ମଟନ ଭାଇନାଙ୍କ ମାଂସ ଝୋଳ

ଆପଣ ମଟନ୍‌ ପ୍ରିୟ କି ? ଯଦି ହଁ, ତେବେ ଦୂରଦର୍ଶନ କେନ୍ଦ୍ର ନିକଟରେ କିଶୋର ଚନ୍ଦ୍ର ସାହୁଙ୍କ ମଟନ ଝୋଳର ନିଆରା ସ୍ୱାଦ ନିଶ୍ଚେ ନେବାକୁ ପଡ଼ିବ। ତାଙ୍କର କୌଣସି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ ନୁହେଁ, କି ବଡ଼ ରେଷ୍ଟୁରାଣ୍ଟ୍‌ ନୁହେଁ। ଚାଳିଆ ତଳେ, ସହରବାସୀଙ୍କୁ ସେ ପରଷୁଛନ୍ତି ଗାଁର ସ୍ୱାଦ। ନାଁ ସିନା କିଶୋର, କିନ୍ତୁ ସମସ୍ତଙ୍କ ଆଗରେ ତାଙ୍କ ପରିଚୟ ମଟନ ଭାଇନା। ଦୂରଦର୍ଶନ କେନ୍ଦ୍ର ପାଖରେ ଏକ ଝୁମ୍ପୁଡ଼ି ତଳେ କାଠ ଚୁଲିରେ ରାନ୍ଧନ୍ତି ଖାସି ମାଂସ। ଅଦା, ରସୁଣ ଓ ପିଆଜର ଛେଚା ମସଲାରେ ପ୍ରସ୍ତୁତ ମାଂସ ଝୋଳର ସ୍ୱାଦ ଅନ୍ୟ ରେଷ୍ଟୁରାଣ୍ଟ୍‌ଠାରୁ ଭିନ୍ନ। ତାଙ୍କ ପରଷିବା ଶୈଳୀ ବି ଟିକେ ଭିନ୍ନ। ଥାଳିରେ ଭାତ ଓ ବେଲାରେ ମାଂସ ବାଢ଼ି ପରଷିବା ବେଳେ ପାଟିରେ ପାଣି ଆସିଯାଏ। ସୋମବାରକୁ ଛାଡ଼ି ଅନ୍ୟ ସବୁ ବାରରେ ତାଙ୍କ ଦୋକାନ ଖୋଲା ରହେ। କିଶୋର କହନ୍ତି ୧୨ଟାରୁ ୨ଟା ସମୟ ମଧ୍ୟରେ ପ୍ରତ୍ୟେକ ଦିନ ତାଙ୍କର ପ୍ରାୟ ୫୦କିଲୋ ମାଂସରୁ ପ୍ରସ୍ତୁତ ମଟନ୍‌ ବିକ୍ରି ହୋଇଯାଏ। ମାଂସ ସହ ଉଷୁନା ଭାତ ଏବଂ ଦହି କାକୁଡ଼ି ସାଲାଡ୍‌ ମିଲ୍‌ର ୧୦୦ଟଙ୍କା ଥିବା ବେଳେ ଫୁଲ୍‌ ପ୍ଲେଟ୍‌ର ଦାମ ୧୫୦ଟଙ୍କା ରହିଛି। କିଶୋରଙ୍କ ମେଳାପି ସ୍ୱଭାବ ସହ ଖାଦ୍ୟର ସ୍ୱାଦ ନିଆରା ଯୋଗୁ ତାଙ୍କ ହୋଟେଲରେ ଏଇ ଦୁଇ ଘଣ୍ଟା ଆମିଷ ପ୍ରିୟ ଲୋକଙ୍କର ପ୍ରବଳ ଭିଡ଼ ଜମେ। କାହିଁ କେତେ ଆଡ଼ୁ ଲୋକଙ୍କର ଏଠାରେ ସମାଗମ ହୁଏ।

ସମ୍ବନ୍ଧିତ ଖବର