ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଐତିହ୍ୟ ଓ କାହାଣୀ ଆମକୁ ସବୁବେଳେ ରୋଚକ ତଥ୍ୟ ଦେବା ସହ ଚକିତ କରିଆସିଛି। କେତେବେଳେ ବ୍ରିଟିସଙ୍କ ପ୍ରଭାବ ତ ପୁଣି କେବେ ସାଧାରଣ ଲୋକଙ୍କ ଯୋଗୁଁ ରାଜଧାନୀର ପ୍ରତିଟି ଗଳିକନ୍ଦି ଗୋଟିଏ ଗୋଟିଏ କାହାଣୀ କୁହେ। ଏହି ଧାରାରେ ଓଡ଼ିଶାର ରାଜବଂଶ ଓ ରାଜାମାନେ ପଛକୁ ପଡ଼ିଯିବେ ବା କେମିତି? ଏମିତିରେ ବି ରାଜଧାନୀର ପ୍ରତିଷ୍ଠା ସମୟରେ ରାଜଧାନୀର ବିଭିନ୍ନ କୀର୍ତ୍ତିରାଜି, ଐତିହ୍ୟ ଓ କିମ୍ବଦନ୍ତୀକୁ ସମ୍ମାନ ଜଣାଇ ବିଭିନ୍ନ ରାଜବଂଶ ଓ ରାଜାଙ୍କ ନାମରେ ଏଠାର ବିଭିନ୍ନ ଛକ ଓ ସ୍ଥାନର ନାମକରଣ ହୋଇଥିଲା। ଏଥର ନାଁ ପଛର କଥାରେ ଆସନ୍ତୁ ରାଜଧାନୀର ଏଭଳି ଏକ ସ୍ଥାନ ‘ସୂର୍ଯ୍ୟନଗର’ର କାହାଣୀ।
ସମ୍ରାଟ ଖାରବେଳଙ୍କ ସମୟରୁ ଉତ୍କଳୀୟ ସାମରିକ ଶକ୍ତି ଗଜ ବାହିନୀରେ କେନ୍ଦ୍ରୀଭୁତ ହୋଇଥିଲା। ଯୁଦ୍ଧ ସାମଗ୍ରୀ ପରିବହନ ସହିତ ଆକ୍ରମଣ, ପ୍ରତି-ଆକ୍ରମଣ ସମୟରେ ହସ୍ତୀ ଯୁଦ୍ଧ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା। ଉତ୍କଳୀୟ ସାମରିକ ଶକ୍ତି ଲଢ଼ୁଆ ଗଜବାହିନୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କପିଳେଶ୍ୱର ରାଉତରାୟ ଗଙ୍ଗ ବଂଶର ଯବନିକା ଟାଣି, ଏକ ନୂତନ ରାଜବଂଶ ପ୍ରତିଷ୍ଠା କରି ନିଜକୁ କପିଳେନ୍ଦ୍ର ଦେବ ନାମରେ ନାମିତ କରିଥିଲେ। ୧୪୩୫ ଖ୍ରୀଷ୍ଟାବ୍ଦରେ ତାଙ୍କର ଅଭିଷେକ ଉତ୍ସବ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ସେ ନିଜକୁ ସୂର୍ଯ୍ୟବଂଶୀ ଗଜପତି ଭାବେ ଘୋଷଣା କରିଥିଲେ। ୧୪୩୫ରୁ ୧୫୩୩ ଖ୍ରୀ. ପର୍ଯ୍ୟନ୍ତ ଓଡ଼ିଶାର ଶାସନ ଧାରାକୁ ନୂତନ ଦିଗ୍ଦର୍ଶନ ଦେବା ସହ ସଂସ୍କୃତି ଧାରାକୁ ବହୁ ଭାବେ ପ୍ରଭାବିତ କରିଥିବା ଏହି ରାଜବଂଶର ତିନି ଜଣ ନରପତି ଥିଲେ କପିଳେନ୍ଦ୍ର ଦେବ, ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ତଥା ପ୍ରତାପରୁଦ୍ର ଦେବ।
ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ କହିଛନ୍ତି, ନୂତନ ଉତ୍କଳୀୟ ସାଂସ୍କୃତିକ ଜାଗରଣ ଧ୍ରୁବତାରା ପାଲଟିଥିବା କପିଳେନ୍ଦ୍ର ଦେବ ଥିଲେ ଓଡ଼ିଆ ଭାଷା ତଥା ଜଗନ୍ନାଥ ସଂସ୍କୃତିର ମହାନ ପୃଷ୍ଠପୋଷକ । ଏହି ରାଜବଂଶ ଶାସନ କାଳରେ ରାଜ୍ୟରେ ନବଯୁଗର ସୂତ୍ରପାତ ହେବା ସହ ସାଂସ୍କୃତିକ ନବ ଜାଗରଣ ସୃଷ୍ଟି ହୋଇଥିଲା। ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ଲାଭ କରିଥିଲା। ସାମ୍ରାଜ୍ୟବାଦର ଅବସାନ, ସାମ୍ରାଜ୍ୟ ବିସ୍ତୃତି କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସେମାନଙ୍କ ରାଜତ୍ୱ କାଳରେ ଜଗନ୍ନାଥ ଉପାସନାର ବହୁଳ ପ୍ରଚାର ଓ ପ୍ରସାର ହୋଇଥିଲା। ଓଡ଼ିଶାର ସ୍ୱାଭିମାନ ସହ ଜଡ଼ିତ ବିଜୟ କିମ୍ବଦନ୍ତୀ, ସୂର୍ଯ୍ୟବଂଶୀ ଗଜପତି ରାଜତ୍ୱ କାଳର ପୁରୁଷୋତ୍ତମ ଦେବଙ୍କ ସହ ଜଡ଼ିତ। ସେହି ଆଧାରରେ ପ୍ରଚଳିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଛେରାପହଁରା ନୀତି ଅଦ୍ୟାବଧି ଉତ୍କଳୀୟ ଜନମାନସକୁ ଭାବପ୍ରବଣ କରିଆସିଛି।
ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ସମୟରେ, ସହରର ବିଭିନ୍ନ ସ୍ଥାନକୁ ପ୍ରତିଷ୍ଠିତ ଉତ୍କଳୀୟ ରାଜବଂଶ ନାମରେ ନାମିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦନୁଯାୟୀ ଏଲ୍ଆଇସି ଛକଠାରୁ ଗଙ୍ଗନଗର ଛକ, ସେଠାରୁ ଏକାମ୍ର ମାର୍ଗ, ଆଜାଦ୍ ମାର୍ଗ ଦେଇ ପ୍ରକୃତି ବିହାର ତଥା ରାଜଭବନର ପଛ ପାର୍ଶ୍ବ ଅଞ୍ଚଳକୁ 'ସୂ୍ର୍ଯ୍ୟନଗର' ନାମରେ ନାମିତ କରାଯାଇଥିଲା। ସହରର ଏହି ଅଞ୍ଚଳରେ ମା' ଝାଡ଼େଶ୍ୱରୀଙ୍କ ମନ୍ଦିର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ, ୟୁନିଟ-୭, ସୂର୍ଯ୍ୟ ନଗର ଓ କୃଷିବହାର ଆଦି ଗୁରୁତ୍ୱପୂର୍ଣ୍ଣ ଜନବସତି ମାନ ରହିଅଛି।
ଉପସ୍ଥାପନା: ସସ୍ମିତା ସାହୁ
ଫଟୋ: ଅସିତ ଶତପଥୀ