ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ, ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ନିର୍ଦ୍ଦେଶକ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ଦିବା ୧୧ରୁ ରାତ୍ର ୯ଟା ମଧ୍ୟରେ ଲୋକମାନେ ଏହାର ସୁଯୋଗ ନେଇପାରିବେ।
ଚଳିତ ବର୍ଷ ମୋଟ୍ ୨୭ଟି ଜିଲ୍ଲାର ୩୦୦ରୁ ଊର୍ଦ୍ଧ୍ୱ କାରିଗର ୨୦୦ଟି ଷ୍ଟଲରେ ବ୍ୟବସାୟ କରିବେ। ପ୍ରାୟ ୨ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଚଳିତ ବର୍ଷ ଦୀପାବଳି ପାଇଁ ‘ମୃତ୍ତିକା- ୨୦୨୪’ ଟେରାକୋଟା ପ୍ରଦର୍ଶନୀ ୨୨ ଅକ୍ଟୋବରରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲା। ମାତ୍ର ବାତ୍ୟା ‘ଦାନା’ ପାଇଁ ଏହା ସ୍ଥଗିତ ରଖାଯାଇ ୨୬ରୁ ୩୦ ଅକ୍ଟୋବର ଯାଏ ଆୟୋଜନ କରାଯାଇଛି।
ଦୀପାବଳିରେ ପ୍ଲାଷ୍ଟିକ ବଦଳରେ ମାଟିର ଵାଲ୍ ହ୍ୟାଙ୍ଗିଙ୍ଗ୍
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହାକୁ ଆଖିରେ ରଖି ଏଠାରେ ଛୋଟ ଦୀପରୁ ଆରମ୍ଭ କରି ଗଣେଶ ଦୀପ, ଲଣ୍ଠନ, ଫୁଲ ଦୀପ, କଳସ ଡିଜାଇନ୍ ଦୀପ ଆଦିର ପସରା ମେଲିଛି। ହେଲେ ପ୍ରମୁଖ ଆକର୍ଷଣ ସାଜିଛି ସୋନପୁର କାରିଗରଙ୍କ ମାଟିରେ ନିର୍ମିତ ଵାଲ ହ୍ୟାଙ୍ଗିଙ୍ଗ୍। ଏଥିରେ ବିଭିନ୍ନ ଆକୃତିର ଦୀପ, ଘଣ୍ଟି, ବିଭିନ୍ନ ଜୀବଜନ୍ତୁଙ୍କ ଡିଜାଇନ ରହିଛି। ଏହାର ଦାମ ୮୦ରୁ ଆରମ୍ଭ ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏନେଇ ସୋନପୁରର କାରିଗର ପଞ୍ଚାନନ ରଣାଙ୍କ କହିବା ଅନୁଯାୟୀ ଯଦିଓ ଚଳିତ ବର୍ଷ ବାତ୍ୟା ଯୋଗୁଁ ବ୍ୟବସାୟ କମିବ କିନ୍ତୁ ଆଜି ପ୍ରଥମ ଦିନରେ ଭଲ ବ୍ୟବସାୟ ହୋଇଛି। ରାତି ସୁଦ୍ଧା ୬୦ଟି ଵାଲ ହ୍ୟାଙ୍ଗିଙ୍ଗ୍ ବିକ୍ରି ହୋଇଥିଲା।
କାର୍ଟୁନ ଓ ଜୀବଜନ୍ତୁ ଟେରାକୋଟା ପାଖରେ କୁନି ପିଲାଙ୍କ ଗହଳି
ଢୋଲ ବଜାଉଥିବା କଳାକାର, ସାଧବ ବୋହୂ, କୁନି କୁନି ହାତୀ ଘୋଡ଼ା, ବେଙ୍ଗ, ବଗ ବଗୁଲି, ମୋଟୁ ପତଲୁ, ନଟିଆ ଓ ଗାଣ୍ଡୁ ପରି କାର୍ଟୁନ, ପଶୁପକ୍ଷୀଙ୍କ ଟୋରାକୋଟା କିଣିବାକୁ କୁନି ପିଲାମାନେ ଷ୍ଟଲ୍ ଆଗରେ ଭିଡ଼ ଜମାଉଛନ୍ତି। ଏହାର ଦାମ୍ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି।
ଷ୍ଟଲ୍ରେ ଉତ୍କଳ ଐତିହ୍ୟ ଓ ପରମ୍ପରା
ପ୍ରଦର୍ଶନୀରେ ଆଜିର ପ୍ରମୁଖ ଆକର୍ଷଣ ସାଜିଥିଲା ବିଭାଗ ଦ୍ୱାରା ପରିଚାଳିତ ଗଣ୍ଡମୁଣ୍ଡାସ୍ଥିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ଷ୍ଟଲ। ପ୍ରଭୁଙ୍କର କାଳୀୟ ଦଳନ ବେଶ ଠାରୁ ଆରମ୍ଭ କରି ସୀତା ବନବାସ, ମାତା ଦୁର୍ଗା, ଆଦିବାସୀ ମହିଳା, ପୁରୁଷ, ବୋଇତ, ପାଲିଙ୍କି, ସୋନପୁରର ମାଙ୍କଡ଼, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ବିକ୍ରି ହେଉଥିଲା। ଆକାର ଅନୁସାରେ ଏଗୁଡ଼ିକର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ ହୋଇ ୫୦୦ ପର୍ଯ୍ୟନ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/27/aneNV35uXoVugvLd0vnv.jpg)