ଭୁବନେଶ୍ୱର: ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ମୋ’ ବସ୍‌ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟୁଛି ଓ ଆକ୍ରୋଶ ବଢ଼ୁଛି। ରାଜଧାନୀ ଭିତରେ ମୋ’ ବସ୍‌ ଦୁର୍ଘଟଣା ଘଟାଇ ଧନଜୀବନ ହାନି କରିବାର ପୂର୍ବରୁ ବହୁ ଉଦାହରଣ ରହିଥିବା ବେଳେ ଗତ ୩ ଦିନ ଭିତରେ ୩ଟି ଦୁର୍ଘଟଣା ଘଟାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏ ସଂପର୍କରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟାରେ ରମାଦେବୀ ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସର୍‌ ବିଶ୍ବବିଦ୍ୟାଳୟକୁ ଯାଉଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ମୋ’ ବସ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏଥିରେ ତାଙ୍କ ଗାଡ଼ିଟି କ୍ଷତିଗ୍ରସ୍ତ ହେବା ସହ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏ ସଂପର୍କରେ ସେ ଖାରବେଳନଗର ଥାନାରେ ଅଭି‌ଯୋଗ କରିଛନ୍ତି। ସେହିଭଳି ଗତକାଲି ଖଣ୍ଡଗିରି ଥାନା ଫାୟାର୍‌ ଷ୍ଟେସନ୍‌ ଛକ ନିକଟରେ ଅପରାହ୍‌ଣ ୩ଟା ବେଳକୁ ଏକ ଇ- ମୋ’ ବସ୍‌ ଏକ କାର୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଆଗରେ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଅଟୋଟିର ସାମାନ୍ୟ କ୍ଷତି ହୋଇଥିବା ବେଳେ କାର୍‌ର ବ୍ୟାପକ କ୍ଷତି ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତ‌େଜନା ପ୍ରକାଶ ପାଇବା ସହ ରାସ୍ତା ଜାମ୍‌ ହୋଇଯାଇଥିଲା। ତେବେ ପୁଲିସର ହସ୍ତକ୍ଷେପ ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ସେହିପରି ଗତ ୬ ତାରିଖ ଦିନ ଏଜି ଛକରେ କ୍ୟାପିଟାଲ ହସ୍ପିଟାଲରୁ ଫେରୁଥିବା ଜଣେ ପୁଲିସ ମହିଳା କର୍ମଚାରୀଙ୍କ ଗାଡ଼ିକୁ ମୋ’ ବସ୍‌ ଧକ୍କା ଦେଇଥିଲା। ଏହାକୁ ନେଇ ସେଠାରେ ଉତ୍ତ‌େଜନା ପ୍ରକାଶ ପାଇଥିଲା। ସାଦା ପୋଷାକରେ ଥିବା ମହିଳା ପୁଲିସ କର୍ମଚାରୀଜଣଙ୍କ ମୋ’ ବସ୍‌ ଡ୍ରାଇଭରଙ୍କୁ ରାସ୍ତା ଉପରେ ମାଡ଼ ମାରିଥିଲେ। ପରେ ଏ ସଂପର୍କରେ କ୍ୟାପିଟାଲ ଥାନାର ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୬ ବର୍ଷ ମଧ୍ୟରେ ମୋ’ ବସ୍‌ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୋ’ ବସ୍‌ ଦ୍ବାରା ଦୁର୍ଘଟଣା ବଢ଼ୁଥିବା‌ରୁ ଚାଳକମାନଙ୍କ ଦକ୍ଷତା ନେଇ ସାଧାରଣରେ ସନ୍ଦେହ ବୃଦ୍ଧି ପାଉଛି। ଲୋକଙ୍କ କହିବା କଥା, ଅଧିକାଂଶ ମୋ’ ବସ୍‌ ସହର ଭିତରେ ଯାତାୟାତ କରୁଛି। ତେଣୁ ଚାଳକ ସତର୍କତାର ସହ ଗାଡ଼ି ଚଳାଇବା କଥା। କିନ୍ତୁ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ ସେମାନେ ଦ୍ରୁତ ଗତିରେ ବସ୍‌ ଚଳାଉଛନ୍ତି ଓ ଏହା ହିଁ ଦୁର୍ଘଟଣାର ମୁଖ୍ୟ କାରଣ। ତେଣୁ ‘କ୍ରୁଟ୍‌’ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।