ପରେ ଏହି ସାମଗ୍ରୀ ଅଭାବ ଯୋଗୁଁ ମୂର୍ତିର ଦାମ ବଢ଼ୁଛି ବୋଲି ମୂର୍ତି କାରିଗର ଟିକମ ମହାପାତ୍ର କହିଛନ୍ତି। ଟଙ୍କପାଣି ରୋଡ ଅଞ୍ଚଳର କାରିଗର ସୁନାମ ମହାରଣା କୁହନ୍ତି, ବିଶେଷ କରି ପୁରୀ ଜିଲ୍ଲାରୁ ମାଟି, କତା ଦଉଡ଼ି ଓ ସୁତୁଲି ଆସିଥାଏ। ତେବେ ଉକ୍ତ ଜିଲ୍ଲା ବାତ୍ୟାର ଅଧିକ ପ୍ରଭାବିତ ହୋଇଥିବାରୁ ମୂର୍ତି ପାଇଁ ସାମଗ୍ରୀ ଗୁଡ଼ିକ ଅଭାବ ଦେଖା ଦେଇଛି। ଅନ୍ୟତମ ମୂର୍ତି ବ୍ୟବସାୟୀ ଅରୁଣ ମହାପାତ୍ର କୁହନ୍ତି, ମାଟି ଓ ଅନ୍ୟାନ୍ୟ ସାମଗ୍ରୀର ଅଭାବ ସତ୍ତ୍ବେ ଗ୍ରାହକଙ୍କ ଚାହିଦା ଅନୁଯାୟୀ ମୂର୍ତି ତିଆରି କରାଯାଇ ଯୋଗାଇ ଦିଆଯିବ।