ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ରକ୍ତର ବିକଳ୍ପ ନାହିଁ। ଜଣେ ସୁସ୍ଥ ବ୍ୟକ୍ତିର ରକ୍ତଦାନରେ ଆଉ ଜଣକୁ ଜୀବନ ମିଳିଯାଏ। ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ମୁଥୁଟ ମାଇକ୍ରୋଫିନ୍‌ ଲିମିଟେଡ୍‌ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଶୈଳଶ୍ରୀ ବିହାରସ୍ଥିତ ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୋଟ ୩୪ ଜଣ ସ୍ୱେଚ୍ଛା ରକ୍ତଦାତା ରକ୍ତଦାନ କରିଥିଲେ। ମୁଥୁଟ୍‌ ମାଇକ୍ରୋଫିନ୍‌ର ଡେପୁଟି ଚିଫ୍‌ ମ୍ୟାନେଜର୍‌ ମନମୋହନ ପିଲାଇ, ରିଜିଓନାଲ ମ୍ୟାନେଜର୍‌ ସୁନୀଲ କୁମାର ଓ ଖୋର୍ଧା ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଦ୍ଵାରିକାନାଥ ଶତପଥୀ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସୁକାନ୍ତ କୁମାର ନାୟକ, ଏମ୍‌. ଭାଗୀରଥି, ବିଶ୍ୱନାଥ ବରାଡ଼, କୀର୍ତ୍ତିଭୂଷଣ ଦାଶ ଓ ସୁଜିତ୍‌ କୁମାର ସାମଲ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ। ଏତଦ୍‌ବ୍ୟତୀତ ମୁଥୁଟ ମାଇକ୍ରୋଫିନ୍‌ର ସମସ୍ତ ସହକର୍ମୀ ମଧ୍ୟ ରକ୍ତଦାନ କରିବା ସହିତ ଶିବିର ପରିଚାଳନାରେ ସହାୟତା କରିଥିଲେ। ଖୋର୍ଧା ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ଶିବିର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର