ବାରଙ୍ଗ: ଲଗାଣ ବର୍ଷାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାକୃତିକ କାଞ୍ଜିଆ ହ୍ରଦ ଓ କିଆଖଣିର ପାଣି ଉଛୁଳିଛି। ବୋଟ ଘାଟଠାରୁ ଜଳହସ୍ତୀ ଘର ଦେଇ ଶିଶୁ ରେଳ ଷ୍ଟେସଡ଼ ପର୍ଯ୍ୟନ୍ତ ପ୍ରାୟ ୫୦ ମିଟର ରାସ୍ତା ଜଳମଗ୍ନ ହୋଇଛି। ଜଳହସ୍ତୀ ଖୁଆଡ଼ ମଧ୍ୟ ଭାଗରେ ଥିବା ପୃଥକୀକରଣ ପ୍ରାଚୀର ପ୍ରାୟ ୫ ଫୁଟ୍ ଲମ୍ବରେ ଭୁଶୁଡ଼ି ପଡ଼ିଛି। ନନ୍ଦନକାନନରୁ ରାଜ୍ୟ ଉଦ୍ଭଦ ଉଦ୍ୟାନ ରାସ୍ତା ପାଣିରେ ବୁଡ଼ିଛି। ଚିତ୍ରା ହରିଣ, ନୀଳଗାଈ ଖୁଆଡ଼ ଅଧା ପର୍ଯ୍ୟନ୍ତ ପାଣି ମାଡ଼ି ଯାଇଛି। ଏମୁ ପକ୍ଷୀ ଘରେ ପାଣି ପଶିଛି। ବୋଟ ଘାଟ ରାସ୍ତା ବୁଡ଼ିଥିବାରୁ ଅନିର୍ଦିଷ୍ଟ କାଳ ପାଇଁ ପର୍ଯ୍ୟଟକଙ୍କ ଲାଗି ବୋଟିଂ ବନ୍ଦ କରାଯାଇଛି। ସେହିଭଳି କାଞ୍ଜିଆ ଓ କିଆଖଣୀ ହ୍ରଦର ପାଣି ଆଖପାଖ ଅଞ୍ଚଳକୁ ମୁହାଁଇଛି। ରଘୁନାଥପୁର ସଅର ସାହିରୁ ମଝି ସାହିକୁ ରାସ୍ତା ବୁଡ଼ି ଯାଇଛି। ନନ୍ଦନକାନନ ବସଷ୍ଟାଣ୍ଡ ଛକରୁ ପଦାସାହି ରାସ୍ତା ବୁଡ଼ି ପାଣିର ସୁଅ ଛୁଟୁଛି। ବାଧ୍ୟ ହୋଇ ଲୋକମାନେ ଅନ୍ୟବାଟେ ବୁଲି ଯାତାୟାତ କରୁଛନ୍ତି। ପ୍ରତି ବର୍ଷ ବର୍ଷାଦିନେ ରାସ୍ତା ବୁଡ଼ିବାର କାରଣ ପାଇଁ ପ୍ରାକୃତିକ ହ୍ରଦଦ୍ୱୟର ଜଳପ୍ରବାହ ପଥରେ ଅବୈଧ ନିର୍ମାଣ ବାଧକ ସାଜିଥିବା ଚର୍ଚ୍ଚା ହେଉଛି। ଦୟା କେନାଲ ବନ୍ଧ ରାସ୍ତା କାଳଝରୀ ନିକଟ ପନ୍ଦର ଫୁକାର ପାଖରେ ଅତଡ଼ା ଖସୁଛି। ବାରଙ୍ଗ କଲେଜ ଛକଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଥିବା ରାସ୍ତାଟି ବର୍ଷା ପାଣିରେ ଧସେଇ ଖଣ୍ଡ ଖଣ୍ଡ ହୋଇ ତଳେ ଯାଇଥିବା ବୁଡ଼ୁ ନାଳ ଭିତରକୁ ଖସି ପଡ଼ୁଛି। ଫଳରେ ବାରଙ୍ଗ କଲେଜ ଛକଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଥିବା ରାସ୍ତାଟି ମଝିରୁ ବିଚ୍ଛିନ୍ନ ହେବାର ସମ୍ଭାବନା ଦେଖାଦେଇଛି। ଅତଡ଼ା ଖସୁଥିବା ବନ୍ଧର ପାଖକୁ ଲାଗି ବୁଡୁ ନାଳ ଭିତରୁ ନୂତନ ବ୍ରିଜ୍ ନିର୍ମାଣ ଲାଗି ଖୋଳା ଯାଇଥିବା ପିଲାର ନିକଟରେ ବନ୍ଧର ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ କାର୍ଯ୍ୟ କରାଯାଉଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ଯାତାୟାତ କରୁଥିବା ପଥିକମାନଙ୍କ ପ୍ରତି ବିପଦର ଆଶଙ୍କା ମଧ୍ୟ ରହିଛି।
ମଦନପୁର, ମହୁରା ବିଚ୍ଛିନ୍ନ
ଖଣ୍ଡଗିରି: ଲଗାଣ ବର୍ଷା ଯୋଗୁଁ ଆଜି ଖଣ୍ଡଗିରିରୁ ପିତାପଲ୍ଲୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥର କିଛି ଅଂଶ ବୁଡ଼ିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖଣ୍ଡଗିରି, ଆଇଗିଣିଆ, ତମାଣ୍ଡୋ ଓ ଯାଁଳା ଅଞ୍ଚଳର ବହୁ ଆପାର୍ଟମେଣ୍ଟ ଜଳବନ୍ଦୀ ହୋଇରହିଛି। ଯାଁଳା ମା’ ବାଟ ଭୁଆସୁଣି ମନ୍ଦିର ଓ ପିତାପଲ୍ଲୀ ଛକରେ ୧୬ନମ୍ବର ଜାତୀୟ ରାଜପଥ ବୁଡ଼ି ଯାଇଥିଲା। ସେହିଭଳି ଏହି ଜାତୀୟ ରାଜପଥର ଗୋହିରା ଛକରେ ମଦନପୁର ଓ ଛତାବରକୁ ଲମ୍ବିଥିବା ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ପାଣି ବହିଥିଲା। ଫଳରେ ମଦନପୁର, ଗୀତା ଇଂଜିନିୟରିଂ କଲେଜ, ଗାନ୍ଧୀ ଇଂଜିନିୟରିଂ କଲେଜ, ନିସ୍ ଭଳି ଶିକ୍ଷାନୁଷ୍ଠାନ ସହ ସମସ୍ତ ଗ୍ରାମକୁ ଯାତାୟାତ ଠପ୍ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Acharya-Bihar-2.jpg)