ମୋ ପୁଅର ଦାମ ୧୦ ହଜାର ନୁହେଁ ‌

ଭୁବନେଶ୍ୱର: ଚାରିଶହ ନେ, ତୋ ପୁଅକୁ ଦେ। ନା, ଦେବିନି। ଦଶହଜାର ଦେବି, ଦବୁ। ନା, ମୋ ପୁଅର ଦାମ ୧୦ ହଜାର ନୁହେଁ। କହିବ ଯଦି ମାଗଣାରେ ଦେଇଦେବି, ପଇସାଟେ ନେବିନି। ହେଲେ ତମେ ଯେ ମୋ ପୁଅକୁ ଭଲରେ ରଖିବ ତା’ର କି ଭରସା ଅଛି? ରସୁଲଗଡ଼ ଓଭରବ୍ରିଜ୍‌ ତଳେ ସ୍ପଷ୍ଟ ଦିବାଲୋକରେ ଜଣେ ମା’ ଏବଂ ଜଣେ ଯୁବକଙ୍କ ମଧ୍ୟରେ ଚାଲିଥିଲା ଏଇ ମୂଲଚାଲ। ଯୋଗକୁ ଏ ସମୟରେ ଜଣେ ଯୁବକ ଏହା ଦେଖି ଓଡ଼ିଶା ପତିତା ଉଦ୍ଧାର ସମିତିକୁ ଯୋଗାଯୋଗ କରିବାରୁ ବିଚରା ମା’ କୋଳରେ ପିଲାଟି ସୁରକ୍ଷିତ ରହିଯାଇଥିଲା। ମହିଳା ଜଣକ ମୋନି ରାୟ ବୋଲି ଜଣାପଡ଼ିଛି। ଘର କୋଲକାତାରେ। ଆଜକୁ ୨ ବର୍ଷ ତଳେ ଟ୍ରାକ୍ଟର୍‌ ଡ୍ରାଇଭର୍‌ ଭାବେ କାମ କରୁଥିବା ତାଙ୍କ ସ୍ବାମୀ ତୋତାରାମ ରାୟଙ୍କର ମୃତ୍ୟୁ ହୋଇଥିଲା। ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେ ମୃତ୍ୟୁବରଣ କରିବା ପରେ ମୋନି ସେଠାରେ ରହି ହୋଟେଲ୍‌ରେ ବାସନ ମାଜି ନିଜ ୨ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ି ଦେଉଥିଲେ। ମାସକ ତଳେ ସେ ଟ୍ରେନ୍‌ରେ ଓଡ଼ିଶା ଚାଲିଆସିଲେ। ଟ୍ରେନ୍‌ରୁ ଓହ୍ଲାଇ ଏଣେତେଣେ ବୁଲୁଥିବା ବେଳେ ପୁଲିସ୍‌ ତାଙ୍କୁ ନେଇ ଏକ ଆଶ୍ରୟସ୍ଥଳୀରେ ଛାଡ଼ିଥିଲେ। ହେଲେ ମୋନିଙ୍କ କହିବା ମୁତାବକ, ୨ ପିଲାଙ୍କ ସହ ଆଶ୍ରୟସ୍ଥଳୀରେ ରହି ହେବନାହିଁ ବୋଲି ଆଶ୍ରୟସ୍ଥଳର କର୍ମକର୍ତା ତାଙ୍କୁ କହିଥିଲେ। ଫଳରେ ସେ ବାହାରେ ରହି ଏକ ହୋଟେଲ୍‌ରେ ବାସନ ମାଜି ଚଳୁଥିଲେ। ଦରମା ବଦଳରେ ତାଙ୍କୁ ଏବଂ ତାଙ୍କର ଦୁଇ ପିଲାଙ୍କୁ କେବଳ ଖାଦ୍ୟ ହିଁ ମିଳୁଥିଲା। ସବୁ ପରେ ବି ପିଲା ଟିକେ ବଡ଼ ହୋଇଗଲେ ସେ ଭଲ ରୋଜଗାର କରି ଏଇଠାରେ ରହିବ ବୋଲି ସ୍ଥିର କରି ନେଇଥିଲା। ମାତ୍ର ଆଜି ତାଙ୍କ ସହ ତାଙ୍କ ପୁଅକୁ ନେଇ ମୂଲଚାଲ ପରେ ମୋନି ଏକଦମ ଡରି ଯାଇଛନ୍ତି। କୋଲକାତାରେ ଶାଶୂଘର ଲୋକ ଆଦରିଲେ ନାହିଁ ବୋଲି ଓଡ଼ିଶା ଚାଲି ଆସିଥିଲେ। କିନ୍ତୁ ଏଠି ବି ଶେଷରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା।
ଆଜି ଓଭରବ୍ରିଜ୍‌ ତଳେ ଛିଡ଼ା ହୋଇଥିବା ବେଳେ ମୋନିଙ୍କ କୋଳରେ ଥିଲା ବର୍ଷେ ୩ ମାସର ପୁଅ ଗୌତମ। ସାଙ୍ଗରେ ଥିଲା ୫ ବର୍ଷର ଝିଅ ପଲ୍ଲବୀ। ତେବେ ମୂଲ କରିଥିବା ଯୁବକ ପୁଅକୁ ନେବା ପାଇଁ କଳେବ‌େଳ ଚେଷ୍ଟା କରିଥିଲେ ହେ‌ଁ ‌ସଫଳ ହୋଇପାରି ନଥିଲେ। ସୌଭାଗ୍ୟବଶତଃ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ‌େଚୗଧୁରୀ ଖବର ପାଇବା ପରେ ସ୍ବେଚ୍ଛାସେବୀ ମାତୃମୟୀ ଓ ଲୋପାଙ୍କ ସହାୟତାରେ ମହିଳାଙ୍କୁ ଉଦ୍ଧାର କରି ଗଙ୍ଗନଗରସ୍ଥିତ ସହର ଆଶ୍ରୟସ୍ଥଳୀକୁ ଆଣିଥିଲେ। କୋଲକାତାର ବାସିନ୍ଦା ହୋଇଥିବାରୁ ସେ କେଉଁ ଆଶ୍ରୟସ୍ଥଳୀରେ ରହିଥିଲେ ଏବଂ କେଉଁ ହୋଟେଲ୍‌ରେ କାମ କରୁଥିଲେ, ଠିକ୍ ଭାବେ କହିପାରିନାହାନ୍ତି। ଏନେଇ ମୋନିଙ୍କ ମତାମତ ଲୋଡ଼ାଯିବାରୁ ସେ କହିଛନ୍ତି, ମୁଁ ଆଉ କୋଲକାତା ଫେରିବି ନାହିଁ। ଏଠି କାମ କରି ମୋ ପିଲାଙ୍କୁ ପଢ଼ାଇବି।

ସମ୍ବନ୍ଧିତ ଖବର