ଡ୍ୟୁପ୍ଲେକ୍ସ ଦେବା ନାଁରେ ୪ କୋଟି ଚଳୁ, ଏମ୍‌ଏକ୍ସ ଇନ୍‌ଫ୍ରା ଏମ୍‌ଡି ଗିରଫ

ଭୁବନେଶ୍ବର : ଡ୍ୟୁପ୍ଲେକ୍ସ ବିକିବା ବାହାନାରେ ୧୩ ଜଣଙ୍କଠାରୁ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଭୁବନେଶ୍ବରର ଏମ୍‌ଏକ୍ସ ଇନ୍‌ଫ୍ରା ପରିଚାଳନା ନିର୍ଦ୍ଦେଶକ ମହେଶ୍ବର ସାହୁକୁ ଗିରଫ କରିଛି। ଅଭିଯୁକ୍ତକୁ କଟକସ୍ଥିତ ଅଧିକୃତ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ଅମିୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁରେ ଏକ ମାମଲା ରୁଜୁ ହୋଇଛି। ମହେଶ୍ବର ସହ ଏହି ଠକେଇରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜା ଚାଲିଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ମିଳିଛି।

ଅଭିଯୋଗ ମୁତାବକ, ମହେଶ୍ବର ଏମ୍‌ଏକ୍ସ ଇନ୍‌ଫ୍ରା ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲି ୨୦୧୬ ମସିହାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଉତ୍ତରମୁଣ୍ଡମୁହାଣରେ ଏମ୍‌ଏକ୍ସ ଇନ୍‌ଫ୍ରା ନିୟୁ ସିଟିଜେନ୍‌ ହାଉସିଂ(ଡ୍ୟୁପ୍ଲେକ୍ସ) ପ୍ରୋଜେକ୍ଟ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଥିଲା। ଶସ୍ତାରେ ଘର ଯୋଗାଇ ଦେବାକୁ ସେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ବହୁ ଗ୍ରାହକ ଡ୍ୟୁପ୍ଲେକ୍‌ସ କିଣିବାକୁ ମହେଶ୍ବର ସହ ଯୋଗାଯୋଗ କରିଥିଲେ ଏବଂ ଅମିୟ ପଟ୍ଟନାୟକଙ୍କ ସମେତ ପାଖାପାଖି ୧୩ ଜଣ ଡ୍ୟୁପ୍ଲେକ୍ସ ବୁକ୍‌ କରିଥିଲେ। ଗୋଟିଏ ଡ୍ୟୁପ୍ଲେକ୍ସକୁ ୫୫ ଲକ୍ଷ ଟଙ୍କା ହିସାବରେ ଦର ଛିଡ଼ିଥିଲା। ୨୦୧୭ ମସିହାରେ ଏହି ପ୍ରକଳ୍ପ ଶେଷ କରି ଗ୍ରାହକଙ୍କୁ ଘର ହସ୍ତାନ୍ତର କରିବ ବୋଲି ମହେଶ୍ବର ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ଗ୍ରାହକମାନେ ମୋଟ ୭ କୋଟି ୧୫ ଲକ୍ଷ ଟଙ୍କାରୁ ୪ କୋଟି ଟଙ୍କା ଜମା କରି ସାରିଥିଲେ। ମାତ୍ର ୨୦୧୭ରେ ସରିବାକୁ ଥିବା ପ୍ରକଳ୍ପ ୨୦୨୧ ପର୍ଯ୍ୟନ୍ତ ଶେଷ ହୋଇନଥିଲା। ଏଣୁ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନେ ଟଙ୍କା ଫେରସ୍ତ ପାଇବାକୁ ଦାବି କରିଥିଲେ। କିନ୍ତୁ ମହେଶ୍ବର ଟଙ୍କା ଫେରସ୍ତ ଦେଇନଥିଲା।

ଏ ନେଇ ଅଭିଯୋଗକାରୀ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ବେଳେ ଆଉ ଏକ ବଡ଼ ଠକେଇ ପଦାକୁ ଆସିଥିଲା। ଯେଉଁ ଜମି ଉପରେ ଏହି ଡ୍ୟୁପ୍ଲେକ୍ସ ତିଆରି ହେଉଥିଲା, ସେହି ଜମି ମଧ୍ୟ ବିବାଦୀୟ ଥିବା ଜଣାପଡ଼ିଥିଲା। ବହୁ ପୂର୍ବରୁ ଜମିର ମୂଳ ମାଲିକ ଏହି ଜମିକୁ ବନ୍ଧକ ସୂତ୍ରରେ ରଖି ମୋଟା ଅଙ୍କର ଋଣ ନେଇ ଯାଇଥିଲେ। ମହେଶ୍ବର ସବୁ ଜାଣି ମଧ୍ୟ ଏହି ବନ୍ଧକ ଜମିରେ ପ୍ରକଳ୍ପ ତିଆରି କରି ଗ୍ରାହକଙ୍କୁ ଠକିଥିବା ଇଓଡବ୍ଲ୍ୟୁ ଜାଣି ପାରିଥିଲା।

ସମ୍ବନ୍ଧିତ ଖବର