ଭୁବନେଶ୍ୱର: ଆମେ ଇତିହାସ ସୃଷ୍ଟି କରିଛେ ସତ, କିନ୍ତୁ ଏହା ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ ହୋଇପାରୁନାହିଁ। ଗବେଷକମାନେ ଏ ଦିଗରେ ଅଧିକ କାମ କଲେ ଆମେ ଶୀର୍ଷରେ ପହଞ୍ଚି ପାରିବା। ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ। ନିଜ ମାଟି ଓ ଭାଷାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ସାହିତ୍ୟିକ ଦାଶ ବେନହୁର କହିଲେ, ଓଡ଼ିଆ ଜାତିର ପ୍ରାଚୀନ ପରିଚୟ ରହିଛି। ଇଂରେଜମାନଙ୍କ ବିଚାର ହିସାବରେ ଆମେ ଜାନୁଆରି ୧କୁ ନବବର୍ଷ ଭାବେ ବିଚାର କରୁଛେ। କିନ୍ତୁ ଏହି ମାଟିର ଜନ୍ମ ଦିବସ ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ।
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, କୈଳାସ ଚନ୍ଦ୍ର ଟିକାୟତରାୟ, ଡାକ୍ତର ସଂଘମିତ୍ରା ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳର କଳା, ଭାଷା, ସାହିତ୍ୟ ଓ ପରମ୍ପରା ମହାନ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ନମାମି ମନ୍ଦାକିନୀର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ କରି କହିଲେ, ଓଡ଼ିଆ ଭାଷା, ପରମ୍ପରା, ସାହିତ୍ୟ ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି। ଏହାର ପରିଚୟ ହେଉଛି ଲୋକ ସଂସ୍କୃତି, ଲୋକ ସଂଗୀତ ଓ ଲୋକକଳା। ଆମ ଜଗନ୍ନାଥ ସଂସ୍କୃତି ହିଁ ମାନବବାଦର ବାର୍ତ୍ତା ବହନ କରିଥାଏ। ଏହି ସଂସ୍କୃତିର ରକ୍ଷା ପାଇଁ ଯୁବପିଢ଼ି ଚେଷ୍ଟା କରିବା ସହ ପୂର୍ବପୁରୁଷଙ୍କୁ ଏହାକୁ ବଞ୍ଚାଇ ରଖିଥିବାରୁ ପ୍ରଣାମ କରିବା ଆବଶ୍ୟକ।
ଏହି ଅବସରରେ ୭ଜଣଙ୍କୁ ‘ସୁଯୋଗ୍ୟ ଓଡ଼ିଆ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ହରିଶଙ୍କର ବାବା ଯୋଗ ଓ ଭାଗବତ ବିଷୟରେ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିବା ବେଳେ ସୁଧାଂଶୁ ଶେଖର ମହାରଣା, ସଂଯୋଜକ ନାରାୟଣ ଓଝା, ତନ୍ମୟ ସାମନ୍ତରାୟ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଦୀପ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।