‘ମାଇଁ ଡ୍ରିମ୍ ଓୟୁଏଟି’ ପୁସ୍ତକ ଲୋକାର୍ପିତ : ‘ରାଜ୍ୟରେ କୃଷି ଅବହେଳିତ’

ଭୁବନେଶ୍ବର : ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ରଚିତ ପୁସ୍ତକ ‘ମାଇଁ ଡ୍ରିମ୍ ଓୟୁଏଟି: ଟ୍ରାନ୍‌ସଫର୍ମେସନ୍ ଟୁୱାର୍ଡସ ଏ ମଡର୍ଣ୍ଣ ଏଗ୍ରିକଲଚରାଲ ୟୁନିଭରସିଟି ଇନ୍ ଇଣ୍ଡିଆ’ ଆଜି ହୋଟେଲ ଏମ୍ପାୟର୍ସରେ ଲୋକାର୍ପିତ ହୋଇଯାଇଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଜଷ୍ଟିସ୍ ପଟ୍ଟନାୟକ କହିଲେ, ୬୦ ଦଶକରେ ଭାରତ କୃଷି ଉତ୍ପାଦନରେ ଅତ୍ମନିର୍ଭରଶୀଳ ନ ଥିଲା। ଲୋକସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ଖାଦ୍ୟ ଯୋଗାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ସେ ସମୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବଢ଼ାଇବା ଏକମାତ୍ର ଲକ୍ଷ୍ୟ ଥିଲା। ତେଣୁ ଦେଶର ବିଭିନ୍ନ ସ୍ଥାନରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ଧାନ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା ଉପରେ ଜୋର୍‌ ଦିଆଯାଇଥିଲା। ପରବର୍ତୀ ସମୟରେ ଦେଶରେ କୃଷି ଉତ୍ପାଦନ ବଢ଼ିବା ସହ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଥିଲା। କିନ୍ତୁ ନବେ ଦଶକରେ ଉଦାରୀକରଣ ଆରମ୍ଭ ହେବା ପରେ ଶିଳ୍ପକୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଶିଳ୍ପକୁ ଏପରି ଗୁରୁତ୍ବ ଦିଆଗଲା ଯେ କୃଷିକୁ ସଂପୂର୍ଣ୍ଣ ଭାବେ ଅବହେଳା କରାଗଲା। ଫଳରେ କୃଷି ଉପରେ ନିର୍ଭରଶୀଳ ଥିବା କୃଷକ ଓ ସେମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ପଛେଇଗଲେ। ଚାଷୀ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇଲା ନାହିଁ ଓ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଲା।

ଆଜିର ସମୟରେ କୃଷକର ଆୟ କିଭଳି ଦୁଇଗୁଣ କରାଯିବ, ସେଥିପାଇଁ ସବୁ ରାଜନୈତିକ ଦଳ ଚିନ୍ତିତ। ଚଳିତ ନିର୍ବାଚନ ସମୟରେ ମଧ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଏହାକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଥିଲା। ତେଣୁ କୃଷକର ଆୟ କିଭଳି ବଢ଼ିବ, ତାହାକୁ ସମସ୍ତେ ଗୁରୁତ୍ବ ଦେବା ଜରୁରୀ। ଓଡ଼ିଶା ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ କୃଷି ଆଜି ବି ରାଜ୍ୟରେ ଅବହେଳିତ ହୋଇରହିଛି। କୃଷି ‌‌ବୈଜ୍ଞାନିକମାନେ ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଓପିଏସ୍‌ସିର ଅଧ୍ୟକ୍ଷ ବ୍ରିଗେଡିୟର ଏଲ.ସି ପଟ୍ଟନାୟକ କହିଲେ, ଦେଶବ୍ୟାପୀ କୃଷକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପୁସ୍ତକରେ କୃଷକମାନଙ୍କ ପ୍ରମୁଖ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଇଛି। ତାଲିମ୍ ଜରିଆରେ କୃଷକମାନଙ୍କୁ ସଶକ୍ତ କରିବା ସହ ଅପପୁଷ୍ଟି ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି। ଚାଉଳର ବଜାର ଶୃଙ୍ଖଳା ବା ଭ୍ୟାଲୁ ଚେନ୍‌କୁ ଲେଖକ ବିଶ୍ଲେଷଣ କରିବା ସହିତ ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରାଯାଇପାରିବ, ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ପୁସ୍ତକର ଲେଖକ ଶ୍ରୀ ପଟ୍ଟନାୟକ କହିଲେ, ଓୟୁଏଟିକୁ କିଭଳି ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ‌ରେ ପରିଣତ କରାଯିବ, ସେ ସଂପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି। କୃଷିର ଶିକ୍ଷା, ସଂପ୍ରସାରଣ ଓ ଗବେଷଣାର ମାନ ପରିବର୍ତନ ସହ ମାନବ ସମ୍ବଳ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ, ଓୟୁଏଟିର ପ୍ରଫେସର୍‌ ଏ.କେ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସୁସ୍ମିତା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନା ଓ ସୁବ୍ରତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର