ବଲିଉଡ୍‌ରେ ଗାଇବା ସୁଯୋଗ ଦେବା ବାହାନାରେ ଠକେଇ

ଭୁବନେଶ୍ବର: ବଲିଉଡ୍‌ରେ ଗୀତ ଗାଇବାକୁ ସୁଯୋଗ ଦେବା ବାହାନାରେ ଜଣେ ଯୁବକଙ୍କଠାରୁ ଧୂର୍ତ୍ତ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏପରିକି ଟଙ୍କା ଫେରସ୍ତ ମାଗିବାରୁ ଧୂର୍ତ୍ତ ପ୍ରଥମେ ହତ୍ୟା ଧମକ ଦେବା ସହ ପରେ ଏକ ବ୍ଲାଙ୍କ୍ ଚେକ୍ ଧରାଇ ଚକ୍‌ମା ଦେଇଛି। ଏ ନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଠକାମିର ଶିକାର ହୋଇଥିବା ବରମୁଣ୍ଡା ହାଉସିଂବୋର୍ଡର ପୀୟୂଷ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ, ପିଲା ଦିନରୁ କଣ୍ଠଶିଳ୍ପୀ ହେବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ତେଣୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିଲେ। ଏମିତି ଏକ ପ୍ରତିଯୋଗିତା ବେଳେ ଧୂର୍ତ୍ତ ଅବିନାଶଙ୍କ ସହ ତାଙ୍କର ଭେଟ ହୋଇଥିଲା। ଅବିନାଶ ଭୁବନେଶ୍ବରରେ ଏକ ହୋଟେଲ୍‌ରେ ଓଟିଟି ପ୍ଲାଟ୍‌ଫର୍ମର ଆୟୋଜନ କରାଇଥିଲେ ଓ ତାଙ୍କୁ ଡାକିଥିଲେ। ସେଠାରେ ବହୁ ନାମୀଦାମୀ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଭେଟ କରାଇଥିଲେ। ତାଙ୍କୁ ବଲିଉଡ୍‌ ନଚେତ ମୁମ୍ବାଇର କୌଣସି ଓଟିଟି ପ୍ଲାଟ୍‌ଫର୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେବେ ବୋଲି କହିଥିଲେ। ଏହି ବାହାନାରେ ବିଭିନ୍ନ ସମୟରେ ସେ ପୀୟୂଷଙ୍କଠାରୁ ଟଙ୍କା ନେଇ ଚାଲିଥିଲା। ଦିନ ଗଡ଼ି ଚାଲିଥିଲେ ବି ପୀୟୂଷଙ୍କୁ କୌଣସି ସୁଯୋଗ ମିଳିନଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ପୀୟୂଷ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଟଙ୍କା ଫେରସ୍ତ କଥା ଶୁଣିବା ପରେ ରାଗରେ ଅବିନାଶ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଧମକରେ ଡରି ନଯାଇ ପୀୟୂଷ ପୁଲିସ ଭୟ ଦେଖାଇବାରୁ ଧୂର୍ତ୍ତ ଅବିନାଶ ତାଙ୍କୁ ଏକ ଚେକ୍‌ ଧରାଇ ଦେଇଥିଲା। ମାତ୍ର ଆକାଉଣ୍ଟରେ ଟଙ୍କା ନଥିଲା। ତେଣୁ ପୀୟୂଷ ଆଜି ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର