ଭୁବନେଶ୍ବର: ଭିନ୍ନ ଭିନ୍ନ ମଡେଲର ମୋବାଇଲ୍ ହେଉ ଅବା ଇୟର୍‌ଫୋନ୍ କିମ୍ବା ହେଉ ବଜାରଠାରୁ ଟିକେ କମ୍ ଦାମ୍‌ରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ। କେଉଁଠୁ କିଣିବେ ବୋଲି ଚିନ୍ତା କଲା ବେଳକୁ ଅନ୍ୟ ଜଣେ ସ୍ବତଃ କହିଦିଏ 'ବାପୁଜୀ ନଗର'ରୁ କିଣ। ହଁ ବାପୁଜୀ ନଗର: ରାଜଧାନୀର ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍ ହବ୍। ଆଉ ରାଜଧାନୀର ଏକ ଗୁରୁତ୍ବପୂର୍ଣ୍ଣ ତଥା ପ୍ରମୁଖ ଅଞ୍ଚଳ। ହେଲେ ଏହି ଅଞ୍ଚଳର ନାମକରଣ ବାପୁଜୀ ନଗର କେମିତି ହେଲା? ମହାତ୍ମା ଗାନ୍ଧୀ କ'ଣ କେବେ ଏଠାକୁ ଆସିଥିଲେ? ନା ଏଠାରେ ରହିଥିଲେ? ମହାତ୍ମାଙ୍କୁ ନେଇ ବାପୁଜୀ ନଗରର ନାମକରଣ ହୋଇଥିଲେ ସୁଦ୍ଧା ଏ ଯାଏଁ ଅନେକ ଏହାର ଏଭଳି ନାମକରଣ ସମ୍ପର୍କରେ ଜାଣି ନଥିବେ।

Advertisment

ହେଲେ ଅସଲ କଥା ହେଲା, ୧୯୪୮ ମସିହାରେ ଯେବେ ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା, ସେତେବେଳେ ଏଠାରେ ସେମିତି କିଛି ଆବାସିକ କଲୋନି ନଥିଲା। ଖଣ୍ଡ ଖଣ୍ଡ ହୋଇ ଗାଁ ମାନ ଥିଲା। ରାଜଧାନୀରେ ଯେତେବେଳେ ବିଭିନ୍ନ ପ୍ଲଟ ଚିହ୍ନଟ କରି ବିଭିନ୍ନ ଅଞ୍ଚଳରେ ବର୍ଗୀକରଣ କରାଗଲା ସର୍ବପ୍ରଥମେ ବେସରକାରୀ ଗୃହ ନିର୍ମାଣ ନିମନ୍ତେ ରାଜଧାନୀରେ ଜାଗା ପ୍ରଦାନ କରା ଯାଇଥିବା ଅଞ୍ଚଳର ନାମ ସରକାରୀ ଭାବେ ଦିଆଗଲା ବାପୁଜୀ ନଗର। ଦେଶ ସେତେବେଳେ ନୂଆ ନୂଆ ସ୍ବାଧୀନ ହୋଇଥାଏ ଓ ମହାତ୍ମା ଗାନ୍ଧୀଙ୍କ ଦେଶ ସେବା ଓ ଆଦର୍ଶରେ ସାରା ଦେଶ ଅଭିଭୂତ ଥାଏ। ଏହି କ୍ରମରେ ରାଜଧାନୀରେ ବେସରକାରୀ ଗୃହ ନିର୍ମାଣ ପାଇଁ ଆବଣ୍ଟନ ହେଇଥିବା ପ୍ରଥମ ଅଞ୍ଚଳକୁ ତାଙ୍କରି ନାମରେ ସମର୍ପିତ କରାଗଲା ଓ ନାମ ରଖାଗଲା ବାପୁଜୀ ନଗର।

publive-image

ବିଶିଷ୍ଟ ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ ନିଜ ପୁସ୍ତକ ପଞ୍ଚସ୍ତରୀ ବର୍ଷର ରାଜଧାନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ନବ ନିର୍ମିତ ରାଜଧାନୀରେ ବେସରକାରୀ ଗୃହ ନିର୍ମାଣ ନିମନ୍ତେ ସରକାର ୮୦୦୦ ପ୍ଲଟ୍‌କୁ ବିକଶିତ କରି ୯୯ ବର୍ଷିଆ ଲିଜ ମାଧ୍ୟମରେ ଆଗ୍ରହୀ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ରାଜଧାନୀରେ ଜମି ଯୋଗାଇଦେବା ନିମନ୍ତେ ସରକାର ସ୍ଥିର କରିବା ପରେ ତାହାକୁ ସୋସାଇଟି ମାଧ୍ୟମରେ ଆବଣ୍ଟନ କରିବାକୁ ନିଷ୍ପତ୍ତି ନିଆଗଲା। ସେତେବେଳେ ଏହି ସୋସାଇଟିର ଅଧ୍ୟକ୍ଷ ରହୁଥିଲେ ଜଣେ ଗଣ୍ୟମାଣ୍ୟ ବ୍ୟକ୍ତି ଏବଂ ଏହି ସୋସାଇଟିର ସର୍ବପ୍ରଥମ ସଭାପତି ଥିଲେ ଉପବାଚସ୍ପତି ଲୋକନାଥ ମିଶ୍ର। ଜମି ଆଶାୟୀ ସରକାରୀ କର୍ମଚାରୀ ଏହାର ସଭ୍ୟ ହେଉଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ବାଦବିବାଦ ପରେ ରାଜନୈତିକ ବ୍ୟକ୍ତି ତଥା ବ୍ୟବସାୟୀମାନଙ୍କୁ ମଧ୍ୟ ଏହି ସୋସାଇଟିର ସଭ୍ୟ ହେବାର ସୁଯୋଗ ମିଳିଲା। ୧୯୫୦ ମସିହାରେ ପ୍ରଥମେ ବେସରକାରୀ ଗୃହ ନିର୍ମାଣ ନିମନ୍ତେ ରାଜଧାନୀରେ ଜାଗା ପ୍ରଦାନ କରାଯିବା ଆରମ୍ଭ ହେଲା। ମହାତ୍ମା ଗାନ୍ଧୀଙ୍କ ନାମରେ ୧୦୦ଟି ପ୍ଲଟକୁ ନେଇ ଆରମ୍ଭ ହୋଇଥିଲା ସର୍ବପ୍ରଥମ ପ୍ରକଳ୍ପର ନାମ ରଖାଗଲା 'ବାପୁଜୀ ନଗର'। ପ୍ରକଳ୍ପର ପ୍ରତି ପ୍ଲଟର ଉନ୍ନୟନ ଦାମ ୫ ହଜାର ଟଙ୍କା ରଖାଯାଇଥିଲା ବେଳେ, ମାସିକ ଭଡ଼ା ଥିଲା ଏକ ଶହ ଟଙ୍କା। ରାଜୁ ସାହୁଙ୍କ ଜଳଖିଆ ଦୋକାନଠାରୁ ଆରମ୍ଭ ହୋଇ ଏହି ଆବାସିକ ପ୍ରକଳ୍ପର ଶେଷ ସୀମା ଥିଲା ଶିଶୁ ଭବନ। ୧୦୦ଟି ପ୍ଲଟକୁ ନେଇ ଆରମ୍ଭ ହୋଇଥିବା ଏହି କଲୋନିର ପଛରେ ଏବେ ଘର ଓ ଆଗରେ ଦୋକାନ ବଜାର। ସର୍ବୋପରି ରାଜଧାନୀର ଇଲେକ୍ଟ୍ରୋନିକ୍ସ ହବ୍ ଭାବେ ପରିଚିତ।

ଉପସ୍ଥାପନା: ସସ୍ମିତା ସାହୁ
ଫଟୋ: ବିଭୂତି