ସିକନ୍ଦର ଆଲମଙ୍କ ପାଇଁ ସଂଗୀତ ଛାଡ଼ିଥିଲେ ନଇମା

ସତ୍ୟନାରାୟଣ ରାଉତରାୟ

ଭୁବନେଶ୍ବର: ତାଙ୍କୁ ଦୁନିଆ କହେ ଆଧୁନିକ ଓଡ଼ିଶାର ସାଲବେଗ। ‘ଆରତି ସୁରେ ବାରେ… ହେଉ ଅବା ‘ପତିତ ପାବନ ବାନା ଆଉ କେତେ ବେଳକୁ…। ଏଭଳି ଅନେକ ଜଗନ୍ନାଥ ଭଜନକୁ ସ୍ବର ଓ ଭାବରେ ଜୀବନ୍ତ କରି ଓଡ଼ିଆ ଜାତିକୁ ମୂଲ୍ୟବାନ ଉପହାର ଭେଟି ଦେଇଥିବା ମହମ୍ମଦ ସିକନ୍ଦର ଆଲମ ନାହାନ୍ତି ସତ, କିନ୍ତୁ ଆଜି ବି ତାଙ୍କ କଣ୍ଠ ନିଃସୃତ ସଂଗୀତକୁ ରସଗ୍ରାହୀ ଶ୍ରୋତା ଝୁରି ହୁଅନ୍ତି। ତେବେ ଏ ଅଜସ୍ର ସଫଳତା ଓ ପ୍ରସିଦ୍ଧି ପଛରେ ଯାହାଙ୍କର ପ୍ରଚ୍ଛଦ ଯୋଗଦାନ ଥିଲା; ସେ ଥିଲେ ତାଙ୍କ ଧର୍ମପତ୍ନୀ ନଇମା ଆଲମ। କୁହାଯାଏ, ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀ ଓ ସଫଳ ନାରୀ ପଛରେ ଜଣେ ପୁରୁଷର ହାତ ଥାଏ। ମାତ୍ର ସମ୍ମୁଖରେ ନାୟକ ସଜାଇବାରେ ଯୋଗଦାନ ଦେଉଥିବା ପ୍ରଚ୍ଛଦ ନାୟିକା/ନାୟକ ସବୁବେଳେ ପରଦା ପଛରେ ରହିଯାଆନ୍ତି। ନଇମା ହେଉଛନ୍ତି ସେଇଭଳି ଜଣେ ନାୟିକା। ଅନେକ ହୁଏତ ଜାଣିନଥିବେ, ନଇମା ଅଲ୍‌ ଇଣ୍ଡିଆ‌ ରେଡିଓର ନିୟମିତ କଣ୍ଠଶିଳ୍ପୀ ଥିଲେ। ଏଚ୍‌ଏମ୍‌ଭିରେ ‌ନିଜର ଗୀତ ରେକର୍ଡ କରିବା ସହ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ହିନ୍ଦୁସ୍ତାନୀ କ୍ଲାସିକାଲ୍‌ରେ ଏମ୍‌ଏ କରିଥିଲେ। ମାତ୍ର ସିକନ୍ଦରଙ୍କୁ ପରିବାର ଜଞ୍ଜାଳରୁ ମୁକ୍ତ ରହି ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବାକୁ ସେ ନିଜ ରୁଚିକୁ ଜଳାଞ୍ଜଳି ଦେଲେ। ନିଜ ଭିତରର କଣ୍ଠଶିଳ୍ପୀକୁ ସେ ମାରି ଦେଇଥିଲେ ବି ଏନେଇ କେବେ ସେ ଅବସୋସ କରିନାହାନ୍ତି। ବରଂ କୁହନ୍ତି, ନିଜେ କଣ୍ଠଶିଳ୍ପୀ ହେବା ଅପେକ୍ଷା ଏତେ ବଡ଼ ଶିଳ୍ପୀଙ୍କର ପତ୍ନୀ ହେବା ତାଙ୍କୁ ଅଧିକ ସନ୍ତୁଷ୍ଟି ଦେଇଛି। ଏହା ସମର୍ପଣ ବ୍ୟତୀତ ଆଉ କ’ଣ ବା ହୋଇପାରେ?

ଆଜି ରବୀନ୍ଦ୍ର ମଣ୍ଡପ ନିକଟରେ ସିକନ୍ଦର ଆଲମଙ୍କ ପ୍ରତିମୂର୍ତି ଉନ୍ମୋଚନ ବେଳେ ନଇମାଙ୍କଠାରୁ ସାଉଁଟିଥିଲୁ ଏଇଭଳି କିଛି ମରମ କଥା। ନଇମାଙ୍କ କହିବା ମୁତାବକ, ଯେବେ ବି ସିକନ୍ଦର କୌଣସି ଗୀତ ଗାଆନ୍ତି ସେ ଆସି ତାଙ୍କ ମତାମତ ଲୋଡ଼ନ୍ତି। କେବେକେବେ ସେ ତାଙ୍କ ଗୀତକୁ ଖୁବ୍‌ ପ୍ରଶଂସା କରୁଥିବା ବେଳେ, ପୁଣି କେବେ ତାଙ୍କ କଣ୍ଠରେ ଗୀତଟି ଠିକ୍‌ରେ ଉତୁରି ନାହିଁ ବୋଲି କହିଦିଅନ୍ତି। ନଇମାଙ୍କ ମତକୁ ବି ସିକନ୍ଦର ଗୁରୁତ୍ବର ସହ ନିଅନ୍ତି। ନଇମା ଭଲ କଣ୍ଠଶିଳ୍ପୀ ହୋଇଥିବାରୁ ସିକନ୍ଦର ତାଙ୍କୁ ଅନେକଥର ଅଭ୍ୟାସ କରି କାର୍ଯ୍ୟକ୍ରମରେ ଗାଇବା ପାଇଁ କହିଛନ୍ତି। ଅଥଚ ସିକନ୍ଦରଙ୍କ ଉପରେ ଯେମିତି ପରିବାରର ଚାପ ନପଡ଼େ ଏହାକୁ ଦୃଷ୍ଟିରେ ରଖି ସେ ଆଉ କେବେ ସଂଗୀତକୁ ଆପଣାଇ ନାହାନ୍ତି। ନଇମା ଥିଲେ ସିକନ୍ଦରଙ୍କ ମାମୁ ଝିଅ। ଯେବେ ନଇମାଙ୍କ ଜନ୍ମ ହୋଇଥିଲା ସେବେଠୁ ହିଁ ସିକନ୍ଦରଙ୍କ ସହ ବାହାଘର ନେଇ କଥା ତୁଟିଯାଇଥିଲା। ଦୁହେଁ ଅନେକ କାର୍ଯ୍ୟକ୍ରମ ଓ ଏଚ୍‌ଏମ୍‌ଭିରେ ଏକାଠି ଗୀତ ଗାଇ ଆସୁଥିବା ବେଳେ ପରବର୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସିକନ୍ଦର ଆଲ୍ଲାଙ୍କର ଯେପରି ଉପାସକ ଥିଲେ, ଜଗନ୍ନାଥଙ୍କୁ ବି ସେତିକି ଭକ୍ତି କରୁଥିଲେ। ଅବଢ଼ା ଖାଇବାକୁ ବେଶ୍‌ ଭଲ ପାଉଥିଲେ। ଯେବେ ଘରକୁ ଅବଢ଼ା ଆସୁଥିଲା, ତାହା କିଭଳି ଟେବୁଲ୍‌ ଉପରେ ପରସା ଯିବ ନାହିଁ, ଚାମଚରେ ଖିଆଯିବନାହିଁ ସେ ବିଷୟରେ ପରିବାରବର୍ଗଙ୍କୁ ସଚେତନ କରାଇ ଦେଉଥିଲେ। ପୁଣି କେବେ କାର୍‌ରେ ଗଲା ବେଳେ ଶୀତ ରାତିରେ ରାସ୍ତାକଡ଼ରେ ବସି ବାଦାମ ବିକୁଥିବା ବୁଢ଼ା ଲୋକଟିଏକୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲେଇ ପଡ଼ି ତାଙ୍କଠାରୁ ବାଦାମ କିଣୁଥିଲେ। ବାଦାମ ଖାଇବାକୁ ଇଚ୍ଛା ନଥିଲେ ବି ସେ ଏହାକୁ କିଣି ନେଉଥିଲେ। ନଇମା ପଚାରୁଥିଲେ, ଯଦି ବାଦାମ ଖାଇବନାହିଁ, କିଣୁଥିଲ କାହିଁକି? ସେ କହୁଥିଲେ, ବୁଢ଼ା ଜଣକ ତ ଖାଲିରେ ବସିକି ପଇସା ମାଗୁନାହିଁ। ବରଂ ଶୀତ ରାତିରେ ବସି ଗ୍ରାହକଙ୍କୁ ଅପେକ୍ଷା କରୁଛି। ନ’ କିଣିଲେ ତା ମନ କଷ୍ଟ ହେବନି? ତେଣୁ ‌ଛୋଟଛୋଟ କଥାରେ ସେ ନ କହି ବି ମତେ ବହୁତ ବଡ଼ ଉପଦେଶ ଦେଇ ଯାଇଛନ୍ତି ବୋଲି କହିଛନ୍ତି ନଇମା।

ସମ୍ବନ୍ଧିତ ଖବର