ଯୋଜନା ନୁହେଁ, ନାରୀର ଅଧିକାର ସାବ୍ୟସ୍ତ ଜରୁରୀ, ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର: ଜୟକିରଣ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃ‌ଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ନବକୃ‌ଷ୍ଣ ଚୌଧୁରୀ ତାଙ୍କ ଜୀବନ କାଳରେ ନାରୀଙ୍କ ସମ୍ମାନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିଥିବାରୁ ଆଜିର ବକ୍ତୃତା ଶୀର୍ଷକ ‘ନାରୀବାଦ: ଏକବିଂଶ ଶତାବ୍ଦୀର ଅନେକ ଆହ୍ବାନ’ ରଖାଯାଇଥିଲା। ମୁଖ୍ୟବକ୍ତା ଭାବରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ ନାରୀମାନଙ୍କ ପାଇଁ ଆଜିର ଯୁଗରେ ଥିବା ପ୍ରମୁଖ ଆହ୍ବାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ତିନୋଟି ପ୍ରମୁଖ ଆହ୍ବାନ ନାରୀବାଦକୁ ପଛକୁ ଠେଲି ଦେଇଛି। ଉଦାରବାଦ ଅର୍ଥନୀତି କେବଳ ଅର୍ଥନୈତିକ ସମୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ନାରୀମାନଙ୍କର ଅଧିକାର ସାବ୍ୟସ୍ତରେ ଏହା କୌଣସି ପ୍ରକାରର ଭୂମିକା ନେଇପାରୁନାହିଁ। ଅନ୍ୟ ଦିଗଟି ହେଉଛି ଟେକ୍ନୋଲୋଜି। ଟେକ୍ନୋଲୋଜି ଅନେକ ଆଗକୁ ଯାଇଛି। ସମାଜ ପୁରୁଷ ପ୍ରାଧାନ୍ୟ ହୋଇ ରହିଯାଇଛି। ଅଧିକାଂଶ ପ୍ରତିଷ୍ଠାନରେ ମହିଳା ନିର୍ଯାତନାର ଶିକାର ହେଉଛି। ଟେକ୍ନୋଲୋଜି କେବଳ ଲାଭ ପାଇଁ ସୃଷ୍ଟି କରାଯାଉଛି। ତୃତୀୟ ଆହ୍ବାନ ହେଉଛି ଗଣମାଧ୍ୟମ। ଅନେକ ସମୟରେ ସରକାର ଯାହା ଚାହୁଁଛନ୍ତି ତାହା ଗଣମାଧ୍ୟମ ପ୍ରସାର କରୁଛି। ‘ନିର୍ଭୟା’ ମାମଲା ପରେ ବର୍ମା କମିସନ ରିପୋର୍ଟ ଲାଗୁ ହେଲା କି ନାହିଁ ତାହା ଗଣମାଧ୍ୟମରେ ପ୍ରସାରିତ ହେଉନାହିଁ କିମ୍ବା ପ୍ରତି ଅନୁଷ୍ଠାନରେ ଥିବା ଯୌନ ନିର୍ଯାତନା ନିରୋଧ କମିଟି କାର୍ଯ୍ୟ କରୁଛି କି ନାହିଁ ତାହା ମଧ୍ୟ ପଦାକୁ ଆସୁନି। ସରକାର ନାରୀମାନଙ୍କ ପାଇଁ ଯାହା କରିଛନ୍ତି ତାହା କେବଳ ମଙ୍ଗଳକାରୀ ଯୋଜନା, ଅଧିକାର ସାବ୍ୟସ୍ତ ପାଇଁ ନୁହେଁ। ଏ ସବୁ ସହ ନାରୀ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ମଧ୍ୟ ଅଧିକାର ସାବ୍ୟସ୍ତ ହେବା ଜରୁରୀ ବୋଲି କହିଛନ୍ତି। ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। ତାଙ୍କ ଭଳି ନେତା ଆଉନାହାନ୍ତି। ଆଜିକା ନେତା ଯାହା କହୁଛନ୍ତି ତାହାର ଓଲଟା କରୁଛନ୍ତି। ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବେ ବୋଲି ସେ କହିଛନ୍ତି। ଟ୍ରଷ୍ଟ ସଭାନେତ୍ରୀ ଶାଶ୍ବତୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଅକ୍ଷର’ର ସମ୍ପାଦକ ଅମିୟ ପାଣ୍ଡବ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂଜ୍ୟପୂଜା ପରିଷଦର ମୁଖ୍ୟ ପଦ୍ମାକର ଗୁରୁ ସଭା ପରିଚାଳନା କରିଥିଲେ। କୁନି କୁନି ପିଲାମାନେ ଆବାହନୀ ସଙ୍ଗୀତ ଗାନ କରିଥିବା ବେଳେ ଟ୍ରଷ୍ଟ ସମ୍ପାଦିକା ସୁମିତ୍ର ଜେନା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିନୋବା ସେବା ପ୍ରତିଷ୍ଠାନର ମୁଖ୍ୟ ମନୋଜ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର