ଭୁବନେଶ୍ବର: ରାଜଧାନୀ ରାସ୍ତାକଡ଼ରୁ ଉଭାନ୍ ହୋଇଯାଇଛି ‘ମୋ ସାଇକେଲ୍’। ଦୀର୍ଘ ୭ ବର୍ଷ ଧରି ଏଗୁଡ଼ିକ ଅବ୍ୟବହୃତ ହୋଇ ପଡ଼ିରହିବା ପରେ ସେଗୁଡ଼ିକୁ ଉଠାଇ ନିଆଯାଇଛି। ଏହି ସାଇକେଲ୍ ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାଟ୍ଫର୍ମ ଏବେ ବାଇକ୍ ପାର୍କିଂ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି। ଚେନ୍ ତାଲା ପକାଇବା ପାଇଁ ସୁବିଧା ହେଉଥିବାରୁ ଏହା ଏବେ ମାଗଣା ପାର୍କିଂ ସ୍ଥଳ ହୋଇଛି। ଏଗୁଡ଼ିକ ପ୍ରବାସୀ ଭାରତୀୟ ଦିବସ ପାଇଁ ଉଠାଯାଇଥିବା କୁହାଯାଇଛି। ପ୍ରବାସୀ ଭାରତୀୟ ଦିବସକୁ ମାସେ ପୂରି ସାରିଥିଲେ ମଧ୍ୟ ସାଇକେଲ୍ ଆଉ ଷ୍ଟାଣ୍ଡ୍କୁ ଫେରୁନି। ବାସ୍ତବରେ ଏଥିରୁ ଅଧାରୁ ଅଧିକ ସାଇକେଲ୍ ନଷ୍ଟ ହୋଇଯାଇଛି। ଏଣୁ ଏହାକୁ ଏବେ କଣ କରାଯିବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତଥାପି ଖୁବ୍ଶୀଘ୍ର ନୂଆ ରୂପରେ ଥରେ ଫେରାଇ ଆଣିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
ଯେତେବେଳେ ୧୦ ହଜାର ଟଙ୍କାରେ ଭଲ ସାଇକେଲ୍ ମିଳୁଥିଲା, ଭୁବନେଶ୍ବରରେ ଯେଉଁ ସବୁ ମଡେଲ୍ ସାଇକେଲ୍ ଭଲ ଚାଲିଥିଲା, ସେହି ସମୟରେ କ୍ରୁଟ୍ ଗୋଟାକୁ ୨୫ ହଜାର ଟଙ୍କା ଦେଇ ଏହି ‘ମୋ ସାଇକେଲ୍’ କିଣିଥିଲା। ୨ ହଜାର ସାଇକେଲ୍ କିଣିବାକୁ ୫ କୋଟି ଓ ରକ୍ଷଣାବେକ୍ଷଣରେ ୨ କୋଟି, ଏଭଳି ୭ କୋଟି ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ସାଇକେଲ୍ଗୁଡ଼ିକ ଏଭଳି ଡିଜାଇନ୍ର ଥିଲା ଯେ ଯିଏ ଥରେ ଚଲେଇଲା, ଆଉ ଚଲାଇବାକୁ ଇଚ୍ଛା କଲାନି। ବ୍ୟବହାରକାରୀଙ୍କ ଅଭିଯୋଗ ଥିଲା କି ସାଇକେଲ୍ର ସିଟ୍, ହାଣ୍ଡେଲ୍ ଓ ପାଡେଲ୍ରେ ସମସ୍ୟା ରହିଥିଲା। ଭୁବନେଶ୍ବରର ଅଧିକାଂଶ ଅଞ୍ଚଳର ଟପୋଗ୍ରାଫି ସମସ୍ୟା ଯୋଗୁ ସାଇକେଲ୍ ଚଳାଇବା କଷ୍ଟକର ହୋଇଥିଲା। ଅନେକ ସମୟରେ ସଫ୍ଟୱେର ଫେଲ୍ ମାରୁଥିବାରୁ ସାଇକେଲ୍ର ଡିଜିଟାଲ୍ ଲକ୍ ଖୋଲୁନଥିଲା। ଫଳରେ ଏହାର ବ୍ୟବହାର କମିବାରେ ଲାଗିଥିଲା। ଠିକ୍ ସେତିକି ବେଳେ କ୍ରୁଟ୍ ଏହି ପ୍ରକଳ୍ପକୁ ସ୍ମାର୍ଟ ସିଟି ଲିମିଟେଡ୍କୁ ହସ୍ତାନ୍ତର କରିଦେଇଥିଲା। ସେବେଠାରୁ ଏହି ସାଇକେଲ୍ ଆଉ ଚାଲୁନାହିଁ।
ଅର୍ଦ୍ଧାଧିକ ଭାଙ୍ଗିଗଲାଣି
ଖୁବ୍ଶୀଘ୍ର ନୂଆ ରୂପରେ ଆସିବ
ଏଣେ ସ୍ମାର୍ଟ ସିଟିର ଅବଧି ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେବାକୁ ଯାଉଛି। ଏହାର କଣ ଭବିଷ୍ୟତ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ୟବହାର ହେଉ ନଥିବାରୁ ରାସ୍ତା କଡ଼ରେ ଖରା, ବର୍ଷା, ଶୀତରେ ପଡ଼ି ପଡ଼ି କେଉଁଠି ଗଛ ମାଡ଼ିଗଲାଣି ତ କେଉଁଠି ସିଟ୍ ଓ ଚକା ଖୋଲି ନେଇଛନ୍ତି। ଅଧାରୁ ଅଧିକ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ପ୍ରବାସୀ ଭାରତୀୟ ଦିବସ ପାଇଁ ସମସ୍ତ ସାଇକେଲ୍କୁ ଉଠାଇ ନିଆଯାଇଛି। ସେଗୁଡ଼ିକୁ ଯାଞ୍ଚ କଲାବେଳେ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଏବେ ସେଗୁଡ଼ିକୁ କିଭଳି ରାସ୍ତା ଉପରକୁ ଅଣାଯିବ ବା ଏହାର କିଭଳି ଲୋକପ୍ରିୟତା ବଢ଼ିବ, ସେ ନେଇ ମାନସମନ୍ଥନ ଆରମ୍ଭ କରିଛି ବିଏସ୍ସିଏଲ୍। କେବଳ ବିଏସ୍ସି,ଲ୍ ନୁହେଁ, ବରଂ ସରକାରୀସ୍ତରରେ ଏହାକୁ ନେଇ ତନାଘନା ହୋଇଛି। କେବଳ ମୋଟାଅଙ୍କର ଖର୍ଚ୍ଚ ନୁହେଁ, ବରଂ ଏହା ଏକ ସମ୍ମାନର କଥା ହୋଇଥିବାରୁ ସରକାର ମଧ୍ୟ ଏହାକୁ ନୂଆ ରୂପରେ ଆଣିବାକୁ ଯୋଜନା କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରସ୍ତାବ ମାଗିଛନ୍ତି। ବିଭିନ୍ନ ପ୍ରସ୍ତାବକୁ ଏକାଠି କରି ଏକ ନିଷ୍ପତ୍ତି ନେବାପାଇଁ ଯୋଜନା ହୋଇଛି। ଏହି ସାଇକେଲ୍ର ଡିଜାଇନ୍ରେ ସମସ୍ୟା ଥିବାରୁ ଏଗୁଡ଼ିକୁ ବଦଳାଇ ନୂଆ ସାଇକେଲ୍ ଆଣିବା ପାଇଁ ପ୍ରସ୍ତାବ ଆସିଛି। ଯେଉଁଠି ସମତଳ ଭୂମି ଅଧିକ ରହିଛି ସେଠାରେ ଏହାକୁ ଚଳାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଛି। ତେବେ ଏ ଯାବତ୍ କୌଣସି ଠୋସ୍ ନିଷ୍ପତ୍ତି ହୋଇ ନାହିଁ।
ଏଠାରେ ସୂଚାଇ ଦିଆଯାଇପାରେ, କର୍ପୋରେଟର ନୃପେଶ କୁମାର ନାୟକ ୨୦୨୩ ମସିହା ଜାନୁଆରି ମାସ କର୍ପୋରେସନ ବୈଠକରେ ଏହି ସାଇକେଲ୍କୁ ବସ୍ତିପିଲା କିମ୍ବା ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଦେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଅଧିକ ସାଇକେଲ୍ ଟ୍ରାକ୍ ପ୍ରସ୍ତୁତ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ମାର୍ଟ ସିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କର୍ପୋରେସନର ଏଭଳି ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଥିଲା। ତା ସହିତ ଏହା କିଭଳି ଲୋକପ୍ରିୟ ହେବ ସେ ନେଇ ଏକ ଏସ୍ଓପି ପ୍ରସ୍ତୁତ କରିବାକୁ ଘୋଷଣା କରିଥିଲା। ହେଲେ ଏ ଯାବତ୍ କୌଣସି ବ୍ୟବସ୍ଥା ହୋଇପାରିନାହିଁ।