ଗୁଣାତ୍ମକ ଚଳଚ୍ଚିତ୍ର କରିବା ମୋ ଲକ୍ଷ୍ୟ: ଆକାଶ

ସୁନ୍ଦର ଚେହେରା ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ୍‌ ଜଣାଶୁଣା। ମାଉସୀ ତଥା ପ୍ରଖ୍ୟାତ ଅଭିନେତ୍ରୀ ଅନିତା ଦାସଙ୍କଠାରୁ ଅଭିନୟର କଳା ଏବଂ ବାପା ତଥା ଶ୍ରମିକ ନେତା ମାୟାଧର ନାୟକଙ୍କଠାରୁ ସମାଜସେବା ଭଳି ଗୁଣ ହାସଲ କରି ନିଜ ଚଲାପଥ ନିର୍ଣ୍ଣୟ କରିଛନ୍ତି। ୨୦୦୮ ମସିହାର ପ୍ରଥମ ଚଳଚ୍ଚିତ୍ର ‘କଳିଙ୍ଗ ପୁତ୍ର’ ଜରିଆରେ ସେ ଦର୍ଶକଙ୍କ ମନ ଜିଣି ନେଇଥିବା ‌ବେଳେ ଏହି ଚଳଚ୍ଚିତ୍ର ପାଇଁ ସେ ‘ଶ୍ରେଷ୍ଠ ଅଭିନେତା ସମ୍ମାନ’ ମଧ୍ୟ ଗ୍ରହଣ କରିଛନ୍ତି। ଏହାପରେ ‘ସତ୍ୟମେବ ଜୟତେ’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ରାଜୁ ଆୱାରା’, ‘ହରି ଓମ୍‌ ହରି’, ‘ଶପଥ’, ‘ସଂଗ୍ରାମ’ ଆଦି ସଂଖ୍ୟାଧିକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଅଭିନୟର ବଳିଷ୍ଠତା ପ୍ରମାଣ କରିଛନ୍ତି। ଏଥିସହ ସକ୍ରିୟ ରାଜନୀତିରେ ଯୋଗଦେଇ ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି। ଅଭିନୟ ଓ ସମାଜସେବାକୁ ସମାନ୍ତରାଳ ଭାବେ ଆଗେଇ ନେଉଥିବା ଓଡ଼ିଶାର ଏହି ବ୍ୟକ୍ତିତ୍ବ ଆକାଶ ଦାସନାୟକଙ୍କ ସହ ‘ସମ୍ବାଦ’ ପକ୍ଷରୁ ସସ୍ମିତା ସାହୁଙ୍କ ସାକ୍ଷାତକାର…

ସମାଜସେବାରେ ଅଧିକ ସମୟ ଦେବା ଦ୍ବାରା ଆପଣଙ୍କ ଅଭିନୟ ଜୀବନ ପ୍ରଭାବିତ ହେଉଛି କି?
ଅଭିନୟ ଜଗତରେ ପ୍ରବେଶ ପୂର୍ବରୁ ହିଁ ମୁଁ ସମାଜସେବାରେ ଥିଲି। ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ଲୋକଙ୍କ ପାଖରେ ପହଞ୍ଚିବାର ‌ସୁଯୋଗ ଅଧିକ ମିଳିଛି। ହୋଇପ‌ାରେ ଏଥିପାଇଁ ମୁଁ ଅଭିନୟକୁ ଅଧିକ ସମୟ ଦେଇପାରିନି। କିନ୍ତୁ ମୁଁ ଏବେ ସଂଖ୍ୟା ଅପେକ୍ଷା ଗୁଣାତ୍ମକ ଚଳଚ୍ଚିତ୍ର କରିବା ଉପରେ ଅଧିକ ଦୃଷ୍ଟି ଦେଉଛି। ଭଲ କାହାଣୀ ଓ ଚରିତ୍ର ଥିବା ସିନେମା ଏବେ ଖୋଜୁଛି। ଆସନ୍ତା ସେପ୍ଟେମ୍ବରରେ ମୋର ଚଳଚ୍ଚିତ୍ର ‘ମହାବାହୁ’ ମୁକ୍ତିଲାଭ କରିବାକୁ ଯାଉଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଗରେ ଏବେ କ’ଣ ସବୁ ଆହ୍ବାନ ରହିଛି?
‌କେବଳ ଓଡ଼ିଆ ଚଳଚ୍ଚିତ୍ର ଜଗତ ନୁହେଁ, ସମ୍ପୂର୍ଣ୍ଣ ଓଡ଼ିଆ ମନୋରଞ୍ଜନ ଦୁନିଆ ଏବେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ବର୍ତ୍ତମାନର ପରିବର୍ତ୍ତନଶୀଳ ସମୟରେ ଦର୍ଶକମାନେ ବଡ଼ ପରଦାରୁ ଡିଜିଟାଲ୍‌ ମାଧ୍ୟମକୁ ଲମ୍ବ ଡିଆଁ ମାରିଛନ୍ତି। ଏହି ସମୟରେ ଭଲ କାହାଣୀ ଓ ସିନେମା ହଲ୍‌ର ଅଭାବ ଓଡ଼ିଆ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେବାକୁ ବସିଲାଣି। ସିନେମ‌ା ନିର୍ମାଣ ସମୟରେ ଅଧିକରୁ ଅଧିକ ଗବେଷଣା, ବିଶ୍ଳେଷଣ ଓ ଅନୁଶୀଳନ ହେଲେ ଓଡ଼ିଆ ସିନେମା ପୁଣି ସେ ସ୍ବର୍ଣ୍ଣିମ ସମୟ ଫେରିପାଇବ।

ବଲିଉଡ୍‌ରେ ଚାଲିଥିବା ‘ବୟକଟ୍‌ ଟ୍ରେଣ୍ଡ’କୁ ନେଇ ଆପଣଙ୍କ ମତ କ’ଣ?
ବୟକଟ୍‌ ଟ୍ରେଣ୍ଡ୍‌ ଏକ ସୁସ୍ଥ ପରମ୍ପରା ନୁହେଁ। ବହୁ ଜଣ ଟେକ୍‌ନିସିଆନ୍‌ ଓ କଳାକାର ମାସ ମାସ ଓ ବର୍ଷ ବର୍ଷ ପରିଶ୍ରମ କରି ସିନେମାଟିଏ ପ୍ରସ୍ତୁତ କରନ୍ତି। ବ୍ୟକ୍ତିଗତ ଭାବେ ଜଣକୁ ସିନେମା ଭାଲ ନ ଲାଗିଲେ, ସେ ନ ଦେଖିପାରେ। କିନ୍ତୁ ସାମୂହିକ ଭାବେ ଚଳଚ୍ଚିତ୍ରଟିକୁ ବୟକଟ୍‌ କରିବା ଗ୍ରହଣୀୟ ନୁହେଁ।

‘ମାୟାଦର୍ପଣ’ ଓ ‘ଦ୍ରୌପଦୀ’ ଚଳଚ୍ଚିତ୍ର ଉଭୟ ଓଡ଼ିଆ ଓ ହିନ୍ଦୀରେ ମୁକ୍ତିଲାଭ କରୁଛି। ଏହା ଓଡ଼ିଆ ସିନେମା ପାଇଁ କେତେ ଉପକାରୀ ହେବ?
ଓଡ଼ିଆ ସିନେମାକୁ ଜାତୀୟସ୍ତରରେ ପହଞ୍ଚାଇବାର ବର୍ତ୍ତମାନ ସମୟ ଆସିଛି। ଓଡ଼ିଆ ସିନେମା ଜଗତ ୭୫ବର୍ଷରେ ପଦାର୍ପଣ କରିଛି। ଏହାର ଏକ ସ୍ବର୍ଣ୍ଣିମ ଇତିହାସ ରହିଛି, ସ୍ବର୍ଣ୍ଣିମ ଭବିଷ୍ୟତଟିଏ ବି ରହିଛି। ଏଣୁ ଏବେ ଆମ ମୌଳିକ କାହାଣୀ, ପରମ୍ପରା, ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାର ଆବଶ୍ୟକତା ରହୁଛି। ଏହାଦ୍ବାରା ଦର୍ଶକ ବଢ଼ିବେ ଓ ଇଣ୍ଡଷ୍ଟ୍ରି ଅଧିକ ବଢ଼ିବାର ସୁଯୋଗ ପାଇବ।

ଆକାଶ ଜଣେ ଅଭିନେତା ବା ରାଜନେତା; କେଉଁଟି ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦିଏ?
ଅଭିନେତା ହିସାବରେ ସିନେମା ହଲ୍‌ରେ ଦର୍ଶକଙ୍କ ତାଳି, ଦର୍ଶକୀୟ ଅଦୃତି ଓ ସମୀକ୍ଷା ମୋତେ ଆତ୍ମସନ୍ତୁଷ୍ଟି ଦିଏ। ରାଜନେତା ହିସାବରେ ଯେବେ ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଏ ଓ ସେବା କରିପାରେ; ଏହା ବଦଳରେ ମିଳୁଥିବା ସେମାନଙ୍କ ଛୋଟିଆ ହସଟିଏ ମୋତେ ଗଭୀର ତୃପ୍ତିରେ ଭରିଦିଏ।

ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ବହି ପଢ଼ିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଝରଣା, ପାହାଡ଼, ନଦୀ ଓ ଜଙ୍ଗଲ ଆଦି ବୁଲିବାକୁ ଭଲ ଲାଗେ।

ସମ୍ବନ୍ଧିତ ଖବର