୬ ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଜେଇଇ ଆଡଭାନ୍ସଡ୍ରେ ଓଡ଼ିଶା ଟପର୍ ହୋଇଛନ୍ତି ସାର୍ଥକ ବେହେରା। ଖଡ଼ଗପୁର ଜୋନ୍ରେ ସେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ସହ ସର୍ବଭାରତୀୟ ସ୍ତରରେ ୮୨ତମ ସ୍ଥାନରେ ରହିଛନ୍ତି। ଭୁବନେଶ୍ୱରରେ ସରକାରୀ ଚାକିରି କରିଥିବା ଗୋପାଳ ବେହେରା ଓ ସସ୍ମିତା ବେହେରାଙ୍କ ପୁଅ ସାର୍ଥକ ଭବିଷ୍ୟତରେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ଜେଇଇ ଆଡଭାନ୍ସଡ୍ ପାଇଁ କିଭଳି ଥିଲା ଆପଣଙ୍କ ପ୍ରସ୍ତୁତି?
ସ୍କୁଲ ପାଠପଢ଼ା ସାଙ୍ଗକୁ ନିୟମିତ କୋଚିଂ ପାଇଁ ଏଭଳି ସଫଳତା ମିଳିଛି। ୟୁନିଟ୍-୩ରେ ଥିବା ଏମ୍ବିଏସ୍ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଠପଢ଼ା ଶୈଳୀ ବେଶ୍ ଉଚ୍ଚକୋଟୀର ଥିଲା। ଯେଉଁଥିପାଇଁ ଦ୍ୱାଦଶ ଶ୍ରେଣୀରେ ୯୩% ନମ୍ବର ରଖିଛି। ଏଥିସହ ‘ଫିଡ୍ଜୀ’ କୋଚିଂ ସେଣ୍ଟର ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ ବେଶ୍ ଉଚ୍ଚକୋଟୀର ଥିଲା। ସେଠାରେ ସପ୍ତାହକୁ ୩ ଦିନ ୬ ଘଣ୍ଟା ଲେଖାଏ କ୍ଲାସ ହେଉଥିଲା। ସେମାନଙ୍କ ପ୍ରେରଣା ଓ ସମୟାନୁଯୋଗୀ ଶିକ୍ଷାଦାନ ଯୋଗୁଁ ଆଜି ଏଭଳି ର୍ୟାଙ୍କ ମିଳିଛି।
ଭାବିଥିଲେ ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସିବେ ବୋଲି?
ଜେଇଇ ମେନ୍ରେ ୨୯ତମ ର୍ୟାଙ୍କ ମିଳିଥିଲା। ତେଣୁ ଆଶା ଥିଲା ଦେଶର ଶ୍ରେଷ୍ଠ ୫୦ ମଧ୍ୟରେ ଆସିବି। କିନ୍ତୁ ସେଭଳି ହେଲା ନାହିଁ। ତଥାପି ଶ୍ରେଷ୍ଠ ଶହେ ମଧ୍ୟରେ ରହିଥିବାରୁ ଖୁସି ଲାଗୁଛି। ଜେଇଇ ଆଡଭାନ୍ସଡ୍ରେ ରସାୟନ ବିଜ୍ଞାନରେ ପ୍ରଶ୍ନପତ୍ର ଟିକିଏ କଷ୍ଟକର ଥିଲା। ପଦାର୍ଥ ବିଜ୍ଞାନ ଓ ଗଣିତରେ ଭଲ ପ୍ରଶ୍ନ ଆସିଥିଲା।
କେଉଁଠି ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି?
ଆଇଆଇଟି ବମ୍ବେ କିମ୍ବା ଦିଲ୍ଲୀରେ ପଢ଼ିବାକୁ ଲକ୍ଷ୍ୟ ରଖିଛି। ଭବିଷ୍ୟତରେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ହେବାକୁ ମୋର ଇଚ୍ଛା। ସେଥିପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରୁଛି। ଖେଳ ପ୍ରତି ଆଗ୍ରହ ରହିଥିବାରୁ ଗେମ୍ସରେ କିଛି କରିବାକୁ ଚାହୁଁଛି।
ଭୁବନେଶ୍ୱର ଆଇଆଇଟିରେ କାହିଁକି ପଢ଼ିବେନି?
ଏଠାରେ କମ୍ପ୍ୟୁଟର ସାଇନ୍ସ ବିଷୟ ନ ଥିବାରୁ ପଢ଼ିବିନି। ବମ୍ବେ କିମ୍ବା ଦିଲ୍ଲୀ ଯେଉଁଠି ହେବ, ସେଠାରେ ନାଁ ଲେଖାଇବି।
ଜେଇଇ ଆଡଭାନ୍ସଡ୍ ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ କ’ଣ କହିବେ?
ଦଶମ ପରୀକ୍ଷା ପରେ ପ୍ରକୃତ କ୍ୟାରିଅର ଆରମ୍ଭ ହେଉଛି। ସେମାନେ କଠିନ ପରିଶ୍ରମ କରନ୍ତୁ। ସବୁ ବିଷୟକୁ ମନଧ୍ୟାନ ଦେଇ ପଢ଼ନ୍ତୁ। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ବହୁତ କିଛି ମନେ ରହିବ। ତେଣୁ ଏବେ ନିଜକୁ ଯେମିତି ପ୍ରସ୍ତୁତ କରିବେ,ଭବିଷ୍ୟତରେ ସେଭଳି ଫଳ ପାଇବେ।