ନାଲ୍‌କୋର ପ୍ରତିଷ୍ଠା ଦିବସରେ ସଫଳ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା, ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଓ ପ୍ରଫେସର ରଘୁନାଥ ପଣ୍ଡାଙ୍କୁ ନାଲ୍‌‌କୋ କାଳିଦାସ ସମ୍ମାନ

ଭୁବନେଶ୍ୱର: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍‌‌କୋ)ର ୪୦ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ନାଲ୍‌କୋ ନଗରଠାରେ ଆଜି ପାଳନ ହୋଇଛି। ଏହି ଉତ୍ସବରେ କଳାକାର, ଅନୁଷ୍ଠାନ ଏବଂ ପ୍ରସିଦ୍ଧ ବିଶାରଦଙ୍କୁ ସମ୍ମାନିତ କରାଯାଇଛି। ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ପ୍ରଫେସର ରଘୁନାଥ ପଣ୍ଡାଙ୍କୁ ନାଲ୍‌କୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟକ୍ଷେତ୍ରରେ ସଫଳତା ଓ ଅବଦାନ ପାଇଁ ନୃତ୍ୟଗୁରୁ ବର୍ଗରେ ଭରତ ଚରଣ ଗିରି ଓ ରୂପଶ୍ରୀ ମହାପାତ୍ରଙ୍କୁ ନାଲ୍‌କୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟଶିଳ୍ପୀ ବର୍ଗରେ ଗୌରୀଶଙ୍କର ଦାଶ ଓ ମଞ୍ଜୁଶ୍ରୀ ପଣ୍ଡାଙ୍କୁ ନାଲ୍‌‌କୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଥଇଥାନ ପାଇଁ କାର୍ଯ୍ୟରତ ଗଞ୍ଜାମ ଅର୍ଥୋପେଡିକାଲି ହ୍ୟାଣ୍ଡିକ୍ୟାପ୍‌ଡ ୱେଲ୍‌ଫେୟାର୍ ଆସୋସିଏସନ୍‌କୁ ନାଲ୍‌କୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଉଛି। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ସମସ୍ତ ବିଜେତାଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ ପ୍ରଶଂସା କରିଥିଲେ। ସେ ନାଲ୍‌କୋର ପ୍ରତିଷ୍ଠାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କମ୍ପାନିକୁ ଏକ ସଫଳ ଶିଳ୍ପାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ନିରନ୍ତର କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର