ଭୁବନେଶ୍ବର: ‘ମୋ ବାପା ଡିସିପି, ଦେହରେ ହାତ ମାରେନି। ବାପାକୁ କହି ତୋ ଚାକିରି ଖାଇଦେବି...।’ ଏଭଳି ଧମକ ଦେଇଛନ୍ତି ଜଣେ ପୁଲିସ୍ ଅଧିକାରୀଙ୍କ ପୁଅ। ସେ ହେଲା ଆଶିଷ କୁମାର ସେଠୀ। କ୍ରାଇମ୍ ଡିସିପି ମାୟାଧର ସେଠୀଙ୍କ ପୁଅ ବୋଲି ପରିଚୟ ଦେଇ ଆଶିଷ ରବିବାର ଦିନ ଇନ୍ଫୋସିଟି ଥାନାରେ ଉତ୍ପାତ କରିବା ସହ ପୁଲିସ କର୍ମଚାରୀଙ୍କୁ ଧମକାଇଥିଲା।
ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟା ବେଳେ ଇନ୍ଫୋସିଟି ଥାନା ପୁଲିସ ୫ରୁ ୧୦ଟି ବାଇକ୍ରେ ବାହାରି ବିଭିନ୍ନ ସମ୍ବେଦନଶୀଳ ଜାଗାରେ ପଇଁତରା ମାରୁଥିଲା। ପ୍ରଥମେ ଶିଖରଚଣ୍ଡୀ ପାହାଡ଼ରେ କିଛି ଅସମାଜିକଙ୍କ ଆଡ଼ାରେ ଚଢ଼ଉ କରିଥିଲା। ସେଠାରେ କିଛି ଯୁବକ ମଦ୍ୟପାନ କରୁଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରିଥିଲା। ଏହା ପରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଲ’ କଲେଜ୍ ପଡ଼ିଆରେ କିଛି ମଦ୍ୟପଙ୍କ ଖଟି ଜମିଥିବା ଖବର ପାଇ ସେଠାରେ ପହଞ୍ଚିଥିଲା। ପ୍ରାୟ ୧୦ଜଣ ଯୁବକ ବାଇକ୍ ଓ କାର୍ ଲଗାଇ ମଦର ଆସର ଜମାଇଥିଲେ।
ସମସ୍ତଙ୍କୁ ଖଟିରୁ ବିଦା କରି ଜରିମାନା ଆଦାୟ କରିବା ବେଳକୁ ନିଜକୁ ଡିସିପିଙ୍କ ପୁଅ ବୋଲି ପରିଚୟ ଦେଇ ଆଶିଷ ସେଠାରୁ ଚାଲିଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ୍ କର୍ମଚାରୀମାନେ ତାକୁ ତାଗିଦ୍ କରିବାରୁ ସେ ଓଲଟି ଧମକ ଦେଇଥିଲା। ତେଣୁ ପୁଲିସ ତାକୁ ଥାନାକୁ ନେଇଯାଇଥିଲା। ମାତ୍ର ଶାନ୍ତ ପଡ଼ିବା ପରିବେର୍ତ୍ତ ଆଶିଷ ଥାନା ଭିତରେ ଆହୁରି ଉତ୍ପାତ କରିଥିଲା। ବାପାକୁ ଫୋନ୍ କରି ଚାକିରି ନେଇଯିବ ବୋଲି କହିବା ସହ ଗାଳିଗୁଲଜ କରିଥିଲା। ଖବର ପାଇ ଆଇଆଇସି ସମିତା ମିଶ୍ର ଥାନାରେ ପହଞ୍ଚି ୫ଶହ ଟଙ୍କା ଜରିମାନା ଆଦାୟ କରି ଘଟଣା ଆଉ ଆଗକୁ ନ ବଢ଼ାଇବାକୁ କହିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ପରେ ପୁଲିସ ଆଶିଷ ସମେତ ୫ଜଣଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦେଇଥିବା ଜଣାପଡ଼ିଛି।
ଥାନାର ଜଣେ ପୁଲିସ କର୍ମଚାରୀଙ୍କ କହିବାନୁଯାୟୀ, ଆଶିଷ ଯିବା ପରେ ଡିସିପି ମାୟାଧର ସେଠୀ ଥାନାରେ ପହଞ୍ଚି ଥାନା କର୍ମଚାରୀଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ। ଅଯଥା ବିବାଦ ନ ବଢ଼ାଇବାକୁ ସେ ଚେତାବନୀ ଦେଇ ଚାଲିଯାଇଥିଲେ।
ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଗତ ୨ତାରିଖରୁ ରାଜଧାନୀରେ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନା ଅଞ୍ଚଳରେ କଡ଼ାକଡ଼ି ପାଟ୍ରୋଲିଂ ଆରମ୍ଭ କରାଯାଇଥିଲା। ସଞ୍ଜ ନଇଁଲେ ଛକ, ବଜାରଠୁ ଆରମ୍ଭ କରି ଖଟି, ପଡ଼ିଆ ଆଦି ପ୍ରମୁଖ ସ୍ଥାନରେ ଅତର୍କିତ ଚଢ଼ଉ କରି ସେସବୁ ବନ୍ଦ କରାଯାଇଥିଲା। ଏହାସହ ଖୋଲାରେ ନିଶା ଖାଉଥିବା ଗୋଷ୍ଠୀଙ୍କୁ ଧରି ଜରିମାନା ଆଦାୟ କରିବା ସହ ସନ୍ଦିଗ୍ଧ ଗାଡ଼ିଗୁଡ଼ିକ ଅଟକ ରଖି ଥାନାକୁ ନିଆଯାଉଥିଲା।