ଭୁବନେଶ୍ବର: କ୍ରୁଟ୍ କିଣିଲା ମୋ ସାଇକେଲ୍। ସ୍ମାର୍ଟ ସିଟିକୁ ପରିଚାଳନା ପାଇଁ ଦେଲା। କିନ୍ତୁ ଏହା କିଭଳି ନିୟମିତ ବ୍ୟବହାର ହେବ ତାହା କେହି ଭାବିଲେନି। ଫଳରେ କିଣାରେ ୫ କୋଟି ଓ ରକ୍ଷଣାବେକ୍ଷଣରେ ୨ କୋଟି, ଏଭଳି ୭ କୋଟି ଟଙ୍କା ବରବାଦ ହୋଇଗଲା। ମୋ ସାଇକେଲ୍ ନାମରେ କ୍ରୁଟ୍ ସ୍ମାର୍ଟ ସିଟିକୁ ଭାଲୁ ଲାଙ୍ଗୁଡ଼ ଧରାଇଛି। ସ୍ମାର୍ଟ ସିଟିର ଅବଧି ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି। କିନ୍ତୁ ଏହାର କଣ ଭବିଷ୍ୟତ ସେ କଥା କେହି ଭାବି ନାହାନ୍ତି। ବ୍ୟବହାର ହେଉ ନଥିବାରୁ ରାସ୍ତା କଡ଼ରେ ଖରା, ବର୍ଷା, ଶୀତରେ ପଡ଼ି ପଡ଼ି କେଉଁଠି ଗଛ ମାଡ଼ିଗଲାଣି ତ କେଉଁଠି ସିଟ୍ ଓ ଚକା ଖୋଲି ନେଲେଣି। ଅଧିକାଂଶ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।
କେତେ ସାଇକେଲ୍ ନଷ୍ଟ ହୋଇଯାଇଛି, କେତେ ମରାମତି ପାଇଁ ଯାଇଛି ତାହାର ମଧ୍ୟ ହିସାବ ନାହିଁ। ‘ମୋ ସାଇକେଲ୍’ ବ୍ୟବହାର କମିବା ସହ ୭ କୋଟି ରାସ୍ତା କଡ଼ରେ ପଡ଼ି ପଡ଼ି ବରବାଦ ହେଉଥିବା ଦେଖି କର୍ପୋରେଟର ନୃପେଶ କୁମାର ନାୟକ ୨୦୨୩ ମସିହା ଜାନୁଆରି ମାସ କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଥିଲେ ଯେ ବର୍ଷ ବର୍ଷ ଧରି ଏ ସବୁ ବ୍ୟବହାର ନ ହୋଇ ରାସ୍ତାକଡ଼ରେ ପଡ଼ି ରହିଛି। ଏହା ଦ୍ବାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବ୍ୟବହାର ନ ହେବାରୁ ଏହା ୭ କୋଟି ବରବାଦ ହେବାକୁ ବସିଛି। ଏଣୁ ବିଏମ୍ସି ଏସବୁ ସାଇକେଲ୍କୁ ବସ୍ତିପିଲା କିମ୍ବା ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦେଉ। ଏହି ପ୍ରସ୍ତାବ କେବଳ ସର୍ବସମ୍ମତିକ୍ରମେ ଗୃହୀତ ହୋଇନଥିଲା ବରଂ ଏହାକୁ ଅଧିକ ଜନାଦୃତ କରିବା ପାଇଁ ବିଏମ୍ସି ଆଉ ୫୦ କିମି ସାଇକେଲ୍ ଟ୍ରାକ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ମାର୍ଟ ସିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କର୍ପୋରେସନର ଏଭଳି ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଥିଲା। ତା ସହିତ ଏହା କିଭଳି ଲୋକପ୍ରିୟ ହେବ ସେ ନେଇ ଏକ ଏସ୍ଓପି ପ୍ରସ୍ତୁତ କରିବାକୁ ଘୋଷଣା କରିଥିଲା। ଏହି ଘୋଷଣାକୁ ବର୍ଷେ ୮ ମାସ ବିତିଗଲାଣି। ହେଲେ ନା ଏସ୍ଓପି ଜାରି ହେଲା ନା ମୋ ସାଇକେଲ୍କୁ ନେଇ କିଛି ନିଷ୍ପତ୍ତି ହେଲା। ବରଂ କର୍ପୋରେସନର ନିଷ୍ପତ୍ତି ଉପରେ ମନ୍ତ୍ରୀ କହିଛନ୍ତି, ସାଇକେଲ୍ଗୁଡ଼ିକୁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବାଣ୍ଟି ଦେବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ।
ମରାମତି ପାଇଁ ଯେତିକି ଯାଇଛି ତାଠୁ ଅଧିକା ପଡ଼ିରହିଛି
କେଉଁଠି ଗଛ ମାଡ଼ିଗଲାଣି, କେଉଁଠି ସିଟ୍, ଚକା ଖୋଲିନେଲେଣି
ଭାଲୁ ଲାଙ୍ଗୁଡ଼ ଧରାଇଛି କ୍ରୁଟ୍
ସୂଚନା ମୁତାବକ, ୨୦୧୮ ମସିହାରେ କ୍ରୁଟ୍ ଆଇବିଆଇ କନ୍ସଲ୍ଟାନ୍ସି ଇଣ୍ଡିଆ ପ୍ରାଃ ଲିଃ ଜରିଆରେ ହିରୋ ୟୋନ ଠାରୁ ୧୦୦୦, ୟୁଲୁ ବାଇକ୍ସ୍ ପ୍ରାଃ ଲିଃ ଓ ଧରଣୀ ଏଣ୍ଟରପ୍ରାଇଜେସ୍ ଠାରୁ ୫୦୦ ଲେଖାଏ, ମୋଟ ୨ହଜାର ସାଇକେଲ୍ କିଣିଥିଲେ। ଗୋଟିଏ ସାଇକେଲ୍କୁ ୨୫ ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରିଥିଲେ। ଉଚ୍ଚା ଦରରେ କିଣା ଯାଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ତା ସହିତ ନିୟମିତ ସାଇକେଲ୍ ଚାଳନା ପାଇଁ ଭୁବନେଶ୍ବରର ଅଧିକାଂଶ ଜାଗାର ଟପୋଗ୍ରାଫି ଆଦୌ ଉପଯୋଗୀ ନୁହେଁ ବୋଲି ଅଭିଯୋଗ ରହିଥିଲା। କିନ୍ତୁ ଏହାକୁ ଅନୁଧ୍ୟାନ ନ କରି କ୍ରୁଟ୍ ‘ପବ୍ଲିକ୍ ସାଇକେଲ୍’ ବ୍ୟବସ୍ଥା ପାଇଁ ଯୋଜନା କରିବା ସହ ୨ ହଜାର ସାଇକେଲ୍ କିଣି ପକାଇଥିଲା। ଉଚ୍ଚା ନିଚ୍ଚା ଜାଗା ଯୋଗୁ ସାଇକେଲ୍ ଚଳାଇବା ସହଜ ନ ହେବାରୁ ଏହାର ଚାହିଦା ରହିଲା ନାହିଁ। କିନ୍ତୁ କର୍ତ୍ତୃପକ୍ଷ ଏହାର କାରଣ ଖୋଜିଲେ ନାହିଁ। ଫଳରେ ଏହା ପଡ଼ି ରହି ଖତ ଖାଇଲା। ଅନ୍ୟପଟେ ୨୦୨୧ ମସିହାରେ ସାଇକେଲ୍ ଯୋଗାଇଥିବା ଏକ ସଂସ୍ଥା କେତେକ ସାଇକେଲ୍ କବାଡ଼ିଆଙ୍କୁ ବିକି ଦେଇଥିଲା। ସେଥିରୁ କେତେ ଫେରାଇଲା ଓ ଏବେ କେତେ ଅଛି ତାହାର ମଧ୍ୟ ହିସାବ ରହିଲା ନାହିଁ। ନିକଟ ଅତୀତରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ‘କିଛି ସାଇକେଲ୍ ମରାମତି ପାଇଁ ଯାଇଛି’ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି। ବାସ୍ତବରେ କେତେ ସାଇକେଲ୍ ବ୍ୟବହାରଯୋଗ୍ୟ ଅଛି ବା କେତେ ମରାମତି ହେବାକୁ ଯାଇଛି ତାହା ମନ୍ତ୍ରୀଙ୍କୁ ଅବଗତ କରାଯାଇ ନାହିଁ। ବାସ୍ତବରେ ୨ ହଜାର ସାଇକେଲ୍ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବ୍ୟବହାରଯୋଗ୍ୟ ନାହିଁ ବୋଲି ଅଭିଯୋଗ ହୋଇଛି।