ଅଭୁଲା ଚଗଲା ଦିନ : ଆଖୁ ଚୋରି କରି ସାର୍‌ଙ୍କଠୁ ମାଡ଼ ଖାଇଥିଲି

ମୁଁ ଆନନ୍ଦପୁରର ବଳଭଦ୍ର ନାରାୟଣ ହାଇସ୍କୁଲରେ ପଢୁଥାଏ। ସେତେବେଳେ ସ୍କୁଲପାଖ ବିଲଗୁଡ଼ିକରେ ଆଖୁ ଲାଗିଥାଏ। ଛୋଟବେଳେ ସାଙ୍ଗମାନଙ୍କ ସହ ଚୋରି କରି ଆଖୁ ଖାଇବା ଗୋଟେ ସଉକ ଥିଲା। ଆମେ କିଛି ସାଙ୍ଗ ମିଶି ସବୁଦିନେ କ୍ଲାସ୍‌ର କିଛି ପିରିୟଡ ମିସ୍‌ କରି ସାଇକେଲ ଧରି ଆଖୁ କିଆରିକୁ ଯାଉ ଓ ଆଖୁ ଚୋରି କରି ଖାଇଥାଉ। ଏମିତି ସବୁ ଦିନ କରୁ। ଦିନେ ହଠାତ୍‌ ସ୍କୁଲ ସାର୍‌ଙ୍କ ହାତରେ ଧରା ପଡ଼ିଯାଇଥିଲୁ । ବହୁତ ଗାଳି ମାଡ଼ ବି ଖାଇଥିଲୁ। ଆଜି ମୁଁ ହିରୋ ହେଇଗଲିଣି ଓ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କଲିଣି। କିନ୍ତୁ ଯେଉଁଠି ସାଙ୍ଗମାନଙ୍କ ସହିତ ଦେଖା ହୋଇଯାଏ କିମ୍ବା ସବୁ ସାଙ୍ଗ ଏକାଠି ଖଟିକରୁ ସେତେବେଳେ ଏହି ଦିନଗୁଡ଼ିିକୁ ମନେପକାଇ ବହୁତ ହସୁ। କିନ୍ତୁ ବେଳେବେଳେ ଏଇ କଥା ଭାବିବା ମାତ୍ରେ ଭାରି ଲାଜ ଲାଗେ। ମୁଁ ଅନେକ ଦିନ ପରେ ଗାଁକୁ ଯିବାରୁ ଆମକୁ ମାଡ଼ ଦେଇଥିବା ସାର୍‌ ଦେଖା ହୋଇ ମୋ’ର ସେଇ ଦୁଷ୍ଟାମୀ ଦିନଗୁଡ଼ିକୁ ମନେ ପକାଇ ଦେଇଥିଲେ। ଛୋଟବେଳେ ଆଖୁ ଚୋରି ପାଇଁ ମାଡ଼ ଦେଇଥିବା ସାର୍‌ ମତେ ହିରୋ ହେବା ଦେଖିବା ପରେ ଆଶୀର୍ବାଦ ଦେଇଥିଲେ। ସାର୍‌ଙ୍କ ଗାଳି ଓ ଆଶୀର୍ବାଦ କେବେ ବି ଭୁଲି ହେବନି ବୋଲି କହିଛନ୍ତି ଓଲିଉଡ୍‌ ଅଭିନେତା ଦେବାଶିଷ।

ସମ୍ବନ୍ଧିତ ଖବର