ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା: ‘ରାବଣପୋଡ଼ି’ ରାତିର କଳା କାହାଣୀ ବଖାଣିଲା ବିକ୍ରମାଦିତ୍ୟ

ଛାଡ଼ିଦେବା ପାଇଁ କାକୁତିମିନତି ହୋଇଥିଲେ, କିନ୍ତୁ...

ଭୁବନେଶ୍ବର: ୨୦୦୮ ଅକ୍ଟୋବର ୯ ତ‌ାରିଖ। ସେଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଥିଲା ‘ରାବଣପୋଡ଼ି’। ରାଜଧାନୀବାସୀ ଯେତେବେଳେ ରାବଣପୋଡ଼ି ଦେଖିବା ପାଇଁ ବିଭିନ୍ନ ପଡ଼ିଆରେ ଭିଡ଼ ଜମାଇଥିଲେ ଠିକ୍ ସେହି ସମୟରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହେଉଥିଲେ ମୁଖ୍ୟ ଅଭିଯୁକ୍ତ ମାନସ ରଞ୍ଜନ ଓ ତା’ର ସାଥୀମାନେ। ଏକ ସିଡି ତିଆରି କରିବା ପାଇଁ ସନ୍ଧ୍ୟାରେ ସୁନୀଲ ଓ ସୁଶୀଲର ଫୋନ୍ କଲ୍ ପାଇ ସୁମନ୍ତ ପୁରୁଣା ଭୁବନେଶ୍ବର ଗୋବିନ୍ଦେଶ୍ବର ବ୍ୟାଙ୍କ କଲୋନି ଘରୁ ବାହାରି ପହଞ୍ଚି ଯାଇଥିଲେ ଏକାମ୍ର ଟକିଜ୍ ନିକଟରେ। ସୁଶୀଲ ଓ ସୁନୀଲ ତାଙ୍କୁ ବମିଖାଲ ଗାଁରେ ଥିବା ଶୁଭକାନ୍ତ ଜେନାର ଜଣେ ସମ୍ପର୍କୀୟଙ୍କ ଘରକୁ ନେଇ ଯାଇଥିଲେ। ସୁନୀଲ ଓ ସୁଶୀଲ ଯେତେବେଳେ ସିଡି ସମ୍ପର୍କରେ କଥା ହେଉଥିଲେ; ସେହି ସମୟରେ ଅନ୍ୟ ତିନି ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନା, ଶୁଭକାନ୍ତ ଓ ମୁଖ୍ୟ ଅଭିଯୁକ୍ତ ମାନସ ରଞ୍ଜନ ବେଦାନ୍ତ ଓରଫ୍ ସାଗର ତାଙ୍କୁ ବାନ୍ଧି ପକାଇଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଧମକଚମକ ଦେବା ଆରମ୍ଭ କରି ଦେଇଥିଲେ। ଜୋର ଜବରଦସ୍ତ ମଦ ପିଆଇବା ସହ ସିଗାରେଟ୍ ଚେଙ୍କ ଦେଇଥିଲେ। ଶରୀରର ଏକାଧିକ ସ୍ଥାନକୁ ହାଣିବା ସହ ଗୁପ୍ତାଙ୍ଗ କାଟି ପକାଇଥିଲେ। ଯନ୍ତ୍ରଣାରେ ଜର୍ଜରିତ ସୁମନ୍ତ ତାଙ୍କୁ ଛାଡ଼ି ଦେବା ପାଇଁ ସମସ୍ତଙ୍କୁ କାକୁତିମିନତି କରିଥିଲେ।

କିନ୍ତୁ ମଦ ନିଶାରେ ସମସ୍ତେ ଏମିତି ଚୁର୍ ଥିଲେ ଯେ ସୁମନ୍ତଙ୍କ କଥାକୁ କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଭୁଜାଲି ଓ ଫାର୍ସାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ଏକାଧିକ ଚୋଟ ପରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ପ୍ରାଣ ଚାଲି ଯାଇଥିଲା। ଏହାପରେ ସେଇ ରାତିରେ ହିଁ ସେମାନେ ମୃତଦେହକୁ କାର୍‌ରେ ନେଇ କେନାଲରେ ଫିଙ୍ଗି ଦେଇଥିଲେ। ପରଦିନ ଥିଲା ଭସାଣି। ହତ୍ୟାକାରୀମାନେ ଭାବିଥିଲେ ଭିଡ଼ ଭିତରେ ପୁଲିସ ସେମାନଙ୍କୁ ଧରିପାରିବନି। କିନ୍ତୁ ୪୮ ଘଣ୍ଟା ଭିତରେ ୪ ଜଣ ଧରାପଡ଼ିଗଲେ। ତେବେ ଏହି ଖବର ପାଇବା ପରେ କେବଳ ବିକ୍ରମାଦିତ୍ୟ ହିଁ ଫେରାର ହୋଇଯିବାକୁ ସମର୍ଥ ହୋଇଥିଲା। ୧୩ ବର୍ଷ ଲୁଚି ରହିବା ପରେ ପୁଲିସ ହାତରେ ଧରା ପଡ଼ିଥିବା ବିକ୍ରମାଦିତ୍ୟ ଜେରା ବେଳେ ପୁଲିସ ଆଗରେ ଏଭଳି ବୟାନ ଦେଇଛି।

ଫେରିବା ବାଟକୁ ଚାହିଁଥିଲୁ… କିନ୍ତୁ ମିଳିଲା ଶବ
ସୁମନ୍ତ ସନ୍ଧ୍ୟାରେ ଘରୁ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନ ଥିଲେ। ପତ୍ନୀ ଭୂମିକା ମହାନ୍ତି ବାରମ୍ବାର କଲ୍ କରି ଚାଲିଥିଲେ। ଫୋନ୍ ରିଂ ମଧ୍ୟ ହେଉଥିଲା। କିନ୍ତୁ କିଛି ଉତ୍ତର ଆସୁ ନ ଥିଲା। ରାତି ପ୍ରାୟ ୧୨ଟାରେ ପରିବାର ଲୋକ ଯେତେବେଳେ କଲ୍ କରିଥିଲେ, ସେତେବେଳେ ସୁମନ୍ତଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ରାବଣପୋଡ଼ି ଥିବାରୁ କେଉଁଠି କାର୍ଯ୍ୟକ୍ରମ ଥିବ ବୋଲି ଭାବି ପରିବାର ଲୋକ ରହି ଯାଇଥିଲେ। ସକାଳ ହେବା ପରେ ପୁଣି ସୁମନ୍ତଙ୍କ ମୋବାଇଲ ଫୋନକୁ ରିଂ କରିଥିଲେ ପରିବାର ଲୋକ। କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା। ଏଣେ ସକାଳୁ ସକାଳୁ ସୁମନ୍ତଙ୍କ କାର୍‌ ନମ୍ବର ଦେଖି ପୁଲିସ ଯାଞ୍ଚ କରି ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ପୂର୍ବାହ୍ନ ପ୍ରାୟ ୯ଟାରେ ସୁମନ୍ତଙ୍କୁ ହତ୍ୟା କରି କାର୍‌ ଭିତରେ ପୂରାଇ ପଳାଶୁଣୀ-ଚକେଇସିଆଣୀ ନାଳରେ ଫିଙ୍ଗି ଦିଆ ଯାଇଥିବା ଜାଣିବାକୁ ମିଳିଥିଲା। ୧୩ ବର୍ଷ ତଳର ସେଦିନର କଥାକୁ ମନେ ପକାଇ ଆଜି ‘ସମ୍ବାଦ’କୁ ଏ କଥା କହିଛନ୍ତି ସୁମନ୍ତଙ୍କ ଶାଳକ ଜ୍ୟୋତି ମହାପାତ୍ର।

‘ପ୍ରତି ମୁହୂର୍ତ୍ତରେ ଅନୁଭବ ହେଉଛି ତାଙ୍କ ଅନୁପସ୍ଥିତି’
ସୁମନ୍ତ ଘରର ମୁରବୀ ଥିଲେ। ତାଙ୍କ ରୋଜଗାରରେ ପରିବାର ଚଳୁଥିଲା। ତେବେ ଏଭଳି ନୃଶଂସ ଭାବେ ହତ୍ୟାର ଶିକାର ହେଲା ବେଳେ ଝିଅକୁ ମାତ୍ର ୩ ବର୍ଷ ବୟସ ହୋଇଥିଲା। ସୁମନ୍ତଙ୍କ ମୃତ୍ୟୁ ପରେ ଅନ୍ଧକାର ଘୋଟିଗଲା। ଏକମାତ୍ର ରୋଜଗାରିଆ ସଦସ୍ୟଙ୍କର ମୃତ୍ୟୁ ପରେ ଯାହା ଅବସ୍ଥା ହୁଏ ସେମିତି ହୋଇଥିଲା। ନ ହେବ ବା କେମିତି। ତିନିବର୍ଷର ଝିଅକୁ ଧରି ଚଳିବା କଷ୍ଟକର ହୋଇ ପଡ଼ିଥିଲା ଭୂମିକାଙ୍କ ପାଇଁ। ଏବେ ବି ପ୍ରତି ମୁହୂର୍ତ୍ତରେ ସୁମନ୍ତଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏହାରି ଭିତରେ ୧୩ ବର୍ଷ ବିତି ଯାଇଛି। ଝିଅ ଏବେ ରାଜଧାନୀର ଏକ ଇଂଲିସ୍ ମିଡିୟମ୍ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ପୁରୁଣା ଭୁବନେଶ୍ବରେ ମାମୁଘରେ ରହୁଛନ୍ତି।

‘ବୀଭତ୍ସ କାଣ୍ଡ ପାଇଁ ଫାଶୀ ବି କମ୍ ପଡ଼ିବ’

ସୁମନ୍ତଙ୍କୁ ହତ୍ୟା ବର୍ବରତାର ସବୁ ସୀମା ଟପି ଯାଇଥିଲା। ଯେମିତି ଢଙ୍ଗରେ ଅଭିଯୁକ୍ତମାନେ ସିଗାରେଟ୍ ଚେଙ୍କ ଦେବା ସହ ଶରୀରକୁ ମାରଣାସ୍ତ୍ରରେ କାଟିଥିଲେ ତାହା ଅତ୍ୟନ୍ତ ବୀଭତ୍ସ ଥିଲା। ଏହି ବୀଭତ୍ସ ହତ୍ୟା ଆଗରେ ଅଭିଯୁକ୍ତଙ୍କୁ ଫାଶୀ ମଧ୍ୟ କମ୍ ପଡ଼ିଯିବ। ଯେହେତୁ ହତ୍ୟାକାଣ୍ଡରେ ମୃତ୍ୟୁଦଣ୍ଡ ସବୁଠୁ ଅଧିକ ସେଥିପାଇଁ ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଉ ବୋଲି ସୁମନ୍ତଙ୍କ ପତ୍ନୀ ଓ ଶାଳକ ଦାବି କରିଛନ୍ତି। ଶାଳକ ଜ୍ୟୋତିରଞ୍ଜନ କହିଛନ୍ତି ଘଟଣାକୁ ୧୩ ବର୍ଷ ବିତି ଗଲାଣି। ତୁରନ୍ତ ବିଚାର ହୋଇ ରାୟ ପ୍ରକାଶ ପାଇଲେ ଆମକୁ ନ୍ୟାୟ ମିଳିପାରିବ। ୧୩ ବର୍ଷ ପରେ ବିକ୍ରମାଦିତ୍ୟ ଧରା ପଡ଼ିଥିବାରୁ ସେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।

୨୦୦୮ର ତୃତୀୟ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ

ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ୨୦୦୮ ମସିହାର ଅନ୍ୟତମ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଥିଲା। କାରଣ ସୁମନ୍ତ ଖୁବ୍ କମ୍ ଦିନ ଭିତରେ ଆଲବମ୍‌ ଦୁନିଆରେ ନାଁ କମାଇଥିଲେ। ବହୁତ ଲୋକପ୍ରିୟ ମଧ୍ୟ ହୋଇ ଯାଇଥିଲେ। ଅକ୍ଟୋବର ମାସରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀ ସମେତ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ଏହା ପୂର୍ବରୁ ୨୦୦୮ ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ୍ ବିରଞ୍ଚି ଦାସକୁ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା। ଏହାର ମାତ୍ର ୧୧ ଦିନ ପରେ ଆଇଟିଆଇ ଛାତ୍ର ପ୍ରୀତମ ପ୍ରିୟଦର୍ଶୀଙ୍କୁ ହତ୍ୟା କରି ବାରଙ୍ଗ କଲେଜ ନିକଟ କାଜୁ ଜଙ୍ଗଲରେ ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ତିନିଟି ହାଇପ୍ରୋଫାଇଲ ଜଘନ୍ୟ ହତ୍ୟାକାଣ୍ଡ କମିସରେଟ ପୁଲିସ ପାଇଁ ବେଶ୍ ଆହ୍ବାନପୂର୍ଣ୍ଣ ଥିଲା।

 

ସମ୍ବନ୍ଧିତ ଖବର