ଭୁବ‌ନେଶ୍ବର : ଗୋଟିଏ ପଟେ କମିସନରେଟ ପୁଲିସ ଅଗଷ୍ଟ ମାସରେ ରାଜଧାନୀରେ ଘଟିଥିବା ବିଭିନ୍ନ ଅପରାଧର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି ବୋଲି ଦାବି କରୁଛି। କିନ୍ତୁ ଅନ୍ୟପଟେ ରାଜଧାନୀରେ ଗତ ଦେଢ଼ ମାସ ମଧ୍ୟରେ ଘଟିଥିବା ୩ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏହା କମିସନରେଟ୍ ପୁଲିସର ବିଫଳତାକୁ ପଦାରେ ପକାଇଛି। ସାଇ ମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣା ଓ କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କୁ ହତ୍ୟା କରି ପୋତି ଦେବା ଘଟଣାରେ ହତ୍ୟାକାରୀଙ୍କୁ ଧରିବା ଦୂରେ ଥାଉ ପୁଲିସ ମୃତକଙ୍କ ପରିଚୟ ମଧ୍ୟ ପାଇପାରିନାହିଁ। ସେହିପରି ପାଣ୍ଡରା ନିକଟ ନିଶା ନିବାରଣ କେନ୍ଦ୍ରରେ ଜ‌ଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ଏସବୁକୁ ନେଇ କମିସନରେଟ ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

publive-image

ରହସ୍ୟରେ ରହିଯିବ କୁଆଖାଇ ହତ୍ୟାକାଣ୍ଡ!
କୁଆଖାଇ ନଦୀପଠାର ବରିମୁଣ୍ଡ ନିକଟ ବାଲିଯାତ୍ରା ପଡ଼ିଆରେ ଯୁବକଙ୍କୁ ହତ୍ୟା କରି ପୋତିଦେବା ଘଟଣାକୁ ପ୍ରାୟ ଦୁଇ ମାସ ପୂରିବାକୁ ବସିଗଲାଣି। କିନ୍ତୁ ହତ୍ୟାକାରୀକୁ ଧରିବ କ’ଣ, ଏଯାଏ ମୃତ ଯୁବକଙ୍କ ପରିଚୟ ପାଇପାରିଲା ନାହିଁ ପୁଲିସ। କେବଳ କେତେକ ଜାଗାରେ ପୋଷ୍ଟର ମାରି ହାତ ବାନ୍ଧି ବସିପଡ଼ିଛି ତଦନ୍ତକାରୀ ଟିମ୍। ତେଣୁ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ରହସ୍ୟ ହୋଇ ରହିଯିବ ବୋଲି ଚର୍ଚ୍ଚା ହେଉଛି।

ସାମାନ୍ୟ ବଚସାରୁ ଗଡ଼ିଛି ୪ ମୁଣ୍ଡ
ଛୋଟ ଛୋଟ ଗଣ୍ଡଗୋଳ, ସାମାନ୍ୟ ବଚସାକୁ ନେଇ ଗଡ଼ିଛି ୪ ମୁଣ୍ଡ। ଗତ ଜୁନ୍ ମାସରେ ଲକ୍ଷ୍ମୀସାଗର ବୁଦ୍ଧନଗରରେ ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର କାର୍ତ୍ତିକ ସାହୁଙ୍କୁ ହତ୍ୟା କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଜଣେ ବିଜେପି ନେତାଙ୍କ ଡ୍ରାଇଭର ଥିଲା। ସେହିପରି ଖାରବେଳନଗର ସ୍ବସ୍ତି ଗ୍ରାଣ୍ଡ୍‌ ହୋଟେଲ ସାମ୍ନାରେ ସାମାନ୍ୟ ପାଟିତୁଣ୍ଡକୁ ନେଇ ସାଥୀ ଶ୍ରମିକକୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା କରାଯାଇଥିଲା। ମାତ୍ର ସପ୍ତାହେ ବ୍ୟବଧାନରେ ବାପୁଜୀନଗରରେ ସମାନ ଢଙ୍ଗରେ ସାଥୀ ଶ୍ରମିକକୁ ହତ୍ୟା କରିଥିଲା ଯୁବକ। ସେହପରି ଛୋଟ କଥାକୁ କେନ୍ଦ୍ରକରି ରଘୁନାଥନଗରରେ ମୋବାଇଲ ଦୋକାନୀ ସନାତନ ରାଉତଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯିବ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।

ନିଶା ନିବାରଣ କେନ୍ଦ୍ରରେ ଯୁବକକୁ ହତ୍ୟା ମାମଲା: ହତ୍ୟାକାରୀ ଫେରାର୍‌ ହେଲା ପରେ ଚେତା ପଶିଲା
ପାଣ୍ଡରା ନିକଟ ନିଶା ନିବାରଣ କେନ୍ଦ୍ରରେ ଜଗତସିଂହପୁର ଅଲଣାହାଟ ଜୋତ ଅଞ୍ଚଳର ଯୁବକ ତ୍ରିନାଥ ସେଠୀଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଗଲା। ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଏଥିରେ ସାମିଲ ଥିଲେ। ଆରମ୍ଭରୁ ପୁଅକୁ ହତ୍ୟା କରାଯାଇଥିବା ନେଇ ତ୍ରିନାଥଙ୍କ ବାପା ବାବାଜୀ ଅଭିଯୋଗ ଆଣିଥିଲେ। ମାତ୍ର ହାକୁ ହତ୍ୟାକାଣ୍ଡ ବୋଲି ମାନୁ ନ ଥିଲା ପୁଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା ବୋଲି ସ୍ପଷ୍ଟ ହେବା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇଗଲେ। ତେଣୁ ତିନି ଜଣଙ୍କ ନାଁରେ କେବଳ ମାମଲା ରୁଜୁ କରିଥିବା ସହିଦନଗର ଥାନା ପୁଲିସ ଅଭିଯୁକ୍ତ ଫେରାର ହୋଇଗଲା ପରେ ଖୋଜୁଛି। ଆଉ ପୁଅ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ମାସେ ହେଲା ଥାନାକୁ ଦୌଡ଼ୁଛନ୍ତି ଅସହାୟ ବାପା।

publive-image DNA India

ତିନି ମାସରେ ୯ ହତ୍ୟାକାଣ୍ଡ
ଲକ୍ଷ୍ମୀସାଗର ବୁଦ୍ଧନଗରରେ ଗାଡ଼ି ସାଇଡମରାକୁ ନେଇ କାର୍ତ୍ତିକ ସାହୁଙ୍କୁ ପିଟିପିଟି ହତ୍ୟା।
ଖାରବେଳନଗର ସ୍ବସ୍ତି ଗ୍ରାଣ୍ଡ ହୋଟେଲ ସାମ୍ନାରେ ଭଦ୍ରକ ଅଞ୍ଚଳର ଶେଖ୍ ଅବଦୁଲଙ୍କୁ ସାଥୀ ଶ୍ରମିକ ସୁମୁ ସିଂ ହତ୍ୟା।
ବାପୁଜୀନଗରରେ ତ୍ରିନାଥ ନାମକ ଶ୍ରମିକଙ୍କୁ ସାଥୀ ଶ୍ରମିକ ପଥରରେ ଛେଚି ହତ୍ୟା।
ଧଉଳି ଥାନା ଭାର୍ଗବୀ ନଦୀବନ୍ଧ ନିକଟରେ କାଠମିସ୍ତ୍ରି ଜଗନ୍ନାଥ ମହାରଣାଙ୍କୁ ହତ୍ୟା।
ଭୀମଟାଙ୍ଗିରେ ବିବାହିତା ମହିଳା ରିଙ୍କିଙ୍କୁ ପ୍ରେମିକର ଛୁରି ଭୁସି ବୀଭତ୍ସ ହତ୍ୟା।
କୁଆଖାଇ ନଦୀପଠାର ବରିମୁଣ୍ଡ ନିକଟ ବାଲିଯାତ୍ରା ପଡ଼ିଆରେ ଯୁବକଙ୍କୁ ହତ୍ୟା କରି ପୋତି ଦେଇଥିଲେ ହତ୍ୟାକାରୀ।
ସାଇ ମନ୍ଦିର ନିକଟରେ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ।
ପାଣ୍ଡରା ନିକଟ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା।
ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥ ନଗରରେ ମୋବାଇଲ ଦୋକାନୀ ସନାତନ ରାଉତରାୟଙ୍କୁ ଛୁରି ଭୁସି ହତ୍ୟା।