ଭୁବନେଶ୍ବର: ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଅରୋମିରା ମ୍ୟୁଜିକ୍ ପକ୍ଷରୁ ‘ନବଦୁର୍ଗା ସ୍ତୋତ୍ରମ୍’ ଅଡିଓ-ଭିଡିଓ ଆଜି ମୁକ୍ତିଲାଭ କରିଛି। କଣ୍ଠଶିଳ୍ପୀ ସୁସ୍ମିତା ଦାସ ଏଥିରେ କଣ୍ଠଦାନ କରିଥିବା ବେଳେ ଦେବ ମେହେର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନବଦୁର୍ଗା ଯଥା ଶୈଳୀପୁତ୍ର, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟିନୀ, କଳାରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏ ମନ୍ତ୍ର ସ୍ଥାନ ପାଇଛି।
ଅଭିନେତ୍ରୀ ବଏମ୍ ବୈଶାଳୀ ଅଭିନୟ କରିଛନ୍ତି। ଆଜି ହୋଟେଲ ପ୍ରେସିଡେନ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ କରିଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ଶ୍ରୀମତୀ ଦାସ କହିଛନ୍ତି, ଏହି ମ୍ୟୁଜିକ୍ ଭିଡିଓ ନିଶ୍ଚିତ ଭାବେ ଲୋକଙ୍କୁ ଭକ୍ତିଭାବରେ ଭରିଦେବ। ଏଥିରେ ଆଦିଶକ୍ତି ଭକ୍ତମାନଙ୍କୁ ପ୍ରଦାନ କରୁଥିବା ଶକ୍ତି, ପ୍ରେରଣା, ପରିବର୍ତ୍ତନ ଓ ବିପୁଳ ଦକ୍ଷତାର ଗୁଣଗାନ କରାଯାଇଛି। ଭକ୍ତିଭାବପୂର୍ଣ୍ଣ ଏହି ମ୍ୟୁଜିକ୍ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ମେହେର କହିଛନ୍ତି।