ଭୁବନେଶ୍ବର: ସ୍ନାନ ପୂର୍ଣ୍ଣିମା ପରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ୧୫ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି। ଶ୍ରୀକ୍ଷେତ୍ର ପରି ରାଜଧାନୀର ବିଭିନ୍ନ ମନ୍ଦିରରେ ଆଜି ରୀତିନୀତି ମୁତାବକ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ ହୋଇଥିଲା। ସକାଳୁ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହରର ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ସାଙ୍ଗକୁ ଭଜନ ସମାରୋହ ଆୟୋଜନ କରାଯାଇଥିଲା।
ଏକାମ୍ର କ୍ଷେତ୍ରରେ ବହୁ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ଭୋର୍ ୪ଟାରୁ ଇସ୍କନ୍ ମନ୍ଦିରରେ ଶ୍ରୀଜିଉଙ୍କ ଆଳତି ହୋଇଥିଲା। ପରେ ମଧ୍ୟାହ୍ନ ୧୨ଟାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରାୟ ୨ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅପରାହ୍ଣ ୨ଟାରେ ୫ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେହିପରି କୋଳଥିଆ ଶିବାନନ୍ଦ ବିହାରସ୍ଥିତ ଜଗନ୍ନାଥ ମନ୍ଦିରରେ ବ୍ୟାପକ ଆୟୋଜନ କରାଯାଇଥିଲା। ସକାଳ ୬ଟାରୁ ନୀତିକାନ୍ତି ଆରମ୍ଭ ହେବା ପରେ ଭକ୍ତଙ୍କୁ ନୂଆବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଆଇଗିଣିଆ, ଡୁମୁଡୁମା, ଏକାମ୍ର ଶ୍ରୀକ୍ଷେତ୍ର, ଜାଗମରା, ବରମୁଣ୍ଡା, ଶିରିପୁର ଓୟୁଏଟି କଲୋନି, ଡେଲଟା ଛକ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଭିଏସ୍ଏସ୍ ନଗର, ବାଣୀବିହାର, ଚନ୍ଦ୍ରଶେଖରପୁର ଆର୍ସିଏମ୍ ଜଗନ୍ନାଥ ମନ୍ଦିର, ପଟିଆ, କିସ୍ ଓ ଶୈଳଶ୍ରୀ ବିହାର ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରଭୁଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା।