ନନ୍ଦନକାନନ ଖବର: ମନୋରଞ୍ଜନ କରୁଛନ୍ତି ନୀଳଗିରି ହନୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୩ ନମ୍ବର ଖୁଆଡ଼ରେ ରହି ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଛନ୍ତି ନୀଳଗିରି ହନୁ ଯୋଡ଼ି। ଗୋଟିଏ ୪ ବର୍ଷର ଅଣ୍ଡିରା ଓ ଗୋଟିଏ ସାଢ଼େ ୩ ବର୍ଷ ବୟସର ମାଈ। ଏହି ଚିକ୍କଣ କଳା ଲୋମ ଯୁକ୍ତ ମାଙ୍କଡ଼ ଦକ୍ଷିଣ ଭାରତର ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ପର୍ବତ ଜଙ୍ଗଲରେ ଦେଖିବାକୁ ମିଳନ୍ତି। ଏହି ବିରଳ ପ୍ରଜାତିର ହନୁଙ୍କ ମୁଣ୍ତରେ ଥିବା ବାଦାମୀ ରଙ୍ଗର ଲୋମ ଏମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ବିଷୁବ ମଣ୍ତଳୀୟ ଚିରହରିତ୍ ଅରଣ୍ୟର ଜଳଧାରା ନିକଟ ଅଞ୍ଚଳରେ ଏମାନେ ବାସ କରନ୍ତି। ଗୋଟିଏ ଗୋଟିଏ ଦଳରେ ୫ରୁ ୧୬ଟି ହନୁ ରହିଥାନ୍ତି। ଜଙ୍ଗଲର ମିଠା ଫଳ, କୋଳି, କଅଁଳ ପତ୍ର ଓ ଫୁଲ ଏମାନଙ୍କର ଖାଦ୍ୟ। ଋତୁ ଆରମ୍ଭ ଓ ଋତୁ ଶେଷରେ ସନ୍ତାନ ଜନ୍ମ ଦେବା ଏମାନଙ୍କ ଏକ ବିଶେଷତ୍ବ। ୧୯୮୭ ଅକ୍ଟୋବର ୧୬ରେ ମାଡ୍ରାସ ଚିଡ଼ିଆଖାନାରୁ ଏକ ହଳ ନୀଳଗିରି ହନୁଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ମାତ୍ର ସେହି ବର୍ଷ ନଭେମ୍ବର ୨ରେ ମାଈଟିର ମୃତ୍ୟୁ ହୋଇଥିଲା। ଏହାପରେ ୧୯୯୫ ଡିସେମ୍ବର ୨୮ରେ ପୁଣି ମାଡ୍ରାସରୁ ଏକ ମାଈ ହନୁ ଅଣାଯାଇଥିଲା। ମାତ୍ର ଛଅ ମାସ ନପୂରୁଣୁ ୧୯୯୬ ଜୁନ୍ ୧୦ରେ ତା’ର ମୃତ୍ୟୁ ହୋଇଯାଇଥିଲା। ଶେଷରେ ବଞ୍ଚିଥିବା ଏକ ମାତ୍ର ଅଣ୍ଡିରା ନୀଳଗିରି ହନୁଟିର ୨୦୧୨ ମାର୍ଚ୍ଚ ୧୫ରେ ୨୨ ବର୍ଷ ୮ ମାସ ବୟସରେ କାମଳ ରୋଗରେ ମୃତ୍ୟୁ ହେବାରୁ ବଂଶ ଲୋପ ପାଇଥିଲା। ଏହାପରେ ୨୦୧୭ ଜୁଲାଇ ୨୬ରେ ଚେନ୍ନାଇର ଭନ୍ଦାଲୁର ସ୍ଥିତ ଅରିଗନାର ପ୍ରାଣୀ ଉଦ୍ୟାନରୁ ଏହି ନୀଳଗିରି ହନୁ ଯୋଡ଼ିଙ୍କୁ ଅଣାଯାଇଛି।

ସମ୍ବନ୍ଧିତ ଖବର