ବାରଙ୍ଗ: ଦିନେ ୧୮ ଫୁଟ୍‌ ଉଚ୍ଚ ଡେଇଁପାରୁଥିବା ନନ୍ଦନ ଆଜି ଘୁଷୁରୁଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଆଜି ତା’ର ଚାଲିବାକୁ ଜୁ’ ନାହିଁ। ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଛି। ପ୍ରତିକ୍ଷଣ ସେ ମୃତ୍ୟୁ ସହ ଯୁଝୁଛି। ଏବେ ଏମିତି ଅବସ୍ଥାରେ ରହିଛି ନନ୍ଦନକାନନର ମହାବଳ ବାଘ ନନ୍ଦନ। ୧୭ ବର୍ଷ ବୟସରେ ପହଞ୍ଚିଥିବା ନନ୍ଦନ ବୁଢ଼ା ହୋଇଯାଇଥିବାରୁ ଏଭଳି ବ୍ୟାଧିର ଶିକାର ହୋଇଛି ବୋଲି ଜଣାପଡ଼ିଛି। ଭଲରେ ଖାଇ ପାରୁନଥିବାରୁ ତାକୁ କଅଁଳ ମାଂସ ଖାଇବାକୁ ଦିଆଯାଉଛି। ନିୟମିତ ପ୍ରତିଷେଧକ ଟିକା ଓ ଖାଦ୍ୟ ପାନୀୟରେ ବିଭିନ୍ନ ଔଷଧ ଦିଆଯାଉଛି।

Advertisment

ନନ୍ଦନ ନାଁରେ ରହିଛି ଏକ ସୁନ୍ଦର ସତ ପ୍ରେମ କାହାଣୀ। ୨୦୧୩ ଜୁଲାଇ ୧୩ ତାରିଖରେ ନନ୍ଦନକାନନକୁ ପଶିଆସିଥିଲା ନନ୍ଦନ। ସେତେବେଳେ ଚନ୍ଦକା ଅଭୟାରଣ୍ୟରେ ଆଦୌ ମହାବଳ ବାଘ ନଥିଲେ। ଏମିତିକି ଏହି ଜଙ୍ଗଲରେ କଲପତରିଆ କେନ୍ଦୁଆ ବି ନ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମହାବଳ ବାଘ ନନ୍ଦନ ଚନ୍ଦକା ଅଭୟାରଣ୍ୟରୁ ଡେଇଁପଡ଼ିଥିଲା ନନ୍ଦନକାନନ ଭିତରକୁ। ସେତେବେଳେ ବାଘୁଣୀ ମେଘାର ଯୁବା ବୟସ। ପ୍ରାୟ ୬ ବର୍ଷ ବୟସର ମେଘା ପ୍ରେମରେ ପଡ଼ି ୮ ବର୍ଷ ବୟସର ନନ୍ଦନ ଜଙ୍ଗଲରୁ ଚାଲିଆସିଥିଲା। ବାଘୁଣୀ ମେଘା ରହୁଥିବା ତାରବାଡ଼ ଘେରା ଖୁଆଡ଼ କଡ଼ରେ ବୁଲିଲା। ଜଙ୍ଗଲର ଯୁବ ମହାବଳ ନନ୍ଦନକାନନ ଭିତରକୁ ପଶି ଆସିଥିବାରୁ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଥିଲା। ତେଣୁ ତାକୁ ତୁରନ୍ତ କାବୁ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ମାତ୍ର ନନ୍ଦନକୁ କାବୁ କରିବା ସମ୍ଭବ ହୋଇନଥିଲା। ବାରମ୍ବାର ସ୍ଥାନ ବଦଳାଇବା କାରଣରୁ ତାକୁ ଧରିବା ସମ୍ଭବ ହେଲାନାହିଁ। କିନ୍ତୁ ଥରେ ୧୪ ଫୁଟିଆ ଯନ୍ତାରେ ଫସିଗଲା। ନନ୍ଦନକାନନ କର୍ତ୍ତୃପକ୍ଷ ଆଶ୍ବସ୍ତ ହେଲେ। କିନ୍ତୁ ରାତିରେ ସେ ୧୪ ଫୁଟିଆ ଯନ୍ତା ଡେଇଁ ବାହାରି ଯାଇଥିଲା।

ସାଧାରଣତଃ ବାଘ ଅତିବେଶିରେ ୧୨ ଫୁଟ୍‌ ଡେଇଁପାରେ। କିନ୍ତୁ ମେଘା ପ୍ରେମରେ ପାଗଳ ନନ୍ଦନ ସେଦିନ ୧୪ ଫୁଟ୍‌ ଉଚ୍ଚ ଡେଇଁ ପଡ଼ିଥିଲା। କିନ୍ତୁ ଜଙ୍ଗଲକୁ ଫେରିଗଲା ନାହିଁ। ତେଣୁ ତା’ ପାଇଁ ୨୨ ଫୁଟ୍‌ ଉଚ୍ଚର ଯନ୍ତା ପ୍ରସ୍ତୁତ କରାଗଲା ଏବଂ ସେଥିରୁ ଆଉ ମୁକୁଳି ପାରିନଥିଲା ନନ୍ଦନ। ପ୍ରଥମେ କର୍ତ୍ତୃପକ୍ଷ ନନ୍ଦନକୁ ‌ଭୋପାଳ ବାଘୁଣୀ ସାରା ସହ ମିଶାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ବାଘୁଣୀ ମେଘାକୁ କ୍ରୋଧିତ କରିଥିଲା। ପାଖ ଖୁଆଡ଼ରେ ରହୁଥିବା ସାରାକୁ ଆକ୍ରମଣ କରିଥିଲା ମେଘା। ତାର ଜାଲି ଥିଲେ ବି ସାରା ଗୋଡ଼କୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲା ମେଘା। ଏହାପରେ ମେଘା ଓ ନନ୍ଦନର ମିଳନ କରାଯାଇଥିଲା। ସେମାନଙ୍କ ମିଳନରୁ ବିଭିନ୍ନ ସମୟରେ ମହାବଳ ବାହୁବଳୀ, କୁନ୍ଦନ, ବିବେକ, ଅଭୟ ଓ ବାଘୁଣୀ ସୋହିନୀ ଜନ୍ମ ନେଇଥିଲେ।

ବାଘ ଖୁଆଡ଼କୁ ସାପ ଭୟ, ମରାମତି ହେଲା କାନ୍ଥ ଫାଟ ଓ ଗାତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ଖୁଆଡ଼କୁ ସାପ ଭୟ ଘାରିଛି। ତେଣୁ ବାଘ ଖୁଆଡ଼ କାନ୍ଥରେ ଥିବା ଫାଟ ଓ ଗାତ ସବୁକୁ ସିମେଣ୍ଟ ପ୍ଲାଷ୍ଟର ଦେଇ ମରାମତି କରାଯାଉଛି। ଗତକାଲି କଳା ବାଘ ‘ବାସୁ’କୁ ସର୍ପାଘାତ ହୋଇଥିବା ଗୁଜବକୁ ନେଇ ଆଜି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଗତକାଲି ୩୩(କ) ଖୁଆଡ଼ରେ ରହୁଥିବା କଳା ରଙ୍ଗର ମହାବଳ ବାଘ ‘ବାସୁ’(୫ ବର୍ଷ)କୁ ସର୍ପାଘାତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା। କିଛି ଗାଇଡ୍‌ ଓ ପର୍ଯ୍ୟଟକ ଏଭଳି ଖବର ଖେଳାଇ ଦେଇଥିଲେ। ବାସୁ ତା ଗୋଡ଼ରେ ଲାଗିଥିବା ଏକ ରଶିକୁ ଛାଟି ଦେଇଥିଲା। କିନ୍ତୁ ଗାଇଡ୍‌ ଓ ପର୍ଯ୍ୟଟକମାନେ ରଶିଟିକୁ ସାପ ବୋଲି ପାଟି କରିଥିଲେ। ପାଟି ଶୁଣି ଜନ୍ତୁରକ୍ଷକମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତୁରନ୍ତ ପ୍ରାଣୀ ଚିକିତ୍ସକ ଦଳ ବାସୁକୁ ୨୦ ନମ୍ବର ଖୁଆଡ଼କୁ ନେଇ ତା’ଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପରେ ବାସୁକୁ ସର୍ପାଘାତ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଖୁଆଡ଼ କାନ୍ଥରେ ଫାଟ ଓ ଗାତ ଥିବାରୁ ସେଥିରେ ସାପ ରହିବାର ଆଶଙ୍କା ଏଡ଼ାଇବାକୁ ଆଜି ପ୍ଲାଷ୍ଟର କରାଯାଇଛି।

ମଣିପୁରୀ ହରିଣ ଓ ନୀଳଗାଈ ମୃତ
ବାରଙ୍ଗ: ଆଜି ନନ୍ଦନକାନନରେ ଏକ ମଣିପୁରୀ ହରିଣ ଓ ଏକ ନୀଳ ଗାଈର ମୃତ୍ୟୁ ହୋଇଛି। ତୃଣଭୋଜି ସଫାରିକୁ ଆସିଥିବା ହରିଣଟି ସମ୍ବରକୁ ଦେଖି ଭୟରେ ଦୌଡ଼ୁଥିବା ବେଳେ ତାର ଜାଲିରେ ବାଡ଼େଇ ହୋଇ ଆହତ ହୋଇଥିଲା। ତାକୁ ଚିକିତ୍ସା କରାଯାଉଥିଲା, କିନ୍ତୁ ଆଜି ତା’ର ମୃତ୍ୟୁ ହୋଇଯାଇଛି। ସେହିଭଳି ଆଜି ଏକ ଛୁଆ ଚିତ୍ରା ହରିଣର ମଧ୍ୟ ମୃତ୍ୟୁ ହୋଇଛି। ନନ୍ଦନକାନନରେ ଏବେ ୨୨ଟି ମଣିପୁରୀ ହରିଣ ଅଛନ୍ତି। ସେହିଭଳି ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬ ନମ୍ବର ଖୁଆଡ଼ରେ ଏକ ମାଈ ନୀଳଗାଈର ମୃତ୍ୟୁ ହୋଇଛି। ସେ ନିମୋନିଆରେ ପୀଡ଼ିତ ଥିଲା। ନନ୍ଦନକାନନରେ ବର୍ତ୍ତମାନ ୪ଟି ଅଣ୍ଡିରା ଓ ୬ଟି ମାଈଙ୍କୁ ମିଶାଇ ମୋଟ ୧୦ଟି ନୀଳଗାଈ ଅଛନ୍ତି। ‌ମାତ୍ର ଆଜି ଏକ ବାଲିହରିଣ ଶାବକ ଜନ୍ମନେଇଛି। ତେଣୁ ବାଲିହରିଣ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି।