ଭୁବନେଶ୍ବର: ଭାରତରେ ଏମିତି ଅନେକ ଜଳାଶୟ ରହିଛି, ଯାହାର ପାଣି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବୋଲି ଲୋକେ ବିଶ୍ବାସ କରନ୍ତି। ଅନେକ ଲୋକ ସେଥିରୁ ଉପକୃତ ହୋଇଥିବା କଥା ମଧ୍ୟ କହନ୍ତି। ଏଭଳି ଏକ ଜଳାଶୟ ହେଉଛି ପୁରୁଣା ଭୁବନେଶ୍ବର କେଦାରଗୌରୀ ମନ୍ଦିରରେ ଥିବା ‘କେଦାରଗୌରୀ କୁଣ୍ଡ’। ଏଠାରେ ଥିବା ‘ଦୁଗ୍ଧ କୁଣ୍ଡ’ର ପାଣି ନିୟମିତ ଭାବେ ପ୍ରାୟ ୨ ମାସରେ ପିଇଲେ ଗ୍ୟାସ୍ ସମସ୍ୟା, ଅଗ୍ନିମାନ୍ଦ୍ୟ ସହ ବିଭିନ୍ନ ପେଟରୋଗ, ଏପରିକି ମ୍ୟାଲେରିଆ, ଟିବି ଭଳି କଠିନ ରୋଗ ଦୂରହୁଏ ବୋଲି ଅନେକଙ୍କ ଅଖଣ୍ଡ ବିଶ୍ୱାସ ରହିଛି। ସେହିଭଳି ଏଠାରେ ଥିବା ‘ଗୌରୀ କୁଣ୍ଡ’ରେ ଲଗାତାର ସ୍ନାନ କଲେ ବିଭିନ୍ନ ପ୍ରକାର ଚର୍ମରୋଗ ଦୂରହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ଖାସ୍ କେଦାରଗୌରୀ କୁଣ୍ଡ ଜଳର ଏହି ମାହାତ୍ମ୍ୟ ତଥା ଏହାକୁ ନେଇ ଲୋକ ବିଶ୍ବାସର ପ୍ରତୀକ ଭାବେ ସେହି ମନ୍ଦିର ନିକଟରେ ଏବେ ବି ‘ସାନିଟାରିୟମ୍ ଛକ’। ଏ ଛକର ଏପରି ଇଂରେଜି ନାମକରଣ ପଛରେ ଥିବା କାରଣ ସଂପର୍କରେ ଅନେକ ଭୁବନେଶ୍ବର ନିବାସୀ ମଧ୍ୟ ଜାଣି ନଥିବେ!
ବ୍ରିଟିସ ଶାସନର ସମୟ। ୧୯୦୦ ମସିହା ବେଳକୁ କେଦାରଗୌରୀ କୁଣ୍ଡର ଜଳରେ ଔଷଧୀୟ ଗୁଣ ରହିଛି ବୋଲି ଏକ ପ୍ରକାର ପ୍ରମାଣିତ ହୋଇସାରିଥାଏ। ଅତିକମ୍ରେ ଏ ବାବଦରେ ସ୍ଥାନୀୟ ଲୋକଙ୍କ ଭିତରେ ଥିବା ବିଶ୍ବାସ ବାହାରେ ମଧ୍ୟ ପ୍ରଚାରିତ ହୋଇ ସାରିଥିଲା। ତେଣୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଲୋକମାନେ ଆସି ଏଠାରୁ ପାଣି ନେଉଥିଲେ। କଠିନ ରୋଗରେ ପଡ଼ିଥିବା ରୋଗୀ ଏହି ଜଳ ପ୍ରତିଦିନ ବ୍ୟବହାର କରିବାଲାଗି ଏଠାରେ ମାସେ ଦୁଇମାସ ରହୁଥିଲେ ମଧ୍ୟ। ଏହା ଦେଖି ବାହାରୁ ଆସୁଥିବା ଲୋକଙ୍କ ସବୁଧା ପାଇଁ କୋଲ୍କାତାର ଜଣେ ବଙ୍ଗାଳୀ ଡାକ୍ତର ଓ ଜଣେ ବ୍ରିଟିସ ଭଦ୍ରଲୋକ ମିଶି କେଦାରଗୌରୀ ମନ୍ଦିରଠାରୁ ମାତ୍ର ୩୦୦- ୪୦୦ ମିଟର ଦୂରରେ ଏକ ଆରୋଗ୍ୟାଳୟ ବା ‘ସାନିଟାରିୟମ୍’ ଖୋଲିଥିଲେ। ଏବେ ଆଉ ସେ ସାନିଟାରିୟମ୍ ନାହିଁ, କିନ୍ତୁ ସେ କାହାଣୀ ଅଛି।
ଏ ସମ୍ପର୍କରେ ବିଶିଷ୍ଟ ଐତିହାସିକ ଅନୀଲ ଧୀର କହନ୍ତି, ‘‘ଯେତେବେଳେ କୋଲକାତାର ବଙ୍ଗାଳୀମାନଙ୍କୁ ମ୍ୟାଲେରିଆ, ଟିବି ବା କୌଣସି ପେଟରୋଗ ହେଉଥିଲା, ଔଷଧ ସେବନ ପରେ ରୋଗ ଦେହରୁ ଛାଡ଼ିବା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ତଥା ଶରୀରରୁ ଦୁର୍ବଳତା ଦୂର କରିବା ପାଇଁ ସେମାନଙ୍କୁ ଏହି ସାନିଟାରିୟମ୍ ବା ଆରୋଗ୍ୟାଳୟରେ ରହିବାକୁ କୋଲକାତାର ଡାକ୍ତରମାନେ ପରାମର୍ଶ ଦେଉଥିଲେ। ସମାନ କାରଣରୁ ବ୍ରିଟିସ ବା ଇଂରେଜ ଲୋକେ ମଧ୍ୟ ଏଠାକୁ ଆସୁଥିଲେ। ଏହି ସାନିଟାରିୟମ୍ ୨ ମହଲା ବିଶିଷ୍ଟ ଥିଲା। ତଳ ମହଲାରେ ଇଂରେଜମାନେ ରହୁଥିଲେ, ଉପର ମହଲାରେ ବଙ୍ଗାଳୀ ତଥା ଭାରତୀୟମାନେ। ସେମାନେ ଏଠାରେ ୨-୩ ମାସ ରହି କେଦାରଗୌରୀର ଦୁଗ୍ଧ କୁଣ୍ଡ ପାଣି ନିୟମିତ ପିଉଥିଲେ ଓ ସୁସ୍ଥ ହୋଇ ଘରକୁ ଫେରୁଥିଲେ। ଏହା ବହୁ ବର୍ଷ ଧରି ଚାଲିଥିଲା। ଫଳରେ ସେ ସମୟରେ ଏହି ସ୍ଥାନଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ଏକ ପ୍ରମୁଖ ସ୍ଥାନ ପାଲଟି ଯାଇଥିଲା। ଧୀରେ ଧୀରେ ଏହି ‘ସାନିଟାରିୟମ୍’ ଏକ ଲ୍ୟାଣ୍ଡମାର୍କ ପାଲଟିଗଲା ଓ ଲୋକମାନେ ସେହି ଛକକୁ ‘ସାନିଟାରିୟମ୍ ଛକ’ ବୋଲି କହିବାକୁ ଆରମ୍ଭ କଲେ। ଛକଟି ଏଣିକି ସେହି ନାଁରେ ପରିଚିତ ହେଲା।’’
ସମୟକ୍ରମେ ସାନିଟାରିୟମ୍ ବନ୍ଦ ହୋଇଗଲା। କୋଠାଟିକୁ ଉପରୋକ୍ତ ବଙ୍ଗାଳୀ ଡାକ୍ତରଙ୍କ ବଂଶଜ ସ୍ଥାନୀୟ ଓଡ଼ିଆମାନଙ୍କୁ ବିକି ଦେଲେ। ୨୦୦୦ ମସିହା ଆଡ଼କୁ ସାନିଟାରିୟମ୍ କୋଠାକୁ ଭାଙ୍ଗି ଦିଆଗଲା ଓ ସେହି ସ୍ଥାନରେ ଆପାର୍ଟମେଣ୍ଟ ଗଢ଼ାଗଲା। ଏବେ ଆଉ ‘ସାନିଟାରିୟମ୍’ ବୋଲି ତ କିଛି ଆରୋଗ୍ୟାଳୟ ନାହିଁ, କି ଆଜିର ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ଯୁଗରେ କେଦାରଗୌରୀ ପାଣି ପିଇ କେହି ସୁସ୍ଥ ହେବାକୁ ଆସୁନାହାନ୍ତି। କିନ୍ତୁ ସେହି ପୁରୁଣା ଦିନର ସ୍ମୃତିକୁ ଧରି ‘ସାନିଟାରିୟମ୍ ଛକ’ ଏବେ ବି କେଦାରଗୌରୀ କୁଣ୍ଡର ଔଷଧୀୟ ଗୁଣ ଓ ମାହାତ୍ମ୍ୟର ମୁକସାକ୍ଷୀ ହୋଇ ରହିଛି।