ନନ୍ଦନକାନନ ଖବର: ଡହଳ ବିକଳ ଜୀବଜନ୍ତୁ

ନନ୍ଦନକାନନ ବାଘ ସଫାରିରେ ବସ୍‌ ବ୍ରେକ୍ ଫେଲ୍‌

ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ସକାଳ ୧୦ଟା ହେଲେ ଗରମ ପ୍ରଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଡହଳ ବିକଳ ହେଉଛନ୍ତି। ଗରମରୁ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ନନ୍ଦନକାନନ କର୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ବାଘ, ଭାଲୁ, ସିଂହ, ହରିଣ, ସମ୍ବର, ନୀଳଗାଈ, ଜିରାଫ, ମଣିପୁରି ହରିଣ, ବାରାସିଙ୍ଗା, ଗୟଳ, ସରୀସୃପ ଓ ପକ୍ଷୀମାନଙ୍କ ଖୁଆଡ଼ରେ ଜଳ ସି‌ଞ୍ଚନ କରାଯିବା ସହ ଗାଧୋଇବା ପାଇଁ କୁଣ୍ତରେ ପାଣି ରଖା ଯାଉଛି। ଦିନ ୧୧ଟା ପରେ ଗରମ ବଢ଼ି ଯାଉଥିବାରୁ ବାଘ ଓ ସିଂହ ରହୁଥିବା ସ୍ଥାନରେ ବରଫ ପକାଇ ଥଣ୍ତା କରାଯାଉଛି। ସିମ୍ପାଞ୍ଜିମାନଙ୍କୁ ତରଭୁଜ ଖାଇବାକୁ ଦିଆଯିବା ସହ ପଇଡ଼ ପିଇବାକୁ ଦିଆଯାଉଛି। ହାତୀମାନଙ୍କୁ ଦିନକୁ ଦୁଇଥର ଗାଧୋଇ ଦିଆଯାଉଛି ଓ ହାତୀଶାଳରେ ପାଣି ଛିଞ୍ଚି ଥଣ୍ତା ରଖାଯାଉଛି। ହାତୀମାନଙ୍କୁ ଆଖୁ, ନଡ଼ିଆ, କଦଳୀ ଖାଇବାକୁ ଦିଆଯାଉଛି। ଆବଶ୍ୟକସ୍ଥଳେ ଜୀବଜନ୍ତୁଙ୍କ ଖୁଆଡ଼ରେ ନଡ଼ା ଓ ବାଉଁଶ ତାଟ ଛପର କରାଯାଇଛି। ଶାକାହାରୀ ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ସେଓ, ଅଙ୍ଗୁର, କଦଳୀ, ତରଭୁଜ, ଆଖୁ ଓ କାକୁଡ଼ି ଦିଆଯାଉଛି। ଗରମରୁ ରକ୍ଷା ପାଇଁ ଜୀବଜନ୍ତୁ ଓ ପକ୍ଷୀମାନେ ବାରମ୍ବାର ପାଣି ପିଇ ଛାଇ ତଳେ ଶୋଇ ରହୁଛନ୍ତି। ବାଘ ଓ ଭାଲୁମାନେ ପଣିରେ ପଡ଼ି ରହୁଛନ୍ତି। ସିମ୍ପାଞ୍ଜି ଏବଂ ଓରାଙ୍ଗଓଟାନ ଫଳ ଖାଇ ଛାଇରେ ଲୁଚି ରହୁଥିବା ଦେଖିବାକୁ ମିଳୁଛି।

ନନ୍ଦନକାନନ ବାଘ ସଫାରିରେ ବସ୍‌ ବ୍ରେକ୍ ଫେଲ୍‌

ବାରଙ୍ଗ: ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ନନ୍ଦନକାନନ ବାଘ ସଫାରିକୁ ଯାଇଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ୩୫ରୁ ଅଧିକ ପର୍ଯ୍ୟଟକ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ। ତେବେ ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପର୍ଯ୍ୟଟକମାନେ ଏକ ଦୁର୍ଘଟଣାରୁ ବର୍ତି ଯିବା ସହିତ ସୁରକ୍ଷିତ ଭାବେ ଫେରି ଆସିଥିଲେ। ସଫାରି ବୁଲି ଫେରିବା ବାଟରେ ଏପରି ଅଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ଅପରାହ୍‌ଣରେ ସଫାରି ବସ୍‌ (ଓଡି ୦୭ଏ ୪୭୫୫) ୩୫ ଜଣ ପର୍ଯ୍ୟଟକଙ୍କୁ ଧରି ବାଘ ସଫାରି ମଧ୍ୟକୁ ଯାଇଥିଲା। ପର୍ଯ୍ୟଟକମା‌ନେ ବିରଳ କଳା ରଙ୍ଗର ମହାବଳ ବାଘ କ୍ରିଷ୍ଣା(୫) ଓ ଧଳା କଳା ଧୂସର ରଙ୍ଗର ଶୁଭ୍ରାଂଶୁ(୫)କୁ ଦେଖି ଫେରୁଥିଲେ। ବାଟରେ ଥିବା ବଡ଼ ଗଡ଼ାଣିରେ ବସ୍‌ର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏକଥା ଚାଳକ ଜାଣିପାରି ଥିଲେ ହେଁ ପର୍ଯ୍ୟଟକଙ୍କୁ କିଛି ସୂଚନା ଦେଇ ନଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ସେ ଏକ ବୁଦାଳିଆ ଉଚା ପଥର ଢିପରେ ବସ୍‌କୁ ଲଗାଇ ଅଟକାଇ ଦେଇଥିଲେ। ବସ୍‌ ଅଟକିବା ଜାଣିବା ପରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ସେ ସମସ୍ତଙ୍କୁ କାରଣ ଜଣାଇ ବ୍ୟସ୍ତ ନହେବାକୁ କହିବା ସହ ଉପରିସ୍ଥ କର୍ମଚାରୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ଜାଣିବା ପରେ ନନ୍ଦନକାନନ କର୍ତୃପକ୍ଷ ଅନ୍ୟ ଏକ ବସ୍‌କୁ ସଫାରି ମଧ୍ୟକୁ ପଠାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେବେ ଏହା ପୂର୍ବରୁ ବାଘ ଦୁଇଟିଙ୍କୁ ସଫାରିର ଖାଦ୍ୟ ଗ୍ରହଣ କକ୍ଷରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର