ନମସ୍କାର ଯୋଦ୍ଧା : କରୋନା ସହ ଲଢ଼େଇର ଯୋଦ୍ଧାଙ୍କୁ ରୂପେଲି ପରଦାର ନାୟକନାୟିକା ଗୀତରେ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: କେହି ଜଣେ ବାହାରେ ଅଛି ବୋଲି, ଆଜି ଆମେ ଲକ୍‌ଡାଉନ୍‌ରେ ଘରେ ସୁରକ୍ଷିତ ଅଛେ। ସେ ଡାକ୍ତର ହୁଅନ୍ତି କି ପୁଲିସ। ସରକାରୀ କଳର ଅଧିକାରୀ ହୁଅନ୍ତୁ ଅବା ଝାଡ଼ୁଦାର। ପୁଣି ସମସ୍ତ ଖବରକୁ ତନ୍ନତନ୍ନ କରି ଲୋକଙ୍କ ପାଖରେ ପହଞ୍ଚାଉଥିବା ଗଣମାଧ୍ୟମ। କରୋନା ମହାମାରୀର ବିଭୀଷିକା ମନ‌ରେ ଆତଙ୍କ ସୃଷ୍ଟି କରୁଥିବା ବ‌େଳେ ଘରେ ରହିଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି କୁହାଯାଉଛି। ମାତ୍ର ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପରିବାରଠୁ ଦୂରରେ ରହି ନିଜର କର୍ତ୍ତବ୍ୟ କରୁଛନ୍ତି। କରୋନା ସହ ସାମ୍ନାସାମ୍ନି ମୁକାବିଲା ପାଇଁ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି। ସେଇ ଅସଲ ନାୟକନାୟିକାମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ପାଇଁ ରୂପେଲି ପରଦାର ନାୟକ ନାୟିକାମାନେ ଗୀତରେ ଭେଟି ଦେଇଛନ୍ତି ଏକ ‘ନମସ୍କାର ଯୋଦ୍ଧା’ କାର୍ଯ୍ୟକ୍ରମ।

ଲଳିତେନ୍ଦୁ ଦାଶ ଏହି ଗୀତର ପରିକଳ୍ପନା କରିଥିବା ବେଳେ ରାକେଶ ଦୀକ୍ଷିତ ଏହାର କ୍ରିଏଟିଭ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ଗୀତ, ସଂଗୀତ ସହ କଣ୍ଠଦାନ କରିଛନ୍ତି ଅମରେନ୍ଦ୍ର ମହାନ୍ତି। ହରପ୍ରସାଦ ମହାପାତ୍ର ଓ ଅଭିଜିତ ସିଂ ଏହାର ସଂଯୋଜନା କରିଛନ୍ତି। କ୍ରିଏଟିଭ ମିଡିଆ ପ୍ଲାନର ଭୂମିକା ତୁଲାଇଛନ୍ତି ପ୍ରଣୟ ଜେଠୀ। ଅନୁ ଚୌଧୁରୀ, ସବ୍ୟସାଚୀ, ଶ୍ରୀତମ, ହରି, ଦୀପକ ପରିଡ଼ା, ଦୀପକ ବାରିକ, ଭୂମିକା, ସୁକାନ୍ତ ରଥ, ଅଖିଳ, ଶୁଭାଶିଷ, ସମ୍ବିତ‌, ତମନ୍ନା, ଶୀତଲ ପାତ୍ର, ପୁନମ ମିଶ୍ର, ସୋନା, ରାଗିଣୀ, ସୁପ୍ରିୟା, ରୋଜି, ସ୍ବପ୍ନା ପତି, ଉପାସନା, ବିଦୁସ୍ମିତା, ଦେବଜାନୀ, ବବଲି, ଲକ୍ଷ୍ମୀପ୍ରିୟା, ଛନ୍ଦିତା, ଆମନା, ପ୍ରଣୟ, କଳ୍ପନାଙ୍କ ଅଭିନୀତ ଏହି ପ୍ରେରଣାଦାୟୀ ଭିଡିଓଟି ସଂପ୍ରତି କରୋନା ମୁକାବିଲାରେ ନିୟୋଜିତ ସେଇ ଆଗଧାଡ଼ିର ‌‌ଯୋଦ୍ଧାମାନଙ୍କୁ ସମର୍ପିତ କରାଯାଇଛି।

ସମ୍ବନ୍ଧିତ ଖବର