ମ୍ୟୁଜିକ୍‌ ଭିଡିଓ ବଖାଣିବ ମହିଳାଙ୍କ କଥା

ଭୟହୀନ ହୃଦୟର ନିଆରା କଥା ‘ହୌସ୍‌ଲା ନା ରୁଠେ’

ଚନ୍ଦ୍ରଶେଖରପୁର: ୧୯୯୯ ମସିହାରେ ଘଟିଯାଇଥିବା ପ୍ରଳୟଙ୍କରୀ ମହାବାତ୍ୟା ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିଥିଲା। ଲୋକମାନେ ନିଜ ନିଜର ଭିଟାମାଟି ଛାଡ଼ି ଜୀବିକା ନିର୍ବାହ ପାଇଁ ବାହାରକୁ ପଳାଉଥିବା ବେଳେ କିଛି ମହିଳା କିନ୍ତୁ ଭିଟାମାଟି ଛାଡ଼ି ନଥିଲେ। ମନରେ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଚଣ୍ଡ ଆତ୍ମବିଶ୍ୱାସର ସହିତ ସେମାନେ ଲଢ଼ିଥିଲେ ପ୍ରକୃତି ସହିତ। ଆଉ ଏହି ଲଢ଼େଇରେ ପ୍ରକୃତି ଯେପରି ତାଙ୍କ ସାଥ୍‌ ଦେଇଥିଲା। ନିଷ୍ଫଳା ଭୂମି ହୋଇପଡ଼ିଥିଲା ରତ୍ନଗର୍ଭା। ଆଉ ଶସ୍ୟଶ୍ୟାମଳା ହୋଇଥିଲା ମାଟି ମା’। ଏମିତି କିଛି ମହିଳାଙ୍କ ସଂଘର୍ଷକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ମ୍ୟୁଜିକ୍‌ ଭିଡିଓ ‘ହୌସ୍‌ଲା ନା ରୁଠେ’। କାଲିଫର୍ଣ୍ଣିଆରେ ରହୁଥିବା ଭୋକାଲିଷ୍ଟ୍‍ କୋଣାର୍କ ଷଡ଼ଙ୍ଗୀ ଏହି ମ୍ୟୁଜିକ୍‌ ଭିଡିଓଟିରେ କଣ୍ଠଦାନ କରିବା ସହିତ ପ୍ରଯୋଜନା ମଧ୍ୟ କରିଛନ୍ତି। ଜଣାଶୁଣା ବଲିଉଡ଼୍‍ କଳାକାର ଇଲା ଅରୁଣ ଏହି ଭିଡ଼ିଓରେ ମୁଖ୍ୟ ଭୂମିକା ନିିର୍ବାହ କରୁଛନ୍ତି। ଏହା ସହିତ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା ଏବଂ ଲିପ୍ସା ପଣ୍ଡା ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିିଳିବେ। ବଲିଉଡ୍‍ ସଙ୍ଗୀତକାର ପିଙ୍କି ପୁନାଓ୍ଵାଲା ଏଥିରେ ସଙ୍ଗୀତ ଦେଇଥିବା ବେଳେ ସଞ୍ଜୟ ଡାଜ୍‌ ଏବଂ ଅମ୍ବର ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆଜିର ମଣିଷ ସମାଜ ପାଇଁ ଅଦିନିଆ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପତ୍ତି ପ୍ରମୁଖ ବଇରୀ ସାଜିଥିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିବେ। ଆଉ ମହିଳାମାନେ ମଧ୍ୟ ଏହାର ନେତୃତ୍ୱ ନେଇପାରିବେ ଏପରି କିଛି କଥା ବୟାନ କରିବ ଏହି ମ୍ୟୁଜିକ୍‌ ଭିଡିଓ।

ସମ୍ବନ୍ଧିତ ଖବର