ଭୁବନେଶ୍ବର: ତାନପୁରା ଧୂନ୍ରେ ଗୁଞ୍ଜରିତ ହେଉଥିଲା ପ୍ରେକ୍ଷାଳୟ। ପଖଜର ତାଳେ ତାଳେ ଧ୍ରୁପଦ ସଂଗୀତର ଯୁଗଳବନ୍ଦୀ ଗାୟନ ବିମୋହିତ କରୁଥିଲା ଦର୍ଶକଙ୍କୁ। ପରେ ପରେ ଧ୍ରୁପଦ ଏସ୍ରାଜ୍, ଭାଓଲିନ୍ ସହ ଶିଳ୍ପୀଙ୍କ ମିଶ୍ରିତ ସୁମଧୁର ସ୍ବର ଯେମିତି ପିଣ୍ଡରେ ପ୍ରାଣ ଭରି ଦେଉଥିଲା। ଗାୟନ ଶୈଳୀ ଏତେ ହୃଦୟଛୁଆଁ ଥିଲା ଯେ ଦର୍ଶକଙ୍କୁ ଆଖିରେ ପଲକ ପକାଇବାକୁ ବି ଅନୁମତି ଦେଉନଥିଲା। ଏଭଳି ନିଆରା ଅବସର ଥିଲା ‘ଧ୍ରୁପଦ ମ୍ୟୁଜିକ୍ ଫାଉଣ୍ଡେସନ୍’ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ‘ବିଶ୍ବ ସଂଗୀତ ଓ ଯୋଗ ଦିବସର ଷଷ୍ଠ ସଂସ୍କରଣ’ର ଉଦ୍ଯାପନୀ ଉତ୍ସବର।
ଅନୁଷ୍ଠାନର ଅଧ୍ୟକ୍ଷ ମୁକୁନ୍ଦ ଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ କିଛି ଶକ୍ତି ସାରା ଦେଶ ଓ ବିଶ୍ବକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି। ଏପରି ଏକ ସମୟରେ ସଂଗୀତ ଓ ଯୋଗ ମଣିଷକୁ ମଣିଷ ସହ ଯୋଡ଼ିବାର ଏକ ବଡ଼ ମାଧ୍ୟମ ସାଜିଛି। ସଂଗୀତରୁ ଶୃଙ୍ଖଳା ଓ ସମର୍ପଣ ଭାବ ଶିଖି ପାରିଲେ, ଯୋଡ଼ି ହେବାର ପ୍ରକ୍ରିୟା ଅଧିକ ସୁଦୃଢ଼ ହେବ। ଉତ୍କଳ କଳାର ମାଟି, ଏହାର ପରମ୍ପରା ଗୌରବମୟ। ତେଣୁ ଏ ମାଟିରେ ଯେ କୌଣସି କାର୍ଯ୍ୟକ୍ରମ ଯୋଡ଼ି ହେବାର ସୁଯୋଗ ସୃଷ୍ଟି କରୁଛି, ତାକୁ କାୟ, ମନ, ବାକ୍ୟରେ ସମର୍ଥନ କରିବା ଉଚିତ ବୋଲି କହିଥିଲେ। ବିଶିଷ୍ଟ ଅତିଥି ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ କହିଲେ ଭାରତର ଶାସ୍ତ୍ରୀୟ ସଂଗୀତ ଏକ ବୃକ୍ଷ ହେଲେ ତା’ର ଚେର ବା ଆଦି ସଂଗୀତ ହେଉଛି ଧ୍ରୁପଦ ଗାୟନ।
ସଂଗୀତ ଓ ଯୋଗ ମଣିଷକୁ ଯୋଡ଼େ: ସୌମ୍ୟ
‘ଭାରତର ଧ୍ରୁପଦ ଗାୟନ ବିଶ୍ବକୁ ଏକ ଶ୍ରେଷ୍ଠ ଦାନ’
‘ପିଢ଼ି ପରେ ପିଢ଼ି ସ୍ଥାନାନ୍ତରଣ ହେଲେ ଧ୍ରୁପଦ ସଂଗୀତ ବଞ୍ଚି ରହିବ’
ପଦ୍ମଶ୍ରୀ ଗୁଣ୍ଡେଚା ବ୍ରଦର୍ସଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’
ଭାରତର ଧ୍ରୁପଦ ଗାୟନ ବିଶ୍ବକୁ ଏକ ଶ୍ରେଷ୍ଠ ଦାନ। ଓଡ଼ିଶାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ଅଧୋପତନ ଘଟୁଥିବା ବେଳେ ବାଗ୍ଦେବୀଙ୍କ କୃପାରୁ ଧ୍ରୁପଦ ସଂଗୀତ ଲୋକଲୋଚନକୁ ଆସିବା ଏକ ଶୁଭ ଲକ୍ଷଣ। ସେହି ସଂଗୀତ ଭିତରେ ସୁଖ, ଦୁଃଖ, ଆନନ୍ଦ ଓ ଈଶ୍ବର ରହିଛନ୍ତି। ତେଣୁ ଏହି ସଂଗୀତକୁ ଭଲ ପାଆନ୍ତୁ, ଶିଖନ୍ତୁ ଏବଂ ଧ୍ରୁପଦ ଗାୟନକୁ ହୃଦୟର ସହ ଗ୍ରହଣ କରନ୍ତୁ ବୋଲି ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପଣ୍ଡିତ ଉମାକାନ୍ତ ଗୁଣ୍ଡେଚା ଧ୍ରୁପଦ ସଂଗୀତ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବା ସହ ପିଢ଼ି ପରେ ପିଢ଼ି ଏହା ସଂଚରିତ ହେଲେ, ଧ୍ରୁପଦ ସଂଗୀତ ବଞ୍ଚି ରହିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଡାକ୍ତର ସରୋଜ ଦାସ କହିଲେ ଈଶ୍ବରଙ୍କ ସହ ନିଜକୁ ସଂଯୋଗ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ଶାସ୍ତ୍ରୀୟ ସଂଗୀତ। ତେଣୁ ଶାସ୍ତ୍ରୀୟ ସଂଗୀତକୁ ପ୍ରୋତ୍ସାହନ ଯୋଗାଇବା ସମସ୍ତଙ୍କ ଗୁରୁଦାୟିତ୍ବ।
ଏହି ଅବସରରେ ମଧ୍ୟପ୍ରଦେଶର ପଦ୍ମଶ୍ରୀ ଗୁଣ୍ଡେଚା ବ୍ରଦର୍ସଙ୍କୁ ଚଳିତବର୍ଷର ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’ ପ୍ରଦାନ କରାଯାଇଥିଲା। ହାଇଦ୍ରାବାଦର ଅର୍ଣ୍ଣବ ଚଘାଣ୍ଟି, ପଞ୍ଜାବର ଶ୍ରେୟାଂଶୀ ପାୱା ଓ ମଧ୍ୟପ୍ରଦେଶର ବିନି ଗୁପ୍ତାଙ୍କୁ ‘ଶିଶୁ ଧ୍ରୁପଦ ଗୀତିକାର ସମ୍ମାନ’ ଏବଂ ଓଡ଼ିଶାର ସୂର୍ଯ୍ୟମଣି ପାଣିଙ୍କୁ ଧ୍ରୁପଦ ମ୍ୟୁଜିକ୍ ଫାଉଣ୍ଡେସନ୍ ବୃତ୍ତି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମେ ଦ୍ବୈତ ଭାବେ ଧ୍ରୁପଦ ଭୋକାଲ୍ ପରିବେଷଣ କରିଥିଲେ କୋଲକାତାର ଅଭିଷେକ ଦତ୍ତ ଓ ଓଡ଼ିଶାର ସୂର୍ଯ୍ୟ ନାରାୟଣ ପାଣି। ଏହାପରେ ପଦ୍ମଶ୍ରୀ ଉମାକାନ୍ତ ଗୁଣ୍ଡେଚା ଓ ଅନନ୍ତ ରମାକାନ୍ତ ଗୁଣ୍ଡେଚା ଧ୍ରୁପଦ ଭୋକାଲ୍ ପରିବେଷଣ କରିଥିଲେ। ପଖଜ ବାଦନ କରିଥିଲେ ଅଖିଳେଶ ଗୁଣ୍ଡେଚା। ଡାକ୍ତର ଶ୍ରେୟା ପାୱା ଓ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।