ନନ୍ଦନବନ ଗଲେ ୨ ଜଳହସ୍ତୀ

ତ୍ରିଶୂଳିଆ/ବାରଙ୍ଗ: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ଛତିଶଗଡ଼ର ନନ୍ଦନବନ ଚିଡ଼ିଆଖାନାକୁ ୨ଟି ମାଈ ଓ ଅଣ୍ଡିରା ଜଳହସ୍ତୀକୁ ଉପହାର ସ୍ବରୂପ ଦିଆଯାଇଛି। ବୁଧବାର ସଂଧ୍ୟାରେ ଜଳହସ୍ତୀଦ୍ବୟଙ୍କୁ କ୍ରେନ୍‌ ଯୋଗେ ଏନକ୍ଲୋଜରରୁ ବାହାରକୁ ଅଣା ଯାଇଥିଲା। ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କୁ ନନ୍ଦନବନ ପଠାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଣ୍ଡିରା ଜଳହସ୍ତୀଟି ୨୦୦୭ରେ ଓ ମାଈଟି ୨୦୦୯ରେ ଜନ୍ମ ଗ୍ରହଣ କରିଥିଲା। ଗତ ଅକ୍ଟୋବର ୪ ତାରିଖ ଅପରାହ୍ଣରେ ଜଳହସ୍ତୀ ନେବା ପାଇଁ ନନ୍ଦନବନ ଚିଡ଼ିଆଖାନାରୁ ଏକ ୫ ଜଣିଆ ଟିମ୍ ନନ୍ଦନକାନନ ଆସିଥିଲେ। ତେବେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିପତ୍ର ମିଳିନଥିବାରୁ ଏଥିରେ ବିଳମ୍ବ ହୋଇଥିଲା। ଗତ ୯ ତାରିଖରେ ଅନୁମତି ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ପଠାଯାଇଛି। ବର୍ତମାନ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର