ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍(ନାକ୍) ଟିମ୍ ଗସ୍ତ କରି ଫେରିବାକୁ ୨ ମାସ ବିତିଲାଣି। ଭିତ୍ତିଭୂମି, ସୁରକ୍ଷା, ଶୈକ୍ଷିକ ବାତାବରଣ, ଗବେଷଣା ପରି ୭ଟି ମାନଦଣ୍ଡ ଆଧାରରେ ନାକ୍ ଟିମ୍ ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଏହାକୁ ପୁନଃଯାଞ୍ଚ କରିଥିଲେ। ମାନ୍ୟତା ଶୀଘ୍ର ମିଳିବା ନେଇ ସମସ୍ତେ ଆଶାବାଦୀ ଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଗ୍ରେଡ୍ ମିଳିପାରି ନାହିଁ। କେବେ ଗ୍ରେଡ୍ ଆସିବ, ସେନେଇ କାହା ପାଖରେ ଉତ୍ତର ମଧ୍ୟ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ପଛରେ ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଗସ୍ତ କରିଥିବା ନାକ୍ ଟିମ୍ ଗ୍ରେଡ୍ ପ୍ରକାଶ କରିସାରିଛନ୍ତି। ମାତ୍ର ଉତ୍କଳ କ୍ଷେତ୍ରରେ ବିଳମ୍ବକୁ ନେଇ ଆଶଙ୍କା ବି ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶାର ରାଜନେତା ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ ରହିଥିବାବେଳେ ଏସବୁ ଘଟିବା ଅନେକଙ୍କୁ ଆଶ୍ଚର୍ଯ୍ୟ ମଦ୍ର କରିଛି। ଗୋଟିଏ ପଟେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ରେ ‘ଏ++’ ଗ୍ରେଡ୍ ମିଳିଥିବା ବେଳେ ଅନ୍ୟପଟେ ଉତ୍କଳକୁ କେବେ ମାନ୍ୟତା ମିଳିବ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, ‘‘ଗତ ୩ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ସଂସ୍କାର ଆସିଛି। ଇ-ଅଫିସ୍ କାର୍ଯ୍ୟକ୍ଷମ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ନାଁ କରିଛନ୍ତି। ଏକ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ହୋଇଥିବାରୁ ଏହା ଅଧୀନରେ ୩୬୫ଟି ଡିଗ୍ରି କଲେଜ ରହିଛି। ଭିତ୍ତିଭୂମି, ଏକାଡେମିକ୍ରେ ଏହା ବହୁ ଆଗରେ। ସିଆଇଆଇ ମାଧ୍ୟମରେ ଅତ୍ୟାଧୁନିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗବେଷଣାକୁ ମଧ୍ୟ ପ୍ରୋତ୍ସାହିତ କରା ଯାଇଛି। ଆହୁରି ଉନ୍ନତି କରିବାକୁ ଆଶା ରଖିଛୁ। ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ଗ୍ରେଡ୍ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ତେଣୁ ଗ୍ରେଡ୍ ଖସିଥିବା କହିବା ଆଦୌ ଗ୍ରହଣୀୟ ନୁହେଁ। ପ୍ରଥମେ ଯେଉଁ ମୂଲ୍ୟାୟନ ହୋଇଥିଲା ସେଥିରେ ଆମେ ସନ୍ତୁଷ୍ଟ ନ ଥିବାରୁ ପୁନଃଯାଞ୍ଚ କରିବାକୁ ଆବେଦନ କରିଥିଲୁ। ଭଲ ଗ୍ରେଡ୍ ମିଳିବ ବୋଲି ଆଶା ରଖିଛୁ। ରେଭେନ୍ସା ଏକ ଏକକ ବିଶ୍ବବିଦ୍ୟାଳୟ ଏବଂ ଉତ୍କଳ ଏକ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ହୋଇଥିବାରୁ ରେଭେନ୍ସା ସହ ଆମେ ତୁଳନୀୟ ନୁହେଁ। ସବୁ କ୍ଷେତ୍ରରେ ଆମେ ଭଲ ପ୍ରଦର୍ଶନ କରିଛୁ।’’
ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଷଡ଼ଙ୍ଗୀ ମତ ଦିଅନ୍ତି, ‘‘ଓଡ଼ିଆଙ୍କ ଅସ୍ତିତ୍ବର ପ୍ରତୀକ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ରେଭେନ୍ସା କଲେଜର ୧୫ ନମ୍ବର ରୁମ୍ରୁ ଆରମ୍ଭ ହୋଇଥିବା ଏହି ବିଶ୍ବବିଦ୍ୟାଳୟ ୮୦ ବର୍ଷରେ ପହଞ୍ଚିଛି। ୮୦ ବର୍ଷକୁ ବଡ଼ ଭାବିବା ଉଚିତ୍ ନୁହେଁ, କାରଣ ଏହା ଏବେ ବି ଚପଳ ଶିଶୁ। ଆହୁରି ଅନେକ ବାଟ ଯିବାକୁ ବାକି ରହିଛି। ବିଶ୍ବରେ ଅନେକ ବିଶ୍ବବିଦ୍ୟାଳୟ ରହିଛି, ଯେଉଁମାନେ କି ହଜାରେ ବର୍ଷ ପୂରଣ କରିବା ସତ୍ତ୍ବେ ଆଗକୁ ବଢ଼ୁଛନ୍ତି। ସମୟ ସହ ଟେକ୍ନୋଲୋଜି ବଦଳୁଛି। ତା’ ସହ ତାଳ ଦେଇ ଉତ୍କଳ ବହୁ ଆଗକୁ ଯିବ। ନାକ୍ ମାନ୍ୟତା ଏତେ ବଡ଼ କଥା ନୁହେଁ। ପରୀକ୍ଷା ଖାତା ମୂଲ୍ୟାୟନ ବେଳେ କେଉଁ ଶିକ୍ଷକ ଅଧିକ ନମ୍ବର ଦେଇଥାନ୍ତି ତ ଆଉ କିଏ କମ୍। ସେହି ଅନୁଯାୟୀ ନାକ୍ର ମୂଲ୍ୟାୟନରେ କମ୍ ବେଶି ହେଉଛି। ଅଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ଦେବା ହେଉଛି ବଡ଼ ଆହ୍ବାନ। ତାହାକୁ ପୂରଣ କରିବାକୁ ଶିକ୍ଷାଦାନ, ଗବେଷଣା ଠିକ୍ ଭାବେ ହେଲେ, ଆମେ କର୍ତ୍ତବ୍ୟ କରୁଛୁ। ନାକ୍ ଗ୍ରେଡ୍କୁ ନେଇ ଏବେ ବ୍ୟସ୍ତବିବ୍ରତ ହେବା କଥା ନୁହେଁ। ରେଭେନ୍ସା ହେଉଛି ଏକକ ବିଶ୍ବବିଦ୍ୟାଳୟ। ଏହା ଅଧୀନରେ କୌଣସି ମହାବିଦ୍ୟାଳୟ ନାହିଁ। ରେଭେନ୍ସାର ପୁରୁଣା ଐତିହ୍ୟ ରହିଛି। ରେଭେନ୍ସାର ଉନ୍ନତି ଆଣିବା ସହଜ। ରେଭେନ୍ସା ତୁଳନାରେ ଉତ୍କଳ ଏତେ ବ୍ୟାପକ ଯେ ଉନ୍ନତି ଆଣିବାକୁ କଷ୍ଟ କରିବାକୁ ପଡ଼ିବ।’’
ଉତ୍କଳ ବନାମ ରେଭେନ୍ସା
୧୮୬୮ରେ ପ୍ରତିଷ୍ଠା ହୋଇଥିବା ରେଭେନ୍ସା କଲେଜ ୨୦୦୬ ମସିହାରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିଲା। କଲେଜରୁ ବିଶ୍ବବିଦ୍ୟାଳୟକୁ ଉନ୍ନତି ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀଙ୍କ ସମେତ ଅନେକ ସାଂସଦ, ବିଧାୟକ, ସାହିତ୍ୟିକ, ସାମ୍ବାଦିକ ଏହାର ଆଲୁମିନି। ସେହି ତୁଳନାରେ ଉତ୍କଳର ୮୦ ବର୍ଷ ଇତିହାସରେ ବହୁ କମ୍ ସଂଖ୍ୟକ ନାମକରା ପୁରାତନ ଛାତ୍ରଛାତ୍ରୀ ରହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ୩୬୫ ଡିଗ୍ରି କଲେଜ। ଯେତେବେଳେ କି ରେଭେନ୍ସା ଅଧୀନରେ ଆଦୌ କଲେଜ ନାହାନ୍ତି। ବର୍ତ୍ତମାନ ସମୟରେ ରେଭେନ୍ସାରେ ୧୯୩ ଓ ଉତ୍କଳରେ ୧୨୬ ଶିକ୍ଷକ ନାହାନ୍ତି। ରେଭେନ୍ସା ତୁଳନାରେ ଉତ୍କଳରେ ସର୍ବାଧିକ ଅଣଶିକ୍ଷକ ପଦବି ଖାଲି ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ୮୦ ବର୍ଷର ଶିକ୍ଷାନୁଷ୍ଠାନ ହୋଇଥିବାରୁ ଗବେଷଣାରେ ବହୁ ଆଗରେ। ସେହି ତୁଳନାରେ ରେଭେନ୍ସା ୧୭ ବର୍ଷର ବିଶ୍ବବିଦ୍ୟାଳୟ ହୋଇଥିବାରୁ ଏବେ ଗବେଷଣାକୁ ସୁଦୃଢ଼ କରୁଛି। ଦୁଇ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି। କ୍ରୀଡ଼ା ଭିତ୍ତିଭୂମି, ଛାତ୍ରାବାସରେ ଉଭୟ ଶିକ୍ଷାନୁଷ୍ଠାନ ବେଶ୍ ସୁଦୃଢ଼ ହୋଇଛି। ଜଙ୍ଗଲ ପରିବେଶରେ ଉତ୍କଳ ଗଢ଼ିଉଠିଥିବା ବେଳେ ରେଭେନ୍ସାରେ ଭିତ୍ତିଭୂମି ବିକାଶ ହୋଇଛି।
ବ୍ରାଣ୍ଡ ସୃଷ୍ଟି କରେ ନାକ୍ ଗ୍ରେଡ୍
ନାକ୍ରେ ଭଲ ଗ୍ରେଡ୍ ମିଳିବା ଦ୍ବାରା ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ବ୍ରାଣ୍ଡ ସୃଷ୍ଟି ହୁଏ। ଏହାକୁ ଆଧାର କରି ରାଜ୍ୟ ତଥା ଦେଶ ବିଦେଶର ଛାତ୍ରଛାତ୍ରୀ କ୍ୟାମ୍ପସକୁ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆସିଥାନ୍ତି। ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ ହେବାକୁ ବାଟ ଫିଟାଏ ଏହି ଗ୍ରେଡ୍। ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ସମୟରେ ଗ୍ରେଡ୍ ଅନୁଯାୟୀ ଅନୁଦାନ ପ୍ରଦାନର ବ୍ୟବସ୍ଥା କରିଥାନ୍ତି। ସେମିତିକି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରେ ରାଜ୍ୟର ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ତୁଳନାରେ ୨୦୧୬ରେ ନାକ୍ରେ ‘ଏ+’ ଗ୍ରେଡ୍ ପାଇଥିବା ଉତ୍କଳ ଅଧିକ ଅର୍ଥ ପାଇଥିଲା। ବିଶ୍ବସ୍ତରୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ବିଶ୍ବବିଦ୍ୟାଳୟ ରୢାଙ୍କ ଦେଖିବା ସହ ବିଭିନ୍ନ କ୍ଷେତ୍ରରେ ରାଜିମାନା ସ୍ବାକ୍ଷର କରିବାକୁ ଆଗେଇ ଆସନ୍ତି। ତେବେ ଗ୍ରେଡ୍ କମିବା ଦ୍ବାରା ସରକାରୀ ଅନୁଦାନ ହ୍ରାସ ପାଇ ନ ଥାଏ।