ମଞ୍ଚସ୍ଥ ହେଲା ‘ନବକଳେବର’, ନିଜେ ଜଳିଗଲା କଳାପାହାଡ଼

ଭୁବନେଶ୍ବର: ଜଗତର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲା କଳାପାହାଡ଼। କିନ୍ତୁ ଶେଷରେ ନିଜେ ପୋଡ଼ିଗଲା। ପ୍ରଭୁ ଦରପୋଡ଼ା ହୋଇରହିଗଲେ। ସେହି ଦରପୋଡ଼ା ଦାରୁ ବିଗ୍ରହ ଭିତରେ ଅକ୍ଷୁଣ୍ଣ ରହିଥିଲା ବ୍ରହ୍ମ। ତେଣୁ ଲୀଳାମୟ ଠାକୁର ପୁଣି ନବକଳେବର ହେଲେ। କିଂବଦନ୍ତୀର ଏହି କାହାଣୀ ଆଧାରରେ ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସାଇଶ୍ରଦ୍ଧା ପ୍ରଡ୍‌କସନ୍‌ ଟ୍ରଷ୍ଟ୍‌ ପ୍ରଯୋଜିତ ନାଟକ ‘ନବକଳେବର’ ଦର୍ଶକଙ୍କ ଆଖିରେ ଯେତିକି ଲୁହ ଭରି ଦେଇଥିଲା, ହୃଦୟରେ ସେତିକି ରୋମାଞ୍ଚ ଓ ଉନ୍ମାଦନା ଜାଗ୍ରତ କରିଥିଲା।

ଭାବ ବିନୋଦିଆ ପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁକାଳେ ରହସ୍ୟମୟ। ଓଡ଼ିଆ ଜାତିର ସ୍ବାଭିମାନ ରକ୍ଷା ପାଇଁ ସେ ନିଜେ କେବେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି ତ କେତେବେଳେ ତାଙ୍କୁ ସୁରକ୍ଷା ଦେବାକୁ ଓଡ଼ିଆ ଜାତି କେତେ ତତ୍ପର, ତାହାର ପରୀକ୍ଷା ନେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମନ୍ଦିର ମୋଗଲମାନଙ୍କ ଦ୍ବାରା ବାରମ୍ବାର ଆକ୍ରମଣ ହେବାରୁ ଗଜପତି ଓ ସେବାୟତମାନେ ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ପୁରୀରୁ ସ୍ଥାନାନ୍ତରିତ କରିଛନ୍ତି। ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ପ୍ରଭୁଙ୍କୁ ଲୁଚାଇ ନିଆଯାଇଛି। କଳାପାହାଡ଼ ବହୁଥର ବିଫଳ ହେଲା। ଶେଷରେ ଜଣେ ବିଶ୍ବାସଘାତକ ଯୋଗୁଁ କ୍ରୁର କଳାପାହାଡ଼ ଜଗନ୍ନାଥଙ୍କୁ ନେଇ ଗଙ୍ଗା ନଦୀ କୂଳରେ ‌ପୋଡ଼ିବାକୁ ଉଦ୍ୟମ କରେ। ହେଲେ ବିଗ୍ରହଙ୍କୁ ପୋଡ଼ିବା ବେଳେ କଳାପାହାଡ଼ ନିଜେ ଜଳିଯାଏ।

ତେଣୁ ତା’ର ପତ୍ନୀ ଗୁଲ୍‌ନାଜ୍‌ ପ୍ରଭୁଙ୍କୁ ପୋଡ଼ିବା ପରିବର୍ତ୍ତେ ଗଙ୍ଗାରେ ବିସର୍ଜନ କରିବାକୁ ଆଦେଶ ଦିଅନ୍ତି। ପ୍ରଭୁଙ୍କ ଦରପୋଡ଼ା ମୂର୍ତ୍ତି ପହଞ୍ଚିଯାଏ ଗଙ୍ଗା କୂଳରେ ରହୁଥିବା ଭକ୍ତ ବିସର ମହାନ୍ତିଙ୍କ ନିକଟରେ। ସେ ଦାରୁ ବିଗ୍ରହରେ ବ୍ରହ୍ମକୁ ପାଇ ପୁଣି ଗଜପତିଙ୍କୁ ଫେରାଇ ଦିଅନ୍ତି। ଗଜପତି ଆୟୋଜନ କରନ୍ତି ନବ‌କଳେବର। ନୂଆ ବିଗ୍ରହରେ ପ୍ରତିଷ୍ଠା ହୁଏ ବ୍ରହ୍ମ। ସେବେଠୁ ପ୍ରତି ୧୨ ବର୍ଷରେ ‘ନବକ‌ଳେବର’ କରାଯାଉଛି। ବିନି ସାମଲଙ୍କ ପ୍ରଯୋଜନାରେ ଶଙ୍କର ତ୍ରିପାଠୀଙ୍କ ରଚିତ ଏହି ନାଟକକୁ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଛନ୍ତି। ବିଭିନ୍ନ ଭୂମିକାରେ କିଶୋର ଖଣ୍ଡୁଆଳ, ଉଷଶ୍ରୀ ମିଶ୍ର, ଅଖିଳ ପଟ୍ଟନାୟକ, ଉମା ଭଟ୍ଟାଚାର୍ଯ୍ୟ, ସୁବାଶିଷ, ଅମିତ, ତୃପ୍ତି ମୀରାମ୍ଭିକା, ବାପୁ, ଉପେନ୍ଦ୍ର, ଋଷି, ଶ୍ରୀକାନ୍ତ, ଅପୂର୍ବ, ସୀମାଞ୍ଚଳ ଓ ସୌମ୍ୟ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର