ନନ୍ଦନକାନନ, ଦୁଃଖରେ ରହି ସୁଖ ବାଣ୍ଟୁଛି କକାଟୋ

ବାରଙ୍ଗ: ୧୯୯୮ରେ ଆସିଥିଲା ନନ୍ଦନକାନନ। ସେତେବେଳେ ତା’ ସହିତ ଅନ୍ୟ ସାଥୀମାନେ ଥିଲେ। ଏହା ମଧ୍ୟରେ ୨୦ ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି। ସମୟ କ୍ରମେ ଅନ୍ୟମାନଙ୍କ ମୃତ୍ୟୁ ହୋଇଯାଇଛି। ସେ ଏବେ ଏକା ହୋଇଯାଇଛି। ସାଥୀ ନଥିବାରୁ ମନରେ ଦୁଃଖ ଥିଲେ ମଧ୍ୟ ଦର୍ଶକଙ୍କୁ ନିରାଶ କରୁନି। ତେବେ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ବି ତା’ର ଏକଲାପଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକା ରହୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ବିଭିନ୍ନ ଚଳଚ୍ଚିତ୍ର ଓ ଟିଭି ଧାରାବାହିକରେ ମନୋରଂଜନ କରୁଥିବା ସଲଫର କ୍ଲେଷ୍ଟେଡ୍ କକାଟୋ ପ୍ରଜାତିର ଏହି ଏକମାତ୍ର ଅଣ୍ଡିରା ପକ୍ଷୀ ନନ୍ଦନକାନନର ୮ ନମ୍ବର ‘ଗ’ ଖୁଆଡ଼ ମଧ୍ୟରେ ରହିଛି। ଏହି ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ପକ୍ଷୀକୁ ୧୯୯୮ ମସିହାରେ କିଛି ଅନ୍ୟ ପକ୍ଷୀଙ୍କ ସହିତ ନନ୍ଦନକାନନକୁ ଅଣାଯାଇଥିଲା। ଏହି ପକ୍ଷୀର ରଙ୍ଗ ଧଳା, ଗୋଡ଼ ଓ ଥଣ୍ଟର ରଙ୍ଗ ପାଉଁଶିଆ। ମୁଣ୍ତ ଉପରେ ରହିଛି ଆକର୍ଷଣୀୟ ଉଜ୍ଜ୍ବଳ ହଳଦୀ ରଙ୍ଗର ମୁକୁଟ ସଦୃଶ ଚୂଳ। ଶ୍ବେତ ବର୍ଣ୍ଣର ପକ୍ଷୀ ଇଣ୍ଡୋନେସିଆ ଓ ପୂର୍ବ ଟିମୁରରେ ଦେଖିବାକୁ ମିଳନ୍ତି। ଏମାନଙ୍କର ଲମ୍ବ ୩୪ ଇଞ୍ଚ। ଏମାନେ ଜଙ୍ଗଲ ଓ ଚାଷ ଜମି ନିକଟରେ ଦେଖାଯାଆନ୍ତି। ବିଭିନ୍ନ ପ୍ରକାରର ଫଳ, ଶସ୍ୟ, କଢ଼ ଓ ଶାଗ ଖାଆନ୍ତି। ଗଛ କୋରଡ଼ରେ ବସା ବାନ୍ଧି ରୁହନ୍ତି। ଥରକେ ଦୁଇଟି ଧଳା ରଙ୍ଗର ଅଣ୍ତା ଦେଇଥାଆନ୍ତି। ୨୮ ଦିନ ପରେ ଅଣ୍ତାରୁ ଛୁଆ ବାହାରେ।

ସମ୍ବନ୍ଧିତ ଖବର