ନନ୍ଦନକାନନ ଖବର, ହଳଦୀ ପିଠିଆ ଲରି ରୂପ ଯେମିତି, ସ୍ବର ବି ସେମିତି

ବାରଙ୍ଗ: ଦେଖିବାକୁ ଯେମିତି, ସ୍ବର ବି ସେମିତି। ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ତାକୁ ଦେଖିବା ମାତ୍ରେ କିଛିକ୍ଷଣ ଅଟକି ଯା’ନ୍ତି। ଆଉ ଅପେକ୍ଷା କରନ୍ତି ତା’ର ସ୍ବର ଶୁଣିବାକୁ। ଏଲୋ ବ୍ୟାକ୍‌ଡ ବା ହଳଦୀ ପିଠିଆ ଲରି ନାଁରେ ପରିଚିତ ଏହି ପକ୍ଷୀଟି ନନ୍ଦନକାନନର ୩ ନମ୍ବର ‘କ’ ଖୁଆଡ଼ରେ ରୁହେ। ଲାଲ୍‌ ରଙ୍ଗର ମୁଣ୍ଡକୁ କମଳା ରଙ୍ଗର ଥଣ୍ଟ। ଗୋଡ଼ ଦୁଇଟି ପାଉଁଶିଆ, ପିଠି ଓ ବେକରେ ହଳଦିଆ ରଙ୍ଗର ଚିହ୍ନ। ବିଭିନ୍ନ ରଙ୍ଗରେ ସଜ୍ଜିତ ଏହି ପକ୍ଷୀର କଣ୍ଠ ସ୍ବର ମଧ୍ୟ ପର୍ଯ୍ୟଟକଙ୍କୁ କିଛି ସମୟ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ। ତେବେ ସେ ଏବେ ନନ୍ଦନକାନନରେ ଏକୁଟିଆ ରହୁଛି। ତା’ ପାଇଁ ସାଥୀଟିଏ ଲୋଡ଼ା ବୋଲି ସମସ୍ତେ ମତ ରଖନ୍ତି। ତା’ର ବୟସ ୮ ବର୍ଷ ହେବ। ନନ୍ଦନକାନନ କର୍ତୃପକ୍ଷ ୨୦୧୪ ମାର୍ଚ୍ଚ ୩୧ ତାରିଖରେ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାଠାରୁ ତାକୁ କିଣିଥିଲେ। ସମାନ ପ୍ରଜାତିର ଆଉ ଏକ ପକ୍ଷୀ ସହିତ ତାକୁ ରଖାଯାଇଥିଲା। ମାତ୍ର ତା’ର ଖୁସି ବେଶିଦିନ ରହି ନଥିଲା। ସାଥୀର ମୃତ୍ୟୁ ହୋଇ ଯିବାରୁ ସେ ଏକା ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ୧୯୮୬ ଅକ୍ଟୋବର ମାସ ୨୮ ତାରିଖରେ କୋଲକାତାର ଏମ୍ ଏସ୍‌ ସାଇରାମ ଆଣ୍ତ ସନ୍‌ସ ସଂସ୍ଥାଠାରୁ ଏହି ପ୍ରଜାତିର ୪ଟି ପକ୍ଷୀଙ୍କୁ କ୍ରୟ କରି ନନ୍ଦନକାନନ ଅଣାଯାଇଥିଲା। ବିଭିନ୍ନ କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ପକ୍ଷୀ ପ୍ରାୟତଃ ଇଣ୍ଡୋନେସିଆ ଅଞ୍ଚଳରେ ଦେଖାଯା’ନ୍ତି। ଏମାନେ ଡେଙ୍ଗା ଗଛର ଶୀର୍ଷ ସ୍ଥାନରେ ବସି ରହନ୍ତି। କେବଳ ଖାଦ୍ୟ ଅନ୍ବେଷଣରେ ତଳକୁ ଆସନ୍ତି। ସାଧାରଣତଃ ଫଳ, ମକା, ନଡ଼ିଆ ଫୁଲ ଓ ମହୁକୁ ଖାଦ୍ୟ ଆକାରରେ ଗ୍ରହଣ କରିଥା’ନ୍ତି। ଜୁନ୍ ମାସରୁ ନଭେମ୍ବର ମାଧ୍ୟରେ ପ୍ରଜନନ କରନ୍ତି। ଥରକୁ ଦୁଇଟି ଅଣ୍ତା ଦେଇଥା’ନ୍ତି।

ସମ୍ବନ୍ଧିତ ଖବର