ଭୁବନେଶ୍ୱର : ନାଲ୍କୋ ପକ୍ଷରୁ ୨୩ତମ ଅଲ୍ ଓଡ଼ିଶା କ୍ୱାଲିଟି ସର୍କଲ୍ ସମାବେଶ ନାଲ୍କୋ ନଗର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ୧୦ଟି ୟୁନିଟ୍ରୁ ସମୂଦାୟ ୮ଟି କ୍ୱାଲିଟି ସର୍କଲ୍ ଓ ୭ଟି ଟିପଏମ୍ ସର୍କଲ୍ ଅଂଶଗ୍ରହଣ କରିଥିଲେ। ୧୯୯୬ ମସିହା ଠାରୁ ନାଲ୍କୋ ଏହି ସମାବେଶ ଆୟୋଜନ କରୁଛି।
କାର୍ଯ୍ୟକ୍ରମର ଉଦ୍ଯାପନ ଅବସରରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳ ଏବଂ ଅନୁଷ୍ଠାନକୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଡ. ଚାନ୍ଦ କହିଲେ ଯେ ଏହି ସମବେଶରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ କ୍ୱାଲିଟି ଆନ୍ଦୋଳନକୁ ଭିନ୍ନ ଏକ ସ୍ତରକୁ ନେବା ପାଇଁ ଶପଥ ନେବା ଉଚିତ। କ୍ୱାଲିଟି ସର୍କଲ୍ ମଧ୍ୟରେ ନାଲ୍କୋ ଟ୍ରଫି ନାଲ୍କୋର କ୍ୟୁସି ମିରାକଲ୍କୁ ପ୍ରଦାନ କରାଯାଇଥିବା ବେଳେ ଟିପିଏମ୍ ମଧ୍ୟରେ ନାଲ୍କୋ ଟ୍ରଫି ରାୟଗଡାର ଜେକେପିଏମ୍ର ଜାଗୁଆର୍ ଦଳକୁ ଦିଆଯାଇଥିଲା।
ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ମାନରେ ୨୦୧୮ ପାଇଁ ବୃହତ ଉଦ୍ୟୋଗ ଶ୍ରେଣୀରେ ବାଲେଶ୍ୱର ଆଲଏଜ୍, ମଧ୍ୟମ ଉଦ୍ୟୋଗ ଶ୍ରେଣୀରେ କଟକର ମଣିଶ୍ରୀ ରିଫ୍ରାକ୍ଟରିଜ୍ ଆଣ୍ଡ୍ ସେରାମିକ୍ସ ଓ କ୍ଷୁଦ୍ର ଉଦ୍ୟୋଗ ଶ୍ରେଣୀରେ ଅନୁଗୁଳର ଅତ୍ରିତେଶ ଇଣ୍ଡଷ୍ଟ୍ରିଜ୍କୁ ନାଲ୍କୋ ମଧୁସୂଦନ ଦାସ କ୍ୱାଲିଟି ପୁରସ୍କାର ପ୍ରଦାନ କରାଯାଇଛି।
ସେବାରେ କ୍ଷେତ୍ରରେ ସିଆଇଏସ୍ଏଫ୍ କନ୍ଷ୍ଟେବଲ୍ ଅଶ୍ୱିନୀ କୁମାର ବେହେରାଙ୍କୁ ତାଙ୍କ ନିଷ୍ଠାପର ସେବା ହେତୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିର୍ଦେଶକ (ଅର୍ଥ) କେ ସି ସାମଲ, ନିର୍ଦେଶକ (ଉତ୍ପାଦନ) ଭି ବାଲସୁବ୍ରମଣ୍ୟମ୍, ନିର୍ଦେଶକ (ପ୍ରକଳ୍ପ ଓ ପ୍ରଯୁକ୍ତି) ଏସ୍ କେ ରାୟ ଓ ନିର୍ଦେଶକ (ବାଣିଜ୍ୟ) ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ।