ଖଣ୍ଡଗିରି : ଦୁଇ କୁଖ୍ୟାତ ଡକାୟତ ନଣ୍ଡା-ନାଲୁ ଯୋଡ଼ି ପୁଣି କମିସନରେଟ୍‌ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ କଳିଙ୍ଗନଗରରେ ଭିଣୋଇ ନଣ୍ଡା ଓ ଶଳା ନାଲୁ ଡକାୟତି ଯୋଜନା କରୁଥିବାବେଳେ ସ୍ପେଶାଲ୍ ସ୍କ୍ବାଡ୍‌ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଚଢ଼ଉରେ ଧରାପଡ଼ିଛନ୍ତି। ସେମାନଙ୍କ ସୂଚନାନୁସାରେ ପୁଲିସ କୋଣାର୍କ ବାଜପୁରରୁ ଚୋରି ସୁନାଗହଣା କିଣୁଥିବା ଗହଣା ଦୋକାନୀ ସୁକାନ୍ତ ସାହୁ(୩୧)କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୭୦ ଗ୍ରାମ୍‌ ଓଜନର ସୁନାଗହଣା, ୧୫୦ ଗ୍ରାମ୍‌ ଓଜନର ରୁପା ଅଳଙ୍କାର ଜବତ କରାଯାଇଛି। ନଣ୍ଡା ଓ ନାଲୁଠାରୁ ଦୁଇଟି ଚୋରା ବାଇକ୍‌ ମଧ୍ୟ ପୁଲିସ ଜବତ କରିଛି। ସେମାନେ ଗାଡ଼ି ଦୁଇଟି ଖଣ୍ଡଗିରି ଓ ଧଉଳି ଥାନା ଅଞ୍ଚଳରୁ ଲୁଟିଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବେଗୁନିଆବସ୍ତ ଅଞ୍ଚଳର ନିରଂଜନ ସ୍ବାଇଁ ଓରଫ୍ ନଣ୍ଡା(୪୨) ଓ ସେହି ଅଞ୍ଚଳର ତା’ ଶଳା ନାଲୁ ସ୍ବାଇଁ(୩୫) ନାମରେ ପୁରୀ, କୋଣାର୍କ, ବଳଙ୍ଗା, ପିପିଲି ସମେତ କମିସନରେଟ୍‌ ପୁଲିସ ଥାନାରେ ୬୦ରୁ ଅଧିକ ଡକାୟତି ମାମଲା ରହିଛି। ପୂର୍ବରୁ ନଣ୍ଡା ୪୮ ଥର ଓ ନାଲୁ ୨୫ରୁ ଅଧିକ ଥର ଜେଲ୍‌ ଯାଇସାରିଛନ୍ତି। କିନ୍ତୁ ଜାମିନ୍‌ରେ ଆସିବା ପରେ ପୁଣି ଡକାୟତି କରୁଛନ୍ତି। ରାଜଧାନୀର ମଞ୍ଚେଶ୍ବର, ତମାଣ୍ଡୋ ଓ ଖଣ୍ଡଗିରି ଥାନା ପୁଲିସ ଦ୍ବାରା ସେମାନେ ବହୁଥର ଗିରଫ ହୋଇଛନ୍ତି ଓ ଏବେ ସେମାନଙ୍କ ନାମରେ ଡଜନେ ମାମଲା ରହିଛି। ତେଣୁ ପୁଲିସ ଏହି ଯୋଡ଼ିଙ୍କୁ ଧରିବା ପାଇଁ ଗତ କିଛି ଦିନ ହେଲା ଜାଲ ବିଛାଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ନଣ୍ଡା ବଡ଼ ଭୟଙ୍କର ଡକାୟତ। କୌଣସିଠାରେ ଏକୁଟିଆ ଘର ଠାବ କରିବା ପରେ ସେ ଝରକା ତାଡ଼ି ଘରକୁ ପଶିଯାଏ ଓ ଘରର ଲୋକଙ୍କୁ ମାରଣାସ୍ତ୍ର ମୁନରେ ପଣବନ୍ଦୀ କରି ଡକାୟତି କରିଥାଏ। ଅନେକ ସମୟରେ ସେ ଏକୁଟିଆ ପିଲାଛୁଆ ଧରି ରହୁଥିବା ମହିଳାଙ୍କ ଘରକୁ ଟାର୍ଗେଟ୍‌ କରିଥାଏ ଓ ସେହିଭଳି ଘରେ ଡକାୟତି କଲାବେଳେ ଏକାକି ଯାଏ। କାରଣ ଡକାୟତି କରିବା ସହ ମହିଳାଙ୍କୁ ଦୁର୍ଷ୍କମ କରିବା ତା’ର ବଡ଼ ଲକ୍ଷ୍ୟ। ଖଣ୍ଡଗିରି ପାତ୍ରପଡ଼ା ଏମ୍‌ସନଗରରେ ଓ ଧଉଳି ଥାନା ଅଞ୍ଚଳରେ ସେ ଏଭଳି ଦୁଇଟି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା। ଏତେ ଥର ଗିରଫ ହେଉଥିବା ଓ ପୁଣି ସଂଗିନ୍ ଦଫାରେ ଗିରଫ ହେଉଛି ବୋଲି କୁହାଯାଉଥିବା ଜଣେ ଡକାୟତକୁ କିଭଳି ସହଜରେ ଜାମିନ୍‌ ମିଳୁଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏତେ ମାମଲା ବିଚାରାଧୀନ ରହିଛି, ଅଥଚ ଗୋଟିଏ ବି ମାମଲାରେ ନଣ୍ଡାକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିନଥିବାରୁ ଲୋକେ ନାନାକଥା ଆଲୋଚନା କରୁଛନ୍ତି।