ପୁନରୁଦ୍ଧାର ହେବ ନମ୍ରକାନୀ, ବରବାରି ପୋଖରୀ

ଭୁବନେଶ୍ବର: ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଦୁଇ ପୋଖରୀର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ୬୫ ନମ୍ବର ୱାର୍ଡ ପରିସରସ୍ଥ ପାତ୍ରପଡ଼ା ନମ୍ରକାନୀ ପୋଖରୀର ପୁନରୁଦ୍ଧାର ପାଇଁ ୧କୋଟି ୮୯ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ ହେବ। ୧୯୯୬ ମସିହାରେ ପୋଖରୀଟି ସଫା ହୋଇଥିବା ବେଳେ ପୁଣି ଦୀର୍ଘ ୨୪ ବର୍ଷ ପ‌‌ରେ ପୋଖରୀ ପୁନରୁଦ୍ଧାର ପାଇଁ ଏତେ ବଡ଼ ପଦକ୍ଷେପ ନିଆଯାଇଛି। ଦେଢ଼ ଏକର ପରିମିତ ଏହି ପୋଖରୀଟି ପାତ୍ରପଡ଼ା ଓ ଭଗବାନପୁରର ଗ୍ରାମଦେବୀ ନମ୍ରକାନୀଙ୍କ ନାମ ଅନୁସାରେ ରହିଥିବା ବେଳେ ଏହାକୁ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟମୟ କରାଯିବ। ପୁନରୁଦ୍ଧାର ପରେ ଚାରିପଟେ ଢଳେଇ କରି ବ୍ୟବହାର ଉପଯୋଗୀ କରାଯିବ। ପୋଖରୀ ଚତୁଃପାର୍ଶ୍ବରେ ଚାଲିବା ପାଇଁ ସୁବିଧା ରହିବ। ଷ୍ଟିଲ୍‌ ରେଲିଂ ଲଗାଯିବ। ପାର୍କ ଭଳି ସୁବିଧା ହେବ। ବସିବା ପାଇଁ ଚେୟାର ଖଞ୍ଜାଯିବ। ଆଜି ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଦୁଃଶାସନ ସ୍ବାଇଁ, ପୂର୍ବତନ କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନା, ଚନ୍ଦ୍ରଶେଖର ଗୁମାନସିଂହ, ରଶ୍ମିରଂଜନ ପାଟ୍ଟଶାଣୀଙ୍କ ସମେତ ପାତ୍ରପଡ଼ା ଭଗବାନପୁରର ଯୁବ ବାହିନୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏଥିସହ ଜାଗମରା ବରବାରୀ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ। ଏଥିପାଇଁ ୧କୋଟି ୬୨ଲକ୍ଷ ୪୨ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ୱାର୍ଡ ନଂ ‌୬୩ରେ ବରବାରୀ ବସ୍ତିକୁ ଲାଗି ରହିଥିବା ଦେଢ଼ ଏକର ବିଶିଷ୍ଟ ଏହି ପୋଖରୀର ପୁନରୁଦ୍ଧାର ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ। ଚତୁଃପାର୍ଶ୍ବକୁ ସୁସଜ୍ଜିତ କରାଯିବା ସହ ଚାଲିବା ପାଇଁ ସୁବିଧା ଓ ବୈଠକୀ ରହିବ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପୋଖରୀର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମଥର ପାଇଁ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦୁଇମାସ ମଧ୍ୟରେ ଆପାତତଃ ଏହା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର