ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ପୂର୍ବତନ ଅଧ୍ୟାପିକା ନମିତା ମହାନ୍ତିଙ୍କ ୨ଟି ଇଂରାଜୀ ଓ ଗୋଟିଏ ଓଡ଼ିଆ କବିତା ପୁସ୍ତକ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ସମ୍ମିଳନୀ କକ୍ଷରେ ପାଠକାର୍ପିତ ହୋଇଯାଇଛି। ଏଥିରେ ମନସ୍ତତ୍ତ୍ୱ ବିଭାଗର ପୂର୍ବତନ ଅଧ୍ୟାପକ ଅଜିତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩ଟି ପୁସ୍ତକର ସମୀକ୍ଷା କରିଥିଲେ। ଶ୍ରୀମତୀ ମହାନ୍ତିଙ୍କ ଅଧିକାଂଶ କବିତା ପ୍ରେମ, ଭାବାବେଗ, ପ୍ରକୃତି ଓ ଈଶ୍ୱରଙ୍କ ଭାବନା ଉପରେ ଆଧାରିତ। ଏହା ପାଠକଙ୍କୁ ଭିନ୍ନ ଅନୁଭୂତି ଦେବ ବୋଲି ସେ କହିଥିଲେ।

Advertisment

ସମ୍ମାନିତ ଅତିଥି ଇଂରାଜୀ ବିଭାଗର ପୂର୍ବତନ ଅଧ୍ୟାପକ ଯତୀନ୍ଦ୍ର ନାୟକ ଯୋଗଦେଇ କବିତା ପୁସ୍ତକଗୁଡ଼ିକରେ ଭାବ ଓ ଭାଷା ସାବଲୀଳ ହେବା ସହ ଅନେକ କବିତାରେ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଓ ଭାବାବେଗ ସମ୍ପର୍କର ମହାନୀୟତା ବେଶ୍‌ ଚମତ୍କାର ବୋଲି କହିଥିଲେ। ଲେଖିକା ଶ୍ରୀମତୀ ମହାନ୍ତି ପୁସ୍ତକ ରଚନାର ପୁଷ୍ଠଭୂମି ଓ ଏହାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଜଗନ୍ନାଥ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ତଥା ମନସ୍ତତ୍ତ୍ୱବିତ୍‌ ବସନ୍ତ ଦାସ, ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି, ପ୍ରକାଶିକା ତଥା ‘ତୀରତରଙ୍ଗ’ର ସଂପାଦିକା ବନ୍ଦନା ମିଶ୍ର, ରୋସନାରା ବେଗମ୍‌, ଅଧ୍ୟାପିକା ସୋନାଲି ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ଭାସ୍ୱତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ମୌସୁମୀ ସେଠୀ ଧନ୍ୟବାଦ ଦେଇଥିଲେ।