ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିବା ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌) ପ୍ରତିନିଧି ଦଳକୁ ଆଜି ସ୍ବାଗତ କରାଯାଇଛି। ପ୍ରଫେସର ମୃଣାଲିନୀ ଫର୍ଣ୍ଣାଡିଜ୍‌ଙ୍କ ଅଧ୍ୟକ୍ଷତାରେ ଆସିଥିବା ପ୍ରତିନିଧି ଦଳରେ ପ୍ରଫେସର ବିବେକ କୁମାର, ପ୍ରଫେସର ନିରାକାର ଶ୍ରୀବାସ୍ତବ, ପ୍ରଫେସର ସୟଦ୍‌ ଅବଦୁଲ୍‌ ହାଫିଜ୍‌ ମଇଉଦ୍ଦିନ୍‌, ପ୍ରଫେସର ରେଖା ଅଗ୍ରୱାଲ୍‌ ସଦସ୍ୟ ରହିଥିବା ବେଳେ ପ୍ରଫେସର ଏନ୍‌ ବାସୁକି ରାଜା ସଦସ୍ୟ ସଂଯୋଜକ ରହିଛନ୍ତି। ପୂର୍ବାହ୍ନରେ କ୍ୟାମ୍ପସରେ ପହଞ୍ଚିବା କ୍ଷଣି ନାକ୍‌ ଟିମ୍‌ର ସଦସ୍ୟମାନଙ୍କୁ ଶୋଭାଯାତ୍ରାରେ ପ୍ରଶାସନିକ ଭବନକୁ ପାଛୋଟି ନିଆଯାଇଥିଲା। ସେଠାରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଏହାପରେ କୁଳପତିଙ୍କ ଦ୍ବାରା ବିଶ୍ବବିଦ୍ୟାଳୟର ବିଭିନ୍ନ ତଥ୍ୟ ଟିମ୍‌ ସଦସ୍ୟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

Advertisment

ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହ ନାକ୍‌ ଟିମ୍‌ର ସଦସ୍ୟମାନଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଶ୍ବବିଦ୍ୟାଳୟ ପାଠପଢ଼ା ଶୈଳୀ, ଗବେଷଣା ପରି ବିଭିନ୍ନ ବିଷୟ ଉପରେ ନାକ୍‌ର ସଦସ୍ୟମାନେ ପଚାରି ବୁଝିଥିଲେ। ଅପରାହ୍ଣ ୨ଟାରେ ବିଭାଗଗୁଡ଼ିକ ପକ୍ଷରୁ ନାକ୍‌ ଟିମ୍‌ ଆଗରେ ସେମାନଙ୍କ ସଫଳତା, ଗବେଷଣା, ଯୋଜନା ସମ୍ପର୍କରେ ଅବତାରଣା କରାଯାଇଥିଲା। ନାକ୍‌ ଟିମ୍‌ରେ ଥିବା ସଦସ୍ୟମାନେ ୩ଟି ଗ୍ରୁପ୍‌ରେ ବିଭକ୍ତ ହୋଇ କମ୍ପ୍ୟୁଟର ସାଇନ୍ସ, ବାଣିଜ୍ୟ, ସାମାଜିକ ବିଜ୍ଞାନ, ଅର୍ଥନୀତି, ଉଦ୍ଭିଦବିଜ୍ଞାନ, ବାୟୋ-ଟେକ୍ନୋଲୋଜି, ପ୍ରାଣୀବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ସଂସ୍କୃତ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇଂରାଜୀ, ହିନ୍ଦୀ ପରି ବିଭାଗ ବୁଲିଥିଲେ। ବିଭାଗର ଗବେଷଣା, ପାଠ୍ୟପୁସ୍ତକ ଉପଲବ୍ଧି ସମ୍ପର୍କରେ ଦେଖିଥିଲେ। ପିଲାଙ୍କୁ କିଭଳି ଶିକ୍ଷା ଦିଆଯାଉଛି, ଦ୍ବନ୍ଦ୍ବ ଦୂର ପାଇଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେବିଷୟରେ ବି ବୁଝିଥିଲେ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ବିବାଦ ଯୋଗୁଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ଦୁଇ ଘଣ୍ଟା ଧରି ବିଭାଗଗୁଡ଼ିକର ଭିତ୍ତିଭୂମି ଓ ଗବେଷଣା ଦେଖି ଖୁସିବ୍ୟକ୍ତ କରିଛନ୍ତି।

ଅପରାହ୍ଣରେ ବିଶ୍ବବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଶତାଧିକ ଛାତ୍ରୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମୟରେ ‌କେତେଜଣ ଛାତ୍ରୀ ହଷ୍ଟେଲ ସମସ୍ୟା ସମ୍ପର୍କରେ ନାକ୍‌ ଟିମ୍‌ ସମ୍ମୁଖରେ କହିଥିଲେ। ତେବେ ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ‌ହଷ୍ଟେଲ ରହିଥିବା ଜାଣି ଖୁସି ହୋଇଥିଲେ। ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ କ’ଣ ସବୁ ସୁବିଧା ରହିଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଲେ। ଏହାପରେ ପୁରାତନ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦ୍ବିତୀୟ ଦିବସରେ ନାକ୍‌ ଟିମ୍‌ର ସଦସ୍ୟମାନେ ବିଶ୍ବବିଦ୍ୟାଳୟର ପରୀକ୍ଷା ପରିଚାଳନା, ବିତ୍ତୀୟ ପରିଚାଳନା ଓ ପାଠଗାର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭାରତୀୟ ରେଡ୍‌କ୍ରସ୍‌, ଏନ୍‌ସିସି, ଏନ୍‌ଏସ୍‌ଏସ୍‌ ପରି ବିଭିନ୍ନ ଶାଖା କିଭଳି କାର୍ଯ୍ୟ କରୁଛି ସେନେଇ ମଧ୍ୟ ଅନୁଧ୍ୟାନ କରିବେ।