ନବମୁନି ହତାଦର

ସମ୍ଭବତଃ ୨ ହଜାର ବର୍ଷ ତଳେ ଖାରବେଳଙ୍କ ସମୟରେ ପାହାଡ଼କୁ ଖଣ୍ଡଖଣ୍ଡ କରି କାଟି ଖଣ୍ଡଗିରି ପାହାଡ଼ର ସୃଷ୍ଟି ହୋଇଥିଲା। ଖଣ୍ଡଗିରି ପାଦଦେଶରୁ ୧୧୮ ଫୁଟ ଉଚ୍ଚ ପାହାଡ଼ ଉପରେ ୧୫ଟି ଗୁମ୍ଫା ରହିଛି। ତନ୍ମଧ୍ୟରୁ ନବମୁନି ଗୁମ୍ଫା ଅନ୍ୟତମ। ଏହା ମଧ୍ୟରେ ଜୈନ ତୀର୍ଥଙ୍କର ଋଷଭନାଥ, ଅଜିତାନାଥ, ସଂଭବାନାଥ, ଅଭିନନ୍ଦନନାଥ, ବାସୁପୂଜ୍ୟ, ପାର୍ଶ୍ବନାଥ, ନେମିନାଥଙ୍କ ସମେତ ଶାସନୀ ଦେବୀ ଚକ୍ରେଶ୍ବରୀ, ରୋହିଣୀ, ପ୍ରଜ୍ଞାପ୍ତି, ବଜ୍ରଶୃଙ୍ଖଳା, ଗାନ୍ଧାରୀ, ପଦ୍ମାବତୀ, ଅମ୍ରର ଖୋଦେଇ ପ୍ରତିମା ଶୋଭାପାଏ। ତୀର୍ଥଙ୍କରମାନେ ଯୋଗ ମୁଦ୍ରାରେ ୩ ଥାକିଆ ଛତା ତଳେ ବସିଥିବା ବେଳେ ଅସ୍ତ୍ରଶସ୍ତ୍ର ସୁଶୋଭିତ ବେଶରେ ଶାସନୀ ଦେବୀମାନେ ବସିଛନ୍ତି। ଜୈନ ତୀର୍ଥସ୍ଥଳର ସ୍ମାରକୀ ବହନ କରୁଥିବା ଏହି ନବମୁନି ଗୁମ୍ଫା ଅନେକ କିଛି ବୟାନ କରେ।

ଭୁବନେଶ୍ବର: ଜୈନ ତୀର୍ଥସ୍ଥଳର ସ୍ମାରକୀ ବହନ କରୁଛି ଖଣ୍ଡଗିରି। ମାତ୍ର ଯେଉଁ ତୀର୍ଥଙ୍କର ଏହି ପାହାଡ଼ର ପ୍ରମୁଖ ଆକର୍ଷଣ, ସେମାନେ ଏବେ ହତାଦର। ସଶରୀରେ ନହେଲେ ବି ନବମୁନି ଗୁମ୍ଫା ଭିତରେ ଯୋଗମୁଦ୍ରାରେ ବସିଥିବା ଜୈନ ତୀର୍ଥଙ୍କର ଏବେ ଅଲୋଡ଼ା ହୋଇ ପଡ଼ିଛନ୍ତି। ଦିନ ଥିଲା, ନବମୁନି ଗୁମ୍ଫାକୁ ସୁରକ୍ଷିତ ରଖିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା(ଏଏସ୍ଆଇ) କାଚର ଝରକା ଦ୍ବାରା ଆଚ୍ଛାଦିତ କରିଥିଲା। ମାତ୍ର କାଳକ୍ରମେ ଏହା ଭାଙ୍ଗିଗଲା। ଅର୍ଥାତ ଯେଉଁ ପର୍ଯ୍ୟଟକମାନେ ଖଣ୍ଡଗିରି ଉପରକୁ ଚଢ଼ୁଥିଲେ ଭଙ୍ଗା କାଚ ବାଟେ ତୀର୍ଥଙ୍କରଙ୍କୁ ଦେଖୁଥିଲେ। ଏଭଳି ଅଶୋଭନୀୟତା ବାବଦରେ ପ୍ରତ୍ନତତ୍ତ୍ବପ୍ରେମୀ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏଏସ୍ଆଇ ଏହାକୁ ଫୁ’ କରି ଉଡ଼େଇଦେଲା। ଦୀର୍ଘଦିନ ଧରି ଭଙ୍ଗା ଝରକାକୁ ନ ସଜାଡ଼ି ଏହି ଗୁମ୍ଫାକୁ ଆଚ୍ଛାଦିତ କରୁଥିବା ପୂରା କାଚ ଝରକାକୁ ସମୂଳେ ଭାଙ୍ଗି ଦେଲା। ଭାଙ୍ଗିବା ପରେ ଗୁମ୍ଫାର ଯାହା ସ୍ଥିତି, ଦେଖିଲେ ଦେହ ସହିବ ନାହିଁ। ପୂରା ଖଣ୍ଡଗିରି ପାହାଡ଼ରେ ଅନେକ ପ୍ରେମୀଯୁଗଳ ଓ ଅସଚେତନ ନାଗରିକ ନିଜର ନାଁ ଲେଖି ଖଣ୍ଡଗିରିର ଶୋଭାକୁ ନଷ୍ଟ କରୁଥିବା ବେଳେ ନବମୁନି ଗୁମ୍ଫାର ଝରକା ଭଙ୍ଗାଯିବା ପରେ ତାକୁ ବି ଛାଡ଼ିଲେ ନାହିଁ। ଏହି ଦୁଇ ଘରିଆ ଗୁମ୍ଫାର ଗୋଟେ ପାର୍ଶ୍ବରେ ପ୍ରେମୀଯୁଗଳଙ୍କ ନା ଏପରି ଲେଖାଯାଇଛି, ଯେମିତି ନବମୁନି ଏହାର ମୂକସାକ୍ଷୀ ରହିଛନ୍ତି। ନବମୁନି ଗୁମ୍ଫାରେ କେବଳ ଯେ ୯ ତୀର୍ଥଙ୍କର ଖୋଦିତ ପ୍ରତିମା କାନ୍ଥରେ ରହିଛି ତାହା ନୁହେଁ, ଏଥିସହ ଶାସନୀ ଦେବୀଙ୍କ ପ୍ରତିମା ମଧ୍ୟ ଏହି ଗୁମ୍ଫା ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥାଏ। ଗବେଷକମାନେ ଏଠାକୁ ଆସିଲେ ଏହି ଗୁମ୍ଫା ନିକଟରେ ଘଣ୍ଟାଘଣ୍ଟା ବିତାଇ ଦିଅନ୍ତି। ମାତ୍ର ଏଏସ୍ଆଇ ସବୁ ଦେଖି ଚୁପ୍ ରହିଲା। ସମସ୍ୟାକୁ ସଜାଡ଼ିବା ତ ଦୂରର କଥା, ସାମାନ୍ୟ ଅନୁକମ୍ପା ଦେଖାଇ ଝରକାର ବ୍ୟବସ୍ଥା ମଧ୍ୟ କଲା ନାହିଁ। କାରଣ ଏୟା ଯେ ଖଣ୍ଡଗିରିରୁ ଏଏସ୍ଆଇ ଟଙ୍କାଟିଏ ବି ଟିକେଟ୍ ସୂତ୍ରରେ ପାଉନାହିଁ। ଯେମିତି ଖଣ୍ଡଗିରି ବାପା, ମା’ ଛେଉଣ୍ଡ ହୋଇଯାଇଛି। ତେଣୁ ଐତିହ୍ୟ ପ୍ରତି ଏଏସ୍ଆଇର କେତେ ଆଦର, ତାହା ଏଇଥିରୁ ଜଳଜଳ ବାରି ହେଉଛି।

କୋଣାର୍କ ପ୍ରସଙ୍ଗ ବେଳେ ସିନା ସାଧା ପଥର ଲଗାଯିବା ନିୟମ ରହିଛି ବୋଲି ଅଯୌକ୍ତିକ ଉତ୍ତର ଦେଇ ଖସିଯିବାକୁ ଚାହିଁଲା, ଏଠି ଖଣ୍ଡଗିରି ଗୁମ୍ଫାରେ ଭାଙ୍ଗି ଯାଇଥିବା କାଚ ଝରକାକୁ ନ ସଜାଡ଼ିବା କୋଉ ନିୟମ ଅନ୍ତର୍ଭୁକ୍ତ, ତାହା ବୁଝି ହେଉନାହିଁ। ଖାଲି ସେତିକି ନୁହେଁ, ପ୍ରାଚୀନ ସ୍ମାରକ ତଥା ପ୍ରତ୍ନତାତ୍ତ୍ବିକ ସ୍ଥାନ ଓ ଅବଶେଷ ଅଧିନିୟମ ୧୯୫୮ ଧାରା ୨୪ ଅନୁଯାୟୀ ଖଣ୍ଡଗିରିକୁ ରାଷ୍ଟ୍ରୀୟ ମହତ୍ତ୍ବ ହିସାବରେ ଘୋଷଣା କରାଯାଇଛି। ତେଣୁ ନିୟମ ମୁତାବକ କୌଣସି ବ୍ୟକ୍ତି ଏହି ସ୍ମାରକକୁ ନଷ୍ଟ କଲେ, ହାନି ପହଞ୍ଚାଇଲେ, ବଦଳାଇଲେ ଅବା ବିକୃତ କଲେ ତାକୁ ୩ ମାସ ଅବା ତା’ଠାରୁ ଅଧିକ ସମୟ କାରାବାସ ନଚେତ୍ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଅବା ଉଭୟ ଦଣ୍ଡ ଭୋଗିବାର ନିୟମ ଅଛି। ବିକୃତ କଲେ କି ହାନି ପହଞ୍ଚାଇଲେ, ଦେଖିବାକୁ କେହି ନାହାନ୍ତି। ଖଣ୍ଡଗିରି ଓ ଉଦୟଗିରି ଦୁଇ ଭଉଣୀ ହୋଇଥିବାରୁ ଗୋଟେ ପଟେ ଭଉଣୀ ଉଦୟଗିରି ରୋଜଗାର ଦେଉଛି ବୋଲି ସେ ସିନା ସୁରକ୍ଷିତ କିନ୍ତୁ ଖଣ୍ଡଗିରି ରୋଜଗାର କରୁନଥିବାରୁ ଯେମିତି ତାର ଯତ୍ନ ବି ନେବାକୁ ଇଚ୍ଛା କରୁନି ଏଏସ୍ଆଇ। ଏଏସ୍ଆଇର ଏଭଳି ବୈମାତୃକ ଭାବନାକୁ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିନ୍ଦା କରିଛନ୍ତି। କହିଛନ୍ତି, ଏସ୍ଆଇର ଏବେ କ’ଣ, କେବେ ବି ଏଥିପ୍ରତି ନିଘା ନଥିଲା। ଯାହା ସ୍ଥିତି ଅଛି ଆଉ କିଛିଦିନ ପରେ ପୂରା ବିଗିଡ଼ି ଯିବ। ଐତିହ୍ୟ ପଦଯାତ୍ରା ଚାଲିଛି। ୟାଡ଼େ ଐତିହ୍ୟ ନଷ୍ଟ ହୋଇଚାଲିଛି। ଏହା ବିରୋଧରେ କେହି ସ୍ବର ଉଠାଇବାକୁ ନାହିଁ। ବାସ୍ତବରେ ଖଣ୍ଡଗିରିରୁ କିଛି ଆୟ ହେଉନଥିବାରୁ ଏବଂ ପାଟି ଖୋଲି କହିପାରୁନଥିବାରୁ ଖଣ୍ଡଗିରିକୁ ଯେ ଏତେ ହିନିମାନ ସହିବାକୁ ପଡ଼ୁଛି, ତାହା ଜଣେ ହୃଦୟଙ୍ଗମ କରିବା ଉଚିତ୍ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର