ନୀଳାଦ୍ରିବିହାରରେ ସ୍ବଚ୍ଛତାର ନଗ୍ନ ରୂପ: ଝାଡ଼ୁ ମରା ହେଉଛି, ଅଳିଆ ଉଠୁନି

ଚନ୍ଦ୍ରଶେଖରପୁର: ମନ ହେଲେ ସଫେଇ କର୍ମଚାରୀମାନେ ରାସ୍ତାରେ ଝାଡ଼ୁ ମାରନ୍ତି। ଅଳିଆ ଆବର୍ଜନାକୁ ଗୋଟାଇ ନେଇ ଷ୍ଟ୍ରିଟ୍‌ ମୁଣ୍ଡରେ କୌଣସି ଗୋଟିଏ ସ୍ଥାନରେ ଜମା କରନ୍ତି। କିନ୍ତୁ ସେଠାରୁ ଆଉ ଅଳିଆ ଉଠେନି। ଗଦା ହୋଇ ରହେ। ପଚା ଗନ୍ଧ ନାକ ଫଟାଇବା ପର୍ଯ୍ୟନ୍ତ ରାସ୍ତା କଡରେ ଠୁଳ ହୋଇ ରହେ। ଏହା ଦୀର୍ଘ ୭ ବର୍ଷର ସମସ୍ୟା ବୋଲି ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି। ତିନି ତିନିଟି ଅଳିଆ ଉଠା ଗାଡ଼ି ଓ ଡଷ୍ଟବିନ୍‌ ଖତ ଖାଉଥିଲେ ବି ଅବସ୍ଥାରେ ସୁଧାର ଆସୁନାହିଁ। ଏହା ହେଉଛି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ସେକ୍ଟର-୨ ଲେନ୍ ନମ୍ଵର ୮ ଅଞ୍ଚଳର ଅବସ୍ଥା।

କଲୋନି ଭିତରକୁ ପଶିବାବେଳେ ନଜରରେ ପଡ଼ିବ ଗଦା ଗଦା ଅଳିଆ। ଦିନ ଦିନ ଧରି ଅଳିଆ ଆବର୍ଜନା ଜମି ରହୁଥିବାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ବୁଲା ଗାଈ, ଷଣ୍ଢ ଓ କୁକୁର ଅଳିଆକୁ ରାସ୍ତା ଉପରେ ବିଛାଡ଼ି ପକାଉଛନ୍ତି। ଫଳରେ ଲୋକମାନଙ୍କ ଯାତାୟତରେ ଘୋର ସମସ୍ୟା ଦେଖାଯାଉଛି। ସଫେଇ କର୍ମଚାରୀମାନେ ସେଠାକୁ ନିୟମିତ ନ ଆସିବାରୁ ବିଭିନ୍ନ ଷ୍ଟ୍ରିଟ୍‌ର ପରିଚ୍ଛନ୍ନତା ମଧ୍ୟ ଅନୁରୂପ। ସେହିଭଳି ଅଳିଆ ଗଦା ପାଖରେ ଥୁଆ ହୋଇଛି ୩ ଟି ଅଳିଆ ଉଠା ଗାଡ଼ି। ଗାଡ଼ିଗୁଡ଼ିକର ଚକାରେ ଟାୟାର୍ ନାଁହି। କଳଙ୍କ ଧରିଥିବା ରିମ୍‌ ମାଟିରେ ପୋତି ହୋଇଗଲାଣି। ତେଣୁ ରାସ୍ତା ଝାଡ଼ୁ ମାରିବା ପରେ ସଫେଇ କର୍ମଚାରୀମାନେ ଅଳିଆ ବୋହିବାରେ ଅସୁବିଧା ହେଉଛି। ତେଣୁ ସେମାନେ ମନ ଇଛା ଏଠି ସେଠି ଅଳିଆ ଗଦା କରୁଛନ୍ତି। ବିଏମ୍‌ସି ଡଷ୍ଟବିନ୍‌କୁ ଅଳିଆ ନେଉନାହାନ୍ତି।

ତେଣୁ ପଡ଼ି ପଡ଼ି ଡଷ୍ଟବିନ୍‌ ନଷ୍ଟ ହୋଇଗଲାଣି। ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମହାପାତ୍ର କୁହନ୍ତି ଯେ, ଏ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବହୁ ଥର ଅଭିଯୋଗ କରାଯାଇଛି। କିନ୍ତୁ ସେମିତି ଆଖିଦୃଶିଆ କାମ ହେଉନାହିଁ। ଅଭିଯୋଗ କଲେ ଅଳିଆ ଉଠେ। ପୁଣି ବନ୍ଦ ହୋଇଯାଏ। ଏହି କଲୋନିଟି ବିଏମ୍‌ସିର ସାବତ ପୁଅ ବୋଲି ସେ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର