ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ

ଭାଷା ଆନ୍ଦୋଳନ

ଭୁବନେଶ୍ୱର : ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୋଧୁରୀଙ୍କ ଜୟନ୍ତୀ ଅବସରରେ ଭାଷା ଆନ୍ଦୋଳନ ପକ୍ଷରୁ ଆଜି ଜନ ପ୍ରତିନିଧିଙ୍କୁ ସଚେତନତାର ଅଭିଯାନ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ସାରା ରାଜ୍ୟରେ କଳା ପତାକା ଅଭିଯାନ ଚାଲିଥିବା ବେଳେ ଆସନ୍ତା ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଭାଷା ଆନ୍ଦୋଳନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସରକାର ୧୯୫୪ରେ ଓଡ଼ିଶା ପାଇଁ ଭାଷା ଆଇନ ଆଣିଥିବା ବେଳେ ତହିଁରେ ତ୍ରୁଟି ପରିଲକ୍ଷିତ ହେବାରୁ ଭାଷା ଆନ୍ଦୋଳନ ପକ୍ଷରୁ ୧୩, ଏପ୍ରିଲ ୨୦୧୬ରୁ ଲଗାତାର ଭାବେ କଳା ପତାକା ଅଭିଯାନ ଚାଲିଛି। ତେବେ ବିଧାନସଭାରେ ଏହି ଆଇନକୁ ପ୍ରଣୟନ କରିବା ନେଇ ୧୪୬ଜଣ ବିଧାୟକଙ୍କୁ ଭାଷା ଆନ୍ଦୋଳନର କର୍ମକର୍ତ୍ତାମାନେ ଭେଟି ଦାବିପତ୍ର ପ୍ରଦାନ କରିବେ।

ଭାଷା ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ପାଇଁ ବିଧାନସଭାରେ ସଂଶୋଧନ ବିଲ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଣିବେ ବୋଲି ଭାଷା ଆନ୍ଦୋଳନ ଦୃଢ଼ୋକ୍ତ ପ୍ରକାଶ କରିଛି । ଏହି ଅବସରରେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଆବାହକ ପବିତ୍ର ମହାରଥା, ଶାରଦା ମହାପାତ୍ର, ଉପେନ୍ଦ୍ର କୁମାର ସମାନ୍ତସିଂହାର, ନିରଞ୍ଜନ ସାହୁ, ଲିଙ୍ଗରାଜ ସାହୁ, ଅଂଶୁମାନ ଦାସ, ଆଶିଷ କୁମାର, ଉମାଚରଣ ମହାନ୍ତି, ଚିତ୍ତରଂଜନ ସାହୁ ପ୍ରମୁଖ ନବକୃଷ୍ଣ ଚୋଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏବଂ ଭାରତୀୟ ଜନତା ଦଳର କନକବର୍ଧନ ସିଂହ ଦେଓଙ୍କ ବାସଭବନକୁ ଯାଇ ଭାଷା ଆଇନ ପ୍ରଣୟନ ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହା ପ୍ରତ୍ୟେକ ଦିନ ଚାଲିବ ବୋଲି ଭାଷା ଆନ୍ଦୋଳନର ଆବାହକ ଶ୍ରୀ ମହାରଥା ଜଣାଇଛନ୍ତି।

ଭାଷା ସୁରକ୍ଷା ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶାର ବିକାଶ ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଯେଉଁ ସବୁ ସଂସ୍କାର ଆଣିଥିଲେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲେ ରାଜ୍ୟର ଚିତ୍ର ବର୍ତମାନ ସମୟରେ ଭିନ୍ନ ହୋଇଥାନ୍ତା ବୋଲି ନବକୃଷ୍ଣ ଚୌଧୁରୀଙ୍କ ୧୧୬ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଲୋହିଆ ଏକାଡେମିରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଡ଼ିଶା ନିଶାମୁକ୍ତି ଆନ୍ଦୋଳନ ନେତା ପଦ୍ମଚରଣ ନାୟକ ଉଦ୍‌ଘାଟନ କରି ଭାଷା ଓ ନିଶା ନିବାରଣକୁ ନିର୍ବାଚନରେ ପ୍ରସଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଭାରତ ପାର୍ଟି ସଭାପତି ଖାରବେଳ ସ୍ୱାଇଁ, ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ସାହିତ୍ୟିକ ଅସିତ୍‌ ମହାନ୍ତି, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ସିପିଏମ୍‌ ନେତା ସନ୍ତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିକାଶରେ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ବୈଷ୍ଣବ ପରିଡ଼ା ଅଧ୍ୟକ୍ଷତା କରିଥିଲେ। ଉପସଭାପତି ତଥା ପୂର୍ବତନ ବିଚାରପତି ହୃଦୟବଲ୍ଲଭ ଦାସ ଭାଷା ଆୟୋଗର ଆବଶ୍ୟକତା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଜିଲ୍ଲା କମିଟି ସଭାପତି ନିର୍ମଳ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର