ନନ୍ଦନକାନନ କର୍ମଚାରୀଙ୍କ ଗ୍ବାଲିୟର ଗସ୍ତ, ଶାଗୁଣା ଅପେକ୍ଷାରେ ପ୍ରଜନନ କେନ୍ଦ୍ର

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ ସରିଛି। ଏବେ ଶାଗୁଣା ଆସିବା ଅପେକ୍ଷାରେ ରହିଛି ପ୍ରଜନନ କେନ୍ଦ୍ର। ମଙ୍ଗଳବାର ସକାଳ ୭ଟାରେ ନନ୍ଦନକାନନର ୭ ଜଣିଆ କର୍ମଚାରୀ ଦଳ ଗୋଟିଏ କାର୍ ଓ ଗୋଟିଏ ଟ୍ରକ୍‌ରେ ଲଦାଥିବା ଯନ୍ତା ଧରି ଗ୍ୱାଲିୟର୍‌ ଗସ୍ତ କରିଛନ୍ତି। ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫ୍ ପ୍ରଶାନ୍ତ ପଣ୍ତାଙ୍କ ତତ୍ତ୍ୱାବାବଧାନରେ ଜନ୍ତୁ ବିଭାଗ ରେଞ୍ଜ ଅଫିସର୍‌ ଅଶୋକ ଦାସ, ପ୍ରାଣୀ ଚିକିତ୍ସକ ଦେବବ୍ରତ ମହାପାତ୍ର, ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ତା, ବନରକ୍ଷୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜନ୍ତୁ ରକ୍ଷକ ସୁବାସ ପ୍ରଧାନ ଓ ପଠାଣି ଯେନା ଏହି ଟିମ୍‌ରେ ଅଛନ୍ତି। ସେମାନେ ସେଠାରେ ପହଞ୍ଚିବା ପରେ ସେଠାରୁ ୬ ହଳ ଶାଗୁଣା(୩ପୁରୁଷ ଓ ୩ମାଈ)ଙ୍କୁ ଧରି ପ୍ରତ୍ୟାବର୍ତ୍ତନ କରିବେ। କର୍ମଚାରୀମାନେ ପ୍ରାୟ ୨୮/୨୯ ତାରିଖ ସୁଦ୍ଧା ନନ୍ଦନକାନନରେ ପହଞ୍ଚିବେ ବୋଲି ଜଣାଯାଇଛି। ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରଜନନ କେନ୍ଦ୍ରଟି ଆଧୁନିକ ଜ୍ଞାନକୌଶଳରେ ପ୍ରାୟ ଏକ ହଜାର ବର୍ଗମିଟର ପରିମିତ ଜାଗାରେ ନିର୍ମିତ ହୋଇଛି। ଏହି ପ୍ରଜନନ କେନ୍ଦ୍ରର ପାଚେରି ମଧ୍ୟରେ ରହିଛି। ଶାଗୁଣାମାନେ ସଂଘବଦ୍ଧ ଭାବେ ବସବାସ କରିବା ଲାଗି ଏକ କଲୋନି, ୨ଟି ଖୁଆଡ଼ ଓ ଗୋଟିଏ ଜନ୍ତୁରକ୍ଷକ କକ୍ଷ। ଶାଗୁଣାମାନଙ୍କ ଗତିବିଧିକୁ ସିସିଟିଭିରେ ନିରୀକ୍ଷଣ କରିବା ଲାଗି ପାଚେରି ବାହାରେ ଏକ ପର୍ଯ୍ୟବେକ୍ଷଣ କକ୍ଷ ଓ ପରୀକ୍ଷାଗାର ନିର୍ମିତ ହୋଇଛି। ନିର୍ମିତ ହୋଇଥିବା କଲୋନି କାନ୍ଥରେ ଶାଗୁଣାମାନଙ୍କ ବସିବା ଲାଗି କାଠ ସବୁ ଖଞ୍ଜା ଯାଇଛି। ପୁରୁଷ ଓ ମାଈ ଶାଗୁଣା ଯୋଡ଼ି ବସା ବାନ୍ଧି ବସିବା ଓ ସେଥିରେ ଅଣ୍ତା ଦାନ କରିବା ଲାଗି ପ୍ରଜନନ କେନ୍ଦ୍ରର ୪ ପାଖ କାନ୍ଥରେ ୬ଟି ଖଟିଆ ଖଞ୍ଜା ଯାଇଛି। ଶାଗୁଣାମାନଙ୍କ ଡିଆଁ କୁଦ ଓ ଖେଳ ଲାଗି ତଳ ଚଟାଣରେ ବାଲି ବିଛା ଯାଇଛି। କଲୋନି ଭିତରେ ଉଭୟ କଡ଼ରେ ୬ଟି ପାଣି କୁଣ୍ତର ବ୍ୟବସ୍ଥା କରାଯାଇଛି, ଯେଉଁଥିରୁ ସେମାନେ ପାଣି ପିଇପାରିବେ। କଲୋନି ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। କେବଳ ଜରୁରି ସମୟରେ ଜନ୍ତୁରକ୍ଷକ ପ୍ରବେଶ କରିପାରିବେ। ଏହା ଛଡ଼ା ଅନ୍ୟ ଦୁଇଟି ଖୁଆଡ଼ରେ ଜନ୍ମଲାଭ କରବାର କିଛି ମାସ ପରେ ଛୋଟ ଶାଗୁଣାଙ୍କୁ ରଖିବା ଲାଗି ଅନ୍ୟ ଦୁଇଟି ଖୁଆଡ଼ ନିର୍ମିତ ହୋଇଛି। ଉଭୟ କଲୋନି ଓ ଖୁଆଡ଼ ଉପରକୁ ତାର ଜାଲିରେ ଆବଦ୍ଧ କରାଯାଇଛି। ପ୍ରଜନନ ଯୋଜନା ସଫଳ ହୋଇ ବଂଶବୃଦ୍ଧି ପାଇଲେ ଆବଶ୍ୟକ ସଂଖ୍ୟକଙ୍କୁ ରଖି ବାକି ଶାଗୁଣା ଦଳଙ୍କୁ ମୁକ୍ତ ଆକାଶରେ ଛାଡ଼ିବାର ଯୋଜନା ରହିଛି। ସୂଚନାଯୋଗ୍ୟ, ଗତ ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶାରୁ ଶବଭକ୍ଷୀ ପକ୍ଷୀ ଶାଗୁଣାଙ୍କ ବଂଶ ଲୋପ ପାଇ ଯାଇଥିଲା। ଏହି ପ୍ରଜାତିର ବଂଶବୃଦ୍ଧି ଲାଗି ୨୦୦୬ ମସିହାରେ ତତ୍କାଳୀନ ନନ୍ଦନକାନନର ଉପନିର୍ଦ୍ଦେଶକ ଅଜିତ୍ ପଟ୍ଟନାୟକଙ୍କ ସମୟରେ ଯୋଜନା ହୋଇଥିଲା।

ସମ୍ବନ୍ଧିତ ଖବର