ପଶ୍ଚିମବଙ୍ଗ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ: ଭୁବନେଶ୍ବରରୁ କାର୍‌ରେ ଗଲେ ସାକ୍ଷୀଗୋପାଳରୁ ମିଳିଲା ଶବ

କଟକ: ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କୋଲକାତାର ଜଣେ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ଛାତ୍ରୀଜଣକ ଭୁବନେଶ୍ବରରୁ ଏକ ଉବେର୍‌ କାର୍‌ରେ ପୁରୀ ଅଭିମୁଖେ ଯାଉଥିଲେ। ସାକ୍ଷୀଗୋପାଳ ଷ୍ଟେସନ୍‌ ନିକଟସ୍ଥ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଛି। ଭୁବନେଶ୍ବରରୁ ବାହାରିବା ସମୟରେ ଛାତ୍ରୀଙ୍କ ମୋବାଇଲ୍‌ ସୁଇଚ୍‌-ଅଫ୍‌ ରହିବା ଏବଂ ସମ୍ପୃକ୍ତ ଡ୍ରାଇଭର୍‌ଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ଘଟଣାକୁ ରହସ୍ୟାବୃତ୍ତ କରିଛି। ଏହି ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାରଲୋକ ଏବଂ ମାନବାଧିକାର କର୍ମୀ ଆଜି କଟକ ଆସି ଜିଆରପି ଏସ୍‌ପିଙ୍କୁ ଭେଟିଛନ୍ତି।

ମୃତ ଛାତ୍ରୀ ହେଲେ, କୋଲକାତା ହାୱଡ଼ାରେ ରହୁଥିବା ଶୁଭାଶିଷ ଦତ୍ତ ଏବଂ ସୁମିତ୍ରା ଦତ୍ତଙ୍କ ଝିଅ ଐଶ୍ବର୍ଯ୍ୟା। ଐଶ୍ବର୍ଯ୍ୟା ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବାୟୋଟେକ୍‌ନୋଲଜିରେ ଏମ୍‌ଏସ୍‌ସି କରୁଥିଲେ। ଗତ ଫେବ୍ରୁଆରି ୨୮ରୁ ଅଫ୍‌ଲାଇନ୍ କ୍ଲାସ୍‌ ଆରମ୍ଭ ହେବାରୁ ସେ ଅନୁଷ୍ଠାନକୁ ଯାଇଥିଲେ। ମାର୍ଚ୍ଚ ୨୧ ତାରିଖରେ ସେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଶେଷଥର ସେ ସକାଳ ପ୍ରାୟ ୯ଟା ୩୭ରେ ସିସି କ୍ୟାମେରାରେ ଠାବ ହୋଇଥିଲେ। ଶୁଭାଶିଷ ସେଦିନ ସନ୍ଧ୍ୟା ପ୍ରାୟ ୬ଟା ୪୦ରେ ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା।

ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କୁ ବି ଏ ସଂକ୍ରାନ୍ତରେ ଯୋଗଯୋଗ କରିଥିଲେ। ହେଲେ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିବା ଜାଣିବାକୁ ପାଇଥିଲେ। ରାତି ୭ଟା ୩୦ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଫେରିବାର କଡ଼ା ନିୟମ ଥିବା ବେଳେ ଐଶ୍ବର୍ଯ୍ୟ‌ା ସେଦିନ ଫେରି ନଥିଲେ। ଏହି ଘଟଣାକୁ ହଷ୍ଟେଲ୍‌ କର୍ତ୍ତୃପକ୍ଷ ବି ଗୁରୁତ୍ବ ଦେଇ ନଥିଲେ। ପରଦିନ ଅର୍ଥାତ ମାର୍ଚ୍ଚ ୨୨ ତାରିଖ ସକାଳ ୬ଟା ୩୦ରେ ଐଶ୍ବର୍ଯ୍ୟାଙ୍କ ମୃତ୍ୟୁ ସମ୍ପର୍କରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଶୁଭାଶିଷଙ୍କୁ ଜଣାଇଥିଲେ। ଐଶ୍ବର୍ଯ୍ୟାଙ୍କ ଶବ ସାକ୍ଷୀଗୋପାଳ ରେଳଷ୍ଟେସନ ନିକଟ ରେଳଧାରଣା କଡ଼ରେ ପଡ଼ିଥିବା ଜାଣିବା ପରେ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପୁରୀ ଜିଆର୍‌ପି ପକ୍ଷରୁ ଶବ ଉଦ୍ଧାର କରି ପୁରୀ ମେଡିକାଲ୍‌ରେ ବ୍ୟବଚ୍ଛେଦ କରାଯାଇଥିଲା।

ଏହି ଘଟଣାର ତଦନ୍ତ କରୁଥିବା ଜିଆର୍‌ପି ଜାଣିବାକୁ ପାଇଛି ଯେ ମାର୍ଚ୍ଚ ୨୧ ତାରିଖ ସକାଳ ୯ଟା ୩୭ରେ ଐଶ୍ବର୍ଯ୍ୟା ଏକ ଏଟିଏମ୍ କାଉଣ୍ଟର୍‌ରୁ ଟଙ୍କା ଉଠାଣ କରିଥିଲେ। ୧୦ଟା ୨ରେ ପୁରୀ ଯିବାକୁ ଉବେରୋ ବୁକ୍ କରିଥିଲେ। ଝାଡ଼ଖଣ୍ଡର ଅର୍ଣ୍ଣବ ବସୁ ନାମକ ଜଣେ ବନ୍ଧୁଙ୍କ ସହିତ ସେଦିନ ସକାଳେ ବହୁବାର ଫୋନ୍‌ରେ କଥା ହୋଇଥିଲେ। ଅର୍ଣ୍ଣବଙ୍କ ଦୁଇଟି ମୋବାଇଲ୍ ନମ୍ବର ପୁଲିସ ଠାବ କରିଛି। କିଛି ବନ୍ଧୁ ହ୍ବାଟସ୍‌ଆପ୍‌ରେ ଚାଟ୍ କରି ପୁରୀ ଯିବାକୁ ଯୋଜନା କରିଥିଲେ। ପୁଲିସ ଏବେ ଅର୍ଣ୍ଣବଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ସେଦିନ ବୁକ୍ ହୋଇଥିବା ଉବେର୍‌ ଗାଡ଼ି ଡ୍ରାଇଭରଙ୍କୁ ଖୋଜୁଛି। ଉବେରୋର ହାଇଦ୍ରାବାଦ୍‌ରେ ଥିବା ମୁଖ୍ୟାଳୟ ସହିତ ଜିଆର୍‌ପି ଯୋଗାଯୋଗରେ ରହିଛି। ଯେଉଁ ଡ୍ରାଇଭର୍‌ ଐଶ୍ବର୍ଯ୍ୟାଙ୍କୁ ପୁରୀ ନେଇଥିଲା, ତାଙ୍କୁ ଠାବ କରିବା ପରେ ଘଟଣା ସମ୍ପର୍କରେ ପ୍ରକୃତ ସତ୍ୟାସତ୍ୟ ସାମ୍‌ନାକୁ ଆସିପାରିବ। ଐଶ୍ବର୍ଯ୍ୟାଙ୍କ ସହିତ ଆଉ କେଉଁମାନେ ଯାଇଥିଲେ, ସେମାନଙ୍କ ସମ୍ପର୍କରେ ବି ଖୋଜଖବର ନିଆଯାଉଛି।

ସମ୍ବନ୍ଧିତ ଖବର